Odiapua.com

ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ ୨୦ ହଜାର ଟଙ୍କା ଜରିମାନା

ମାଲକାନଗିରି, ୨୧/୬ (ଓଡ଼ିଆ ପୁଅ) ମାଲକାନଗିରି ଜିଲ୍ଲା ଦୌରାଜଜ୍ ଅଦାଲତରେ ଜଣେ ହତ୍ୟାଅଭିଯୁକ୍ତକୁ ଆଜି ସଶ୍ରମ ଆଜୀବନ କାରାଦଣ୍ଡ ସହିତ ୨୦ ହଜାର ଟଙ୍କା ଜରିମାନା ଆଦେଶ ଦିଆଯାଇଛି।

ମାଲକାନଗିରି ଜିଲ୍ଲା ଦୌରାଜଜ୍ ରେଖା ପ୍ରସାଦ ମାଥିଲି ଥାନା ଅଞ୍ଚଳର ହତ୍ୟାଅଭିଯୁକ୍ତ ସନିୟା ଭୂମିୟା ନାମକ ଜଣେ ବ୍ୟକ୍ତିଙ୍କ କେସ ବିଚାର କରି ମୋଟ ୨୨ ଜଣଙ୍କ ସାକ୍ଷ୍ୟ ପ୍ରମାଣ ବୟାନ ତଥା କିଛି ଦସ୍ତାବିଜକୁ ଭିତ୍ତିକରି ଆଜୀବନ କାରାଦଣ୍ଡ ସହ ୨୦ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଟଙ୍କା ଆଦାୟ ହୋଇ ନପରିଲେ ଅଧିକ ଏକ ବର୍ଷ ସଶ୍ରମ କାରଦଣ୍ଡରେ ଦଣ୍ଡିତ ହେବେ ବୋଲି ରାୟ ଶୁଣାଇଛନ୍ତି। ସୂଚନାଯୋଗ୍ୟ ଯେ, ଜମିଜମାକୁ କେନ୍ଦ୍ର କରି ମାଥିଲି ଥାନାସ୍ଥ ବଡ଼ମୁଣ୍ଡା ଗୁଡା ଗ୍ରାମରେ ସନିୟା ଭୂମିୟାଙ୍କ ସହିତ ଲଇଖନ ଭୂମିୟାଙ୍କ ବିବାଦ ଲାଗିଥିଲା। ଗତ ୨୦୧୯ ମସିହା ଜୁଲାଇ ମାସରେ ସନିୟା ଭୂମିୟା ମୋଟର ସାଇକେଲରେ ଯାଉଥିବା ବେଳେ ତାଙ୍କ ମୁଣ୍ଡକୁ ଲଇଖନ ଭୂମିୟା ଏକ କୋଡ଼ିରେ ଶକ୍ତ ପ୍ରହାର କରିବାରୁ ରକ୍ତ ଜୁଡୁବୁଡୁ ହୋଇ ସେଠରେ ପଡି ରହିଥିବା ସନିୟାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ତେବେ ଚିକିତ୍ସା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ସମ୍ପର୍କରେ ପରିବାର ଲୋକେ ମାଥିଲି ଥାନାରେ ଏତଲା ଦେଇଥିଲେ। ପୁଲିସ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ସେହି କେସ ଫାଇନାଲ ଜଜମେଣ୍ଟ ଆଜି ଥିଲା। ଏହି କେସଟିକୁ ସରକାରି ଓକିଲ ମହେନ୍ଦ୍ର କୁମାର ନାଗ ପରିଚାଳନା କରୁଥିଲେ।