ଭଦ୍ରକ, ୩୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚରମ୍ପା ବରାଳ ପୋଖରୀଠାରେ ମିଶ୍ର ଚେରିଟେବୁଲ ଟ୍ରଷ୍ଟ ଓ ରୋଟାରୀ କ୍ଲବ ମିଡ଼୍ଟାଉନ ପକ୍ଷରୁ ହନୁମାନ ଜୀଉ ଉ.ପ୍ରା.ବିଦ୍ୟାଳୟରେ ସ୍ୱର୍ଗ ଆଶାଲତା ମିଶ୍ର ସ୍ମାରକୀ ହସ୍ତ ପ୍ରକ୍ଷାଳନ ଗୃହର ଉଦ୍ଘାଟନ ହେବା ସହିତ ମେଧାବୀ ଛାତ୍ରଛାତ୍ରୀଙ୍କୁ ୭୫ ହଜାର ଟଙ୍କାର ଅର୍ଥ ରାଶି ସହ ପୁରସ୍କାର ପ୍ରଦାନ କରାଯାଇଛି । ରାଜ୍ୟ ଓଡ଼ିଆ ଭାଷା ସାହିତ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଭଦ୍ରକ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଏହି ଉଦ୍ଘାଟନ କାର୍ଯ୍ୟ ସମ୍ପନ୍ନ କରିଛନ୍ତି । ପ୍ରଥମେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପାଣିଗ୍ରାହୀ,ସାଂସଦ ମଞ୍ଜୁଲତା ମଣ୍ଡଳ ଓ ବିଧାୟକ ସଂଜୀବ ମଲ୍ଲିକ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଯୋଗ ଦେଇ ବିଗତ ଦିନରେ ମିଶ୍ର ପରିବାର ଉକ୍ତ ବିଦ୍ୟାଳୟକୁ ବିଭିନ୍ନ ପ୍ରକାରର ସହଯୋଗର ହାତ ବଢାଇଛନ୍ତି । ଚେରିଟେବୁଲ ଟ୍ରଷ୍ଟ କରି ବିଦ୍ୟାଳୟର ଉନ୍ନତି ସାଧନ କରିବା ସହ ଛାତ୍ରଛାତ୍ରୀଙ୍କ ମନବଳ ବୃଦ୍ଧି ଓ ଶିକ୍ଷା ପ୍ରତି ଆଗ୍ରହୀ କରାଇବା ପାଇଁ ବିିଭିନ୍ନ କ୍ଷେତ୍ରରେ ଆର୍ôଥକ ସହଯୋଗ କରିବା ଏକ ଅନନ୍ୟ ଉଦାହରଣ ବୋଲି କହିଥିଲେ । ଟ୍ରଷ୍ଟ ମୁଖ୍ୟ ରୋଟାରିଆନ ଶିଶିର ମିଶ୍ର ଓ ତାଙ୍କ ପରିବାରର ଏଭଳି ସାଧୁ ଉଦ୍ୟମକୁ ଭୂୟସୀ ପ୍ରଶଂସା କରାଯାଇଥିଲା । ବିଶିଷ୍ଟ ସମାଜସେବୀ ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ଧର୍ମପତ୍ନୀ ତଥା ରୋଟାରିଆନ ଶିଶିର ମିଶ୍ରଙ୍କ ମାତା ସ୍ୱର୍ଗତ ଆଶାଲତା ଦେବୀ ସ୍ଥାନୀୟ ଅଞ୍ଚଳର ଜଣେ ଧର୍ମପରାୟଣା ଓ ପରୋପକାରୀ ମହିଳା ଭାବେ ବେଶ୍ ସୁଖ୍ୟାତ ଥିଲେ । ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ବିଦ୍ୟାଳୟରେ ଏହି ହସ୍ତ ପ୍ରକ୍ଷାଳନ ବେସିନ ସ୍ଥାପନରେ ରୋଟାରୀ କ୍ଳବ ମିଡ଼୍ ଟାଉନ ମଧ୍ୟ ସହଯୋଗର ହାତ ବଢାଇବା ଆହୁରି ଖୁସିର କଥା ବୋଲି ଅତିଥିମାନେ ପ୍ରକାଶ କରିଥିଲେ । ରୋଟାରିଆନ ଅତିସ୍ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରୋଟାରୀର ସଭାପତି ଅମିତ ମଲ୍ଲିକ, ସନାତନ ଜେନା, ରତନଲାଲ ଗୁପ୍ତା, ପ୍ରମୋଦ ଲାଖାନୀ, ଅଶୋକ ଲାଖାନୀ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ଓ ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜୀବୀଙ୍କ ସହ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ଶେଷରେ ହେମନ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।