Odiapua.com

ହରିଚନ୍ଦନପୁର ପୋଲିସକୁ ବଡ଼ ଚ୍ୟାଲେଞ୍ଜ, ପୁଣି ଥାନାର ୧୦୦ମିଟର ଶୁଭଲକ୍ଷ୍ମୀ ଟେଲିସର୍ଭିସରୁ ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରି

ହରିଚନ୍ଦନପୁର,ତା ୨୬ ଡିସେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ନିକଟସ୍ଥ ଶୁଭ ଲକ୍ଷ୍ମୀ ଟେଲିସର୍ଭିସ ମୋବାଇଲ ଦୋକାନରୁ ଲକ୍ଷାଧିକ ଟଙ୍କାର ମୋବାଇଲ ସହ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ଖବର ମୁତାବକ ବୁଧବାର ବିଳମ୍ବିତ ରାତିରେ ଥାନାର ମାତ୍ର ୧୦୦ମିଟର ଦୂରତାରୁ ମୋବାଇଲ ଦୋକାନର ଆଜବେଷ୍ଟସ ଭାଙ୍ଗି ଲକ୍ଷାଧିକ ଟଙ୍କାର ମୋବାଇଲ ସହ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଛି । ଏହି ଘଟଣାକୁ ନେଇ ଭୟଭୀତ ଅବସ୍ଥାରେ ହରିଚନ୍ଦନପୁର ବ୍ୟବସାୟୀ ଓ ଜନସାଧାରଣ । ହରିଚନ୍ଦନପୁର ଛକରେ ପ୍ରତ୍ୟେକ ଦିନ ଏବଂ ରାତିରେ ପୋଲିସ କର୍ମଚାରୀ ନିୟୋଜିତ ସହ ପେଟ୍ରୋଲିଂ ଚାଲିଥିବା ବେଳେ କେମିତି ଭାବେ ଚୋର ଆଜବେଷ୍ଟସ ଭାଙ୍ଗି ଚୋରି କରିବାରେ ସଫଳ ହେଲେ ତାହା ଏବେ ସାଧାରଣରେ ଆଲୋଚନାର କେନ୍ଦ୍ର ବିନ୍ଦୁ ପାଲଟିଛି । ଗତ କିଛି ଦିନ ପୂର୍ବରୁ ଏହି ଭଳି ଉକ୍ତ ଦୋକାନ ସହ ଅନ୍ୟ ଦୋକାନମାନଙ୍କରୁ ଲକ୍ଷାଧିକ ଟଙ୍କାର ବିଭିନ୍ନ ସାମଗ୍ରୀ ବାରମ୍ବାର ଚୋରି ହେଉଥିବାର ପୋଲିସର ତଦନ୍ତ ଓ ପୋଲିସର ପେଟ୍ରୋଲିଂ କଡ଼ାକଡ଼ି ଯୋଗୁଁ ଚୋରି ବନ୍ଦ ହେବା ସହ କେତେକ ଚୋରଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ହେଲେ ଏବେ ପୁଣି ପୋଲିସକୁ ବଡ଼ ଚ୍ୟାଲେଞ୍ଜ ଦେଇ ପୁଣିଥରେ ଥାନା ନିକଟସ୍ଥ ଶୁଭ ଲକ୍ଷ୍ମୀ ଟେଲିସର୍ଭିସ ମୋବାଇଲ ଦୋକାନରୁ ଚୋରି କରିବାରେ ସଫଳ ହୋଇଛନ୍ତି । ଅଭିଯୋଗ ଅନୁଯାୟୀ ଆଜି ସକାଳେ ଶୁଭ ଲକ୍ଷ୍ମୀ ଟେଲିସର୍ଭିସ ମୋବାଇଲ ଦେକାନର ପ୍ରୋପାଇଟର ଦିବ୍ୟଜ୍ୟୋତି ସାହୁ ଦୋକାନ ଖୋଲିବା ସମୟରେ ଦେକାନରୁ ଚୋରି ହୋଇଥିବାର ଜାଣିବା ପରେ ସଙ୍ଗେ ସଙ୍ଗେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ସିସିଟିଭି ଫୁଟେଜ ଯାଞ୍ଚ କରିଛି ।