Odiapua.com

ହତାଶ କର୍ମୀଙ୍କ ମନୋବଳ ବଢାଇବାକୁ ବିଜେପିର ମନଗଢା ବିବୃତ୍ତି: ବିଜେଡି

ଭୁବନେଶ୍ୱର, ୨୮/୦୬ (ଓଡ଼ିଆ ପୁଅ): ନିକଟରେ ଅନୁଷ୍ଠିତ ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପିର ଶୋଚନୀୟ ପରାଜୟ ଏବଂ କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ଅନ୍ୟାନ୍ୟ ରାଜ୍ୟରେ ସେମାନଙ୍କର ସାଂଗଠନିକ ସମସ୍ୟା ପରେ, ଓଡିଶାର ବିଜେପି ନେତା ଏବଂ କ୍ୟାଡରମାନେ ଅତ୍ୟଧିକ ହତାଶ ଓ ଲକ୍ଷ୍ୟହୀନ ହୋଇପଡିଛନ୍ତି। ତେଣୁ ଏଭଳି ହତାଶ ନେତା ଓ କର୍ମୀଙ୍କ ମନୋବଳ ବଢାଇବାପାଇଁ ବିଜେପି ତାହାର କାର୍ଯ୍ୟକାରିଣୀ ବୈଠକରେ ମନଗଢା ବିବୃତ୍ତିମାନ ଦେଉଥିବା କହିଛନ୍ତି ବିଜେଡି ମୁଖପାତ୍ର ଏଲିନା ଦାସ।

ବିଜେପି ବିବୃତ୍ତିର ଜବାବ ଦେଇ ଶ୍ରୀମତୀ ଦାସ କହିଛନ୍ତି ଯେ ଓଡିଶାରେ ଅତ୍ୟନ୍ତ ହତାଶ ଅବସ୍ଥାରେ ଥିବା ବିଜେପି କ୍ୟାଡରମାନଙ୍କର ମନୋବଳ ବୃଦ୍ଧିପାଇଁ ଏହି କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଠାରେ କି ମିଥ୍ୟା ବିବୃତ୍ତିମାନ ଦିଆଯାଇଛି।

ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହରିୟାଣା ଆଦି ବିଜେପି ଶାସିତ ରାଜ୍ୟ ତୁଳନାରେ ଓଡ଼ିଶା ଅତି ସଫଳତାର ସହ କୋଭିଡ ସ୍ଥିତିକୁ ମୁକାବିଲା କରିଛି। ଗ୍ରାମୀଣ ଗୃହ ନିର୍ମାଣ, ଏମଏନ୍ଆରଇଜିଏ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ କେନ୍ଦ୍ର ସରକାର ଓଡିଶାକୁ ମଧ୍ୟ ପୁରସ୍କୃତ କରିଛନ୍ତି। ଏଥିରୁ ଜଣାପଡୁଛି ଯେ ଓଡିଶାର ବିଜେପି ନେତାମାନେ ଏ ବିଷୟରେ ଆଦୌ ଅବଗତ ନାହାଁନ୍ତି।

ବିଜେପିର ବିବୃତ୍ତିରୁ ଜଣାପଡୁଛି ଯେ ଏହି ଦଳର ନେତାମାନେ କୋଭିଡ ଉପରେ ଜଣେ ଜଣେ ଆତ୍ମ ଘୋଷିତ ବିଶେଷଜ୍ଞ ପାଲଟି ଯାଇଛନ୍ତି। ତେଣୁ ପ୍ରଭାବଶାଳୀ ଢଙ୍ଗରେ କୋଭିଡ ପରିଚାଳନା ହୋଇପାରୁନଥିବା ବିଜେପି ଶାସିତ ରାଜ୍ୟ ଉତ୍ତରପ୍ରଦେଶ, ହରିୟାଣା, ବିହାର, ଉତ୍ତରାଖଣ୍ଡ ଆଦିରେ ସେମାନଙ୍କୁ ପରାମର୍ଶଦାତା ଭାବରେ ନିଯୁକ୍ତ କରାଯିବା ଉଚିତ। ବାସ୍ତବରେ, ସେମାନଙ୍କୁ କେନ୍ଦ୍ର ସରକାରଙ୍କ କୋଭିଡ ପରାମର୍ଶଦାତା ଭାବରେ ନିଯୁକ୍ତ କରାଯିବା ଉଚିତ ଯାହା ଦ୍ୱାରା ସେମାନେ ଅଧିକ ପ୍ରଭାବଶାଳୀ ଢଙ୍ଗରେ କୋଭିଡ ପରିଚାଳନା ନେଇ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇ ପାରିବେ ବୋଲି ବିଜେଡି ମୁଖପାତ୍ର ଶ୍ରୀମତୀ ଦାସ କହିଛନ୍ତି।