Odiapua.com

ହତ୍ୟାକାରୀକୁ ପୋଲିସ ଗିରଫ କରିବା ଦାବୀରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲେ ଗ୍ରାମବାସୀ

ବଲାଙ୍ଗୀର, ୦୭-୦୯ (ଓଡ଼ିଆ ପୁଅ) ବଲାଙ୍ଗୀର ଜିଲ୍ଲାର ପୁଇଁତଲା ଥାନା ହତ୍ୟାକାଣ୍ଡକୁ ବିତିଲାଣି ୧୨ ଦିନ। ହେଲେ ପୋଲିସ ଅଭିଯୋଗ ପାଇ ସୁଦ୍ଧା ନିରବ ରହିବା ନେଇ ତୀବ୍ର ବିରୋଧ କରାଯାଇଛି। ପ୍ରକାଶ ଯେ, ହତ୍ୟାକାଣ୍ଡ ଘଟାଇ ଅଭିଯୁକ୍ତ ଖୁଲମ୍ ଖୁଲା ବୁଲୁଛି। ଠିକଣା ଢଙ୍ଗରେ ପୋଲିସ ତଦନ୍ତ କରୁ ନ ଥିବା ଅଭିଯୋଗରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସାଧାରଣ ଲୋକେ।

ଗତ ମାସ ୨୬ ତାରିଖରେ ବଲାଙ୍ଗୀର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ ଅଇଁଲାସାରି ଗ୍ରାମରେ ଘଟିଥିଲା ଏକ ହତ୍ୟାକାଣ୍ଡ। ସୂଚନା ଅନୁସାରେ ଘଟଣାର କାରଣ କେବଳ ସାମାନ୍ୟ କଥା କଟାକଟିକୁ ନେଇ ପ୍ରଥମେ ବଚସା ପରେ ତାହା ହତ୍ୟାର ରୂପ ନେଇଥିଲା। ଗ୍ରାମର ୪୫ବର୍ଷ ବୟସ୍କ ଟିହିଲୁ ଶାଣ୍ଢ ନାମକ ଜଣେ ବ୍ୟକ୍ତି ଓ ଗ୍ରାମର ଦଳିତ ସମ୍ପ୍ରଦାୟର କିଛି ଲୋକଙ୍କ ମଧ୍ୟରେ ଆଗରୁ ମଧ୍ୟ ବାରମ୍ବାର ବଚସା ଲାଗି ରହୁଥିଲା। ହେଲେ ଏଥର ଘଟଣା କିଛି ଏଭଳି ହୋଇ ଗୋଷ୍ଠୀ ସଂଘର୍ଷ ପରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ କିଛି ଜଣ ଆହତ ମଧ୍ୟ ହୋଇଥିଲେ। ତେବେ ଘଟଣାକୁ ଆଧାରକରି ପୋଲିସ ତଦନ୍ତ କରି କିଛି ଲୋକଙ୍କୁ କୋର୍ଟ ଚାଲାଣ କରିଛି। ଏବେ କିନ୍ତୁ କଥା ଅଲଗା ହୋଇଛି। ଗ୍ରାମବାସୀଙ୍କ ଅଭିଯୋଗ ହେଲା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଲୋକେ ନିର୍ଦ୍ଦୋଷ ଓ ପ୍ରକୃତ ଦୋଷୀ ଗ୍ରାମରେ ଖୁଲମ ଖୁଲା ବୁଲୁଥିବା ଭଳି ଅଭିଯୋଗ ଆଣି ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ପ୍ରକୃତ ଦୋଷୀଙ୍କୁ ଗିରଫ କରିବା ଦାବିରେ ଏକ ଲିଖିତ ଦାବିପତ୍ର ଜିଲ୍ଲାପାଳଙ୍କୁ ଦିଆଯାଇଛି। ଆଗମୀ ଦିନରେ ଯଦି ଦାବି ପୂରଣ ନହୁଏ ତେବେ ଗ୍ରାମବାସୀ ବାଧ୍ୟ ହୋଇ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।