Odiapua.com

ହତ୍ୟା ଅଭିଯୁକ୍ତଙ୍କୁ ଜିଲ୍ଲାଜଜଙ୍କ ଆଜୀବନ କାରାଦଣ୍ଡାଦେଶ

କେନ୍ଦ୍ରାପଡ଼ା, ୧୬ା୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲା ଦୈାରାଜଜ ଗୋପାଳ ଚନ୍ଦ୍ର ବେହେରା ଏକ ହତ୍ୟା ମାମଲାର ବିଚାର କରି ଦୋଷୀକୁ ଆଜୀବନ କରାଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି। ଏଥିସହିତ ୧୦ହଜାର ଟଙ୍କା ଜରିମାନାରେ ମଧ୍ୟ ଦଣ୍ଡିତ କରିଛନ୍ତି। ଘଟଣାରୁ ପ୍ରକାଶ ଯେ ନିକିରାଇ ଥାନା ଅନ୍ତର୍ଗତ ପଳସିଂହା ପଞ୍ଚାୟତର ମିର୍ଜାପୁର ଗ୍ରାମର ଶ୍ରୀକାନ୍ତ ସ୍ୱାଇଁଙ୍କ ପତ୍ନୀ ମୀତା ସ୍ୱାଇଁ ଗତ ୨୦୧୪ ମସିହା ଫେବୃୟାରୀମାସ ୨୮ ତାରିଖ ବିଳମ୍ବିତ ରାତିରେ ଉଠି ପରିସ୍ରା କରିବାକୁ ଘର ବାହରକୁ ଯାଇଥିଲେ। ସେ ପରିସ୍ରା କରୁଥିବା ବେଳେ ସେହି ଗ୍ରାମର ରଙ୍ଗାଧର ବିଶ୍ୱାଳ ତାଙ୍କୁ ମାଡିବସି ଅସଦାଚରଣ କରିବାରେ ମୀତା ପାଟି କରିଥିଲେ। ଫଳରେ ମୀତାଙ୍କ ସ୍ୱାମୀ ଶ୍ରୀକାନ୍ତ ଉଠିପଡି ସେଠାକୁ ଆସି ଘଟଣାର ପ୍ରତିବାଦ କରିଥିଲେ। ଶ୍ରୀକାନ୍ତ ଏଥିରେ ଉତକ୍ଷିପ୍ତ ହୋଇ ଏକ ଭୂଜାଲିରେ ଶ୍ରୀକାନ୍ତଙ୍କୁ ଗୋଟିଏ ପରେ ଗୋଟିଏ ଚୋଟ ମାରିଥିଲେ। ଶ୍ରୀକାନ୍ତଙ୍କୁ ଗୁରୁତ୍ତର ଅବସ୍ଥାରେ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସିତ ଅବସ୍ଥାରେ ଶ୍ରୀକାନ୍ତଙ୍କ ମୃତ୍ୟୁ ହୋଇଯାଇଥିଲା। ଏସମ୍ପର୍କରେ ନିକିରାଇ ଥାନାରେ ଅଭିଯୋଗକ୍ରମେ ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ରଙ୍ଗାଧରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଅଭିଯୋଗଫର୍ଦ୍ଦ କୋର୍ଟରେ ଦାଖଲ କରିଥିଲା। ଏସ.ଟି. କେଶ ନମ୍ବର -୧୮୬/୨୦୧୪ରେ ଏହି ମାମଲାର ବିଚାର କରି କେନ୍ଦ୍ରାପଡା ଜିଲ୍ଲା ଦୈାରାଜଜ ଗୋପାଳ ଚନ୍ଦ୍ର ବେହେରା ଭାରତୀୟ ଦଣ୍ଡବିଧି ଆଇନର ୩୨୪, ୩୫୪, ୫୦୬ ଓ ୩୦୨ ଦଫାରେ ଅଭିଯୁକ୍ତ ରଙ୍ଗାଧର ବିଶ୍ୱାଳଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିବା ବେଳେ ୧୦ ହଜାର ଟଙ୍କାର ଜରିମାନାରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଅଧିକ ଏକବର୍ଷ ଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି କୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ସରକାରଙ୍କ ପକ୍ଷରୁ କ୍ୟାଡର ପବ୍ଲିକ ପ୍ରସିକ୍ୟୁଟର ମାନସରଞ୍ଜନ ବେହେରା କୋର୍ଟରେ ଏହି ମାମଲାର ପରିଚାଳନା କରୁଥିଲେ।