Odiapua.com

ହତାଶ କ୍ୟାଡରଙ୍କୁ ଉତ୍ସାହିତ ପାଇଁ ବିଜେପିର କାର୍ଯ୍ୟକାରିଣୀ ବୈଠକ : ବିଜେଡି

– ବାରମ୍ବାର ନିର୍ବାଚନରେ ହାରି କର୍ମୀଙ୍କ ମନୋବଳ ଦୁର୍ବଳ
– ୫ କିଲୋ ଚାଉଳ ବନ୍ଦ ନେଇ ଓଡିଶାବାସୀଙ୍କୁ ସତ କହୁ ବିଜେପି
– ଗୃହ ନିର୍ମାଣ ବନ୍ଦ ଷଡଯନ୍ତ୍ର ଯୋଗୁଁ ଓଡିଶାବାସୀଙ୍କୁ ମୁହଁ ଦେଖାଇ ପାରୁନି ବିଜେପି

ଭୁବନେଶ୍ୱର, ୨୨/୦୧ (ଓଡ଼ିଆ ପୁଅ) : ସମସ୍ତ ୩୦ଟି ଜିଲ୍ଲା ପରିଷଦରେ ହାରିଯିବା ପରେ ଓଡିଶା ବିଜେପି ହତାଶ ହୋଇପଡିଥିବା ନିଜର କ୍ୟାଡରକୁ ଉତ୍ସାହିତ କରିବାକୁ ଚେଷ୍ଟା କରୁଛି ଏବଂ ଆଜିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଏ ଦିଗରେ ଆଉ ଏକ ଦୁର୍ବଳ ପ୍ରୟାସ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀ ଲେନିନ ମହାନ୍ତି।

ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଉପରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ମହାନ୍ତି କହିଛନ୍ତି ଯେ ବିଜେପି ସର୍ବାଧିକ ପରିମାଣରେ ମିଥ୍ୟା ପ୍ରଚାର କରୁଛି ଏବଂ ଲୋକଙ୍କ ପ୍ରସଙ୍ଗ ଉଠାଉ ନାହିଁ ଯେଉଁଥିପାଇଁ ଓଡ଼ିଶାବାସୀ ସେମାନଙ୍କୁ ବାରମ୍ବାର ପ୍ରତ୍ୟାଖ୍ୟାନ କରୁଛନ୍ତି।

ଲୋକସଭାରେ ଥିବା ବିଜେପିର ୮ ଜଣ ସାଂସଦ ଷଡଯନ୍ତ୍ର କରି ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଓଡିଶାର ଗରିବ ଲୋକ ପାଇବାକୁ ଥିବା ଘରକୁ ବନ୍ଦ କରିଥିଲେ ଏବଂ ବିଜେଡିର ଚାପ ଯୋଗୁଁ ଏହା ମିଳିଲା ପରେ ଓଡିଶା ବିଜେପିର ଆଉ ଲୋକଙ୍କ ପାଖକୁ ଯିବାକୁ ମୁହଁ ନାହିଁ। ଯଦି ରାଜ୍ୟ ବିଜେପିର ସତସାହାସ ଅଛି ତେବେ ଓଡିଶାର ୩.୨୫ କୋଟି ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ମାଗଣା ୫ କିଲୋଗ୍ରାମ ଚାଉଳ ବନ୍ଦ ହେବା ବିଷୟରେ ରାଜ୍ୟବାସୀଙ୍କୁ ସତ କହିବା ଉଚିତ।

ଓଡିଶା ବିଜେପି ଲୋକଙ୍କ ପ୍ରସଙ୍ଗ ଗ୍ରହଣ କରୁନାହିଁ ଯେଉଁଥି ପାଇଁ ଓଡିଶାବାସୀ ଏହାକୁ ଗୁରୁତ୍ୱର ସହ ନେଉନାହାଁନ୍ତି ଏବଂ ବାରମ୍ବାର ପ୍ରତ୍ୟାଖ୍ୟାନ କରିଆସୁଛନ୍ତି। ଓଡିଶା ବିଜେପିର ଆଜିର ବୈଠକ ସେମାନଙ୍କର ହତାଶ ଏବଂ ନିରାଶ ହୋଇଥିବା ଦଳୀୟ କ୍ୟାଡରଙ୍କୁ ଉତ୍ସାହିତ କରିବାକୁ ଚେଷ୍ଟା କରିବାର ଆଉ ଏକ ଦୁର୍ବଳ ପ୍ରୟାସ ଯାହା ଦୁର୍ଭାଗ୍ୟଜନକ ଭାବରେ ପୁଣିଥରେ ବିଫଳ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।