ଭଦ୍ରକ, ୧୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ମଞ୍ଜୁରୀରୋଡ ଫାଣ୍ଡି ଅନ୍ତର୍ଗତ ବିରିଡି ରେଳଲାଇନ ପାର୍ଶ୍ୱରୁ ଗତ ୫ ତାରିଖ ରାତ୍ରରେ ଯୁବକର ମୃତଦେହ ପୁଲିସ ଉଦ୍ଧାର କରି ହତ୍ୟା ମାମଲା ରଜ୍ଜୁ କରିଥିଲା । ହତ୍ୟାର ଶିକାର ହୋଇଥିବା ବନ୍ତ ଥାନା ଅନ୍ତର୍ଗତ ଟିଲୋ କଣ୍ଟାପଡା ଗ୍ରାମର ଯୁବକ ରଞ୍ଜନ ଦାସ ଓରଫ ରାଜା(୨୦)କୁ ହତ୍ୟା କରା ଯାଇଥିବା ଘଟଣା ପୁଲିସ ଆଜି ଗଣମାଧ୍ୟମ ସମ୍ମୁଖରେ ଉନ୍ମୋଚିତ କରିଛି । ଉପଖଣ୍ଡ ପୁଲିସ ଅଧିକାରୀ ଅନିରୁଦ୍ଧ ମୁଦୁଲି ଥାନାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି । ପୁଲିସ ସୂଚନନା ମୁତାବକ ବନ୍ତ ଥାନା ଅନ୍ତର୍ଗତ ଟିଲୋ କଣ୍ଟାପଡା ଗ୍ରାମର ରଞ୍ଜନ ମଞ୍ଜୁରୀରୋଡ ଫାଣ୍ଡି ଅନ୍ତର୍ଗତ ବିରିଡି ଗ୍ରାମର ଜନୈକା ଯୁବତୀଙ୍କୁ ପ୍ରେମ କରୁଥିଲା । ଉଭୟଙ୍କ ମଧ୍ୟରେ ଗତ କିଛି ବର୍ଷ ଧରି ଅନ୍ତରଙ୍ଗ ସମ୍ପର୍କ ଥିଲା । ମାତ୍ର ପ୍ରେମିକା ଜାତିଗତ କାରଣରୁ ଗତ ୬ ମାସ ଧରି ପ୍ରେମ ସମ୍ପର୍କରୁ ଏକତରଫା ଭାବେ ଓହରି ଯାଇଥିଲା ।ମାତ୍ର ବେଙ୍ଗଲୁରରେ ରହୁଥ?ିବା ରଞ୍ଜନ ପ୍ରେମିକାକୁ ଫୋନ ଯୋଗେ ଯୋଗାଯୋଗ କରିବାକୁ ଉଦ୍ୟମ ଚଳାଇଥିଲା ।ଫଳରେ ସମ୍ପର୍କର ପରିସମାପ୍ତି ପାଇଁ ପ୍ରେମିକା ଜଣକ ବେଙ୍ଗାଲୁରରେ ରହୁଥ?ିବା ରଞ୍ଜନକୁ ଡକାଇଥିଲା। ଡାକରା ପାଇ ରଞ୍ଜନ ଗତ ୪ ତାରିଖରେ ମଞ୍ଜୁରୀରୋଡ଼ ରେ ପହଂଚି ଥିଲା । ପ୍ରେମିକା ଜଣକ କଲେଜରୁ ଫେରୁଥିବା ସମୟରେ ରେଳ ଧାରଣା ପାର୍ଶ୍ୱରେ ରଞ୍ଜନ ବସିଥିବା ଦେଖି ପ୍ରେମିକାର ଭିଣୋଇ କୁଲଣା ଗ୍ରାମର ନିଳମଣୀ ଓଝା(୨୩)ଙ୍କୁ ଫୋନ ଯୋଗେ ଜଣାଇଥିଲା । ନିଳମଣୀ ପ୍ରେମିକା ବଡ଼ଭଉଣୀର ସାଙ୍ଗ (ନାବାଳିକା)ଙ୍କୁ ବାଇକରେ ନେଇ ସେଠାରେ ପହଂଚି ଥିଲା। ପ୍ରେମିକା, ପ୍ରେମିକା ବଡଭଉଣୀ ସାଙ୍ଗ ଓ ପ୍ରେମିକାର ଭିଣୋଇ ରେଳଧାରଣା ନିକଟରେ ବସିଥିବା ରଞ୍ଜନ ପାଖକୁ ଯାଇ ୪ ତାରିଖ ଅପରାହ୍ନରେ ପ୍ରେମ ସମ୍ପର୍କରୁ ଓହରି ଯିବାକୁ ପ୍ରବର୍ତ୍ତାଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ରଞ୍ଜନ ସେମାନଙ୍କୁ ପଥର ଫିଙ୍ଗିଥିଲା। ଏହି ସମୟରେ ରଞ୍ଜନ ପଛରେ ଥିବା ପ୍ରେମିକାର ଭିଣୋଇ ନିଳମଣୀ ପଥର ଯୋଗେ ରଞ୍ଜନର ମୁଣ୍ଡ ପଛକୁ ଛେଚି ଦେଇଥିଲା । ରଞ୍ଜନ ଅଚେତ ହୋଇଯିବା ପରେ ୩ ଜଣ ଯାକ ମିଶି ଗିଲବାଡି ସହାୟତାରେ ରଞ୍ଜନ ବେକକୁ ଚିପି ମାରି ଦେଇଥିଲେ । ସେହିଦିନ ସନ୍ଧ୍ୟାରୁ ରଞ୍ଜନର ଫୋନ ବନ୍ଦ ରହିଥିଲା। ରଞ୍ଜନର ମୃତଦେହ ରେଳ ଲାଇନ ପାର୍ଶ୍ୱରେ ପଡିଥିଲା ବୋଲି ୫ ତାରିଖ ଅପରାହ୍ନ ୪ଟା ସମୟରେ ଭିଣୋଇ ସରୋଜଙ୍କୁ ସୂଚନା ମିଳିଥଲା । ରଞ୍ଜନ ଭିଣୋଇ ସରୋଜ ଦାସ ଥାନାରେ ଅଭିଯୋଗ କରିଥିଲେ । ଏଥିପୂର୍ବରୁ ସଂପୃକ୍ତ ପ୍ରେମିକ ଓ ସମ୍ପର୍କୀୟ ମାନେ ରଞ୍ଜନକୁ ମାରିଦେବାକୁ ଧମକ ଦେଇଥିଲେ ବୋଲି ଅଭିଯୋଗରେ ଦର୍ଶାଇଥିଲେ । ଅଭିଯୋଗ ଆଧାରରେ ଥାନାରେ ଏକ ହତ୍ୟା ମାମଲା ରକ୍ତ ହୋଇଥିଲା । ପୁଲିସ ଅଧିକ୍ଷକ ମନୋଜ ରାଉତଙ୍କ ନିର୍ଦେଶ କ୍ରମେ ଥାନାଧିକାରିଣୀ ରାଜଲକ୍ଷ୍ମୀ ନାୟକଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ରଦଳ ଗଠନ କରାଯାଇଥିଲା । କିନ୍ତୁ ଘଟଣାର ଆଖିଦେଖା ସାକ୍ଷୀ ନଥିଲା । ସନ୍ଧାନୀ କୁକୁର, ବୈଜ୍ଞାନିକ ଅନୁସନ୍ଧାନକାରୀ ଦଳ ଓ ପାରିପାର୍ଶିକ ପ୍ରମାଣ ଆଧାରରେ ପୋଲିସ ଟିମ ହତ୍ୟାକାରୀଙ୍କ ନିକଟରେ ପହଂଚିଥିଲା । ସନ୍ଦିଗ୍ଧମାନଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଇଥିଲା । ହତ୍ୟାକାରୀମାନଙ୍କୁ ମଙ୍ଗଳବାର ଗିରଫ କରାଯାଇ ହତ୍ୟାରେ ବ୍ୟବହୃତ ପଥର, ୨ଟି ଗିଲବାଡି ଓ ୪ ଟି ମୋବାଇଲ ଫୋନ ଜବତ କରାଯାଇଥିଲା । ଆଜି ସନ୍ଧ୍ୟାରେ ହତ୍ୟାକାରୀମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କ ମଧ୍ୟରୁ ନାବାଳିକା ହତ୍ୟାକାରୀ ୨ ଜଣଙ୍କୁ ଜୁଭେନାଇଲ ହୋମକୁ ପଠାଯାଉଥିବା ଜଣାଯାଇଛି ।