Odiapua.com

ହଜି ଯିବାକୁ ବସିଛି ସୁରୁକାବାଡି ବନ୍ଧ ସତ୍ତା

ନୟାଗଡ଼ ୧୨/୦୩ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ଼ ଜିଲ୍ଲା ରଣପୁର କ୍ଷୁଦ୍ର ଜଳସେଚନ ବିଭାଗର ଅନେକ ପ୍ରକଳ୍ପ ଦେଖାଚାହାଁ ଓ ରକ୍ଷଣା ବେକ୍ଷଣ ଅଭାବରୁ ଲୋପ ହେବାକୁ ବସିଛି। ସେଭଳି ଏକ ବନ୍ଧ ହେଉଛି ରଣପୁର ବ୍ଲକ ବଳଭଦ୍ରପୁର ଗ୍ରାମପଞ୍ଚାୟତ ସୁରୁକାବାଡି ବନ୍ଧ। ଡୁବୁରିଗଡ ଗ୍ରାମ ନିକଟରେ ଏହି ବନ୍ଧ। ଏହି ବନ୍ଧ ଦ୍ୱାରା ସୁରୁକାବାଡି, ଡୁବୁରିଗଡ, ଗାଁ ବାଣିକିଲୋ, ନୂଆନନ୍ଦପୁର ଓ ନନ୍ଦପୁର ର ବହୁଚାଷି ଉପକୃତ ହୋଇଥାନ୍ତି। ୧୯୮୨ ମସିହାରେ ରଣପୁର କ୍ଷୁଦ୍ର ଜଳସେଚନ ବିଭାଗର ଭେଟବର ବନ୍ଧ ନିର୍ମାଣ ହୋଇଥିଲା। ଭେଟବର ବନ୍ଧର ବାମପଟ କେନାଲ ରୁ ବଳକା ଜଳ ଏହି ସୁରୁକାବାଡି ବନ୍ଧ ରେ ସଂରକ୍ଷଣ କରି ରଖାଯିବା ଉଦ୍ଦେଶ୍ୟରେ ବନ୍ଧ ନିର୍ମାଣ ହୋଇଥିଲା। ସୁରୁକାବାଡି ବନ୍ଧର ବଳକା ଜଳ ନିଷ୍କାସନ ପାଇଁ ଏକ ସୁଇଚ୍ ଗେଟ୍ ମଧ୍ୟ ନିର୍ମାଣ ହୋଇଥିଲା।

ବନ୍ଧ ପୋତି ହେବା ସଙ୍ଗେ ସଙ୍ଗେ ରକ୍ଷଣାବେକ୍ଷଣ ଅଭାବରୁ ସୁଇଚ୍ ଗେଟ୍ ଟି ମଧ୍ୟ ଅକାମି ହୋଇପଡିଛି। ଏସର୍ମ୍ପକେ ରଣପୁର କ୍ଷୁଦ୍ର ଜଳସେଚନ ବିଭାଗ ଅଧିଖଣ୍ଡ ଯନ୍ତ୍ରୀ କ୍ଷିତିଶ୍ କୁମାର ତ୍ରିପାଠୀ ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ସୁରୁକା ବାଡି ବନ୍ଧ ଆମ୍ଭ ବୁକ୍‌ଲେଟ୍ ରେ ନାହିଁ। ସେହି ବନ୍ଧର ପୁର୍ନଉଦ୍ଧାର ପାଇଁ ନୟାଗଡ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଙ୍କ ସଙ୍ଗେ ଯୋଗାଯୋଗ କରିବାକୁ ପଡିବ। ନୟାଗଡ କ୍ଷୁଦ୍ର ଜଳସେଚନ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବିଷ୍ଣୁପଦ ପଟ୍ଟାୟତଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଭେଟବର ବନ୍ଧର ବଳକା ଜଳ ସଂରକ୍ଷଣ ପାଇଁ ଯଦି ଏଭଳି ସୁରୁକାବାଡି ବନ୍ଧ ରହିଅଛି ତାହା ସ୍ୱାଗତ ଯୋଗ୍ୟ। କିନ୍ତୁ ସେ ଖବର ମୋ ପାଖରେ ନଥିଲା। କେନ୍ଦ୍ର ସରକାରଙ୍କ ଟ୍ରିପୁଲ୍ ଆର୍ ଯୋଜନାରେ ସୁରୁକାବାଡି ବନ୍ଧ ସାମିଲ୍ କରାଯାଇ ଉନ୍ନତି କରଣ ଓ ରକ୍ଷଣାବେକ୍ଷଣ କରାଯାଇ ପାରିବ। ମୁଁ ନିଶ୍ଚିତ ଭାବରେ ସୁରୁକାବାଡି ବନ୍ଧ ର ଉନ୍ନତି ପାଇଁ ପଦକ୍ଷେପ ନେବି।