Odiapua.com

ହଜିଯାଇଛି ମାନବିକତା, ମରିଯାଇଛି ମଣିଷ ପଣିଆ : ୮୦ ବର୍ଷ ବୟଷରେ ବାପକୁ ଘରୁ ବାହର କରିଦେଲେ ପୁଅ ଓ ବୋହୂ

ଚାନ୍ଦବାଲି, ୧୭l୧୦(ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) : ହଜିଯାଇଛି ମାନବିକତା ଓ ମରିଯାଇଛି ମଣିଷ ପଣିଆ। ସମ୍ପତି ଲୋଭରେ ମଣିଷ ଏତେ ତଳକୁଖସିଯାଉଛି ଯେ, ସତେ ଯେମିତି ସମାଜର ସବୁ ବନ୍ଧନ ତା ପାଇଁ ତୁଛ ହେଉଛି। ନିଜର ଜନ୍ମଦାତାଙ୍କୁ ମଧ୍ୟ ସେ ପରକରି ଦେଇଛନ୍ତି। ଏମିତି ହୃଦୟ ବିଦାରକ ଦୃଶ୍ୟ ଆମ କ୍ୟାମରାରେ କଏଦ ହୋଇଛି। ଜଣେ ବୃଦ୍ଧଙ୍କର ଆଖିକୁ ଦେଖାଯାଉନି କି ସେ ଠିକ୍‌ରେ ସଳଖି ଚାଲିପାରୁ ନାହାନ୍ତି। ଦୁଇ ଦିନ ହେଲା ଭୋକିଲା ପେଟକୁ ଦାନା ମୁଠାଏ ବି ଯାଇ ନାହିଁ। ବୃଦ୍ଧଙ୍କର ପରିବାର ରହିଛି, ଘର ମଧ୍ୟ ରହିଛି, ହେଲେ ପରିଣତ ବୟସରେ ତାଙ୍କୁ ଘରୁ ବାହାର କରିଦେଇଛନ୍ତି ପୁଅ ଓ ବୋହୁ। କିଛି ଦିନ ହେବ ବୃଦ୍ଧଜଣକ ଏଣେତେଣେ ବୁଲିବା ପରେ କିଛି ସ୍ଥାନୀୟ ଯୁବକଙ୍କ ଦ୍ୱାରା ବସ୍ତିର ଏକ କମୁନିଟି ସେଂଟରରେ ଆଶ୍ରୟ ନେଇଛନ୍ତି। ଏଭଳି ଲଜ୍ଜା ଓ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ଚାନ୍ଦବାଲି (ଏନଏ ସି) ଅନ୍ତର୍ଗତ ବିନିତରା ବସ୍ତିରେ। ଏହି ବସ୍ତିରେ ସେକ ଅବଦୁଲଙ୍କ ଘର। ବୃଦ୍ଧଙ୍କର ଗୋଟିଏ ପୁଅ, ବୋହୁ, ନାତି ନାତୁଣି ଅଛନ୍ତି। ତାଙ୍କର ଘର, ଜମିବାଡ଼ି ମଧ୍ୟ ରହିଛି। ହେଲେ ତାଙ୍କର ପୁଅ ଓ ବୋହୂ ବୃଦ୍ଧଙ୍କୁ ଘରୁ ବାହାର କରିଦେଇଛନ୍ତି। ଏପରିକି ପୂର୍ବରୁ ବୃଦ୍ଧ ଜଣକ ଗାଁର ବହୁ ଲୋକଙ୍କୁ ଗୁହାରୀ କରିଛନ୍ତି, ହେଲେ ତାଙ୍କ କଥା କେହି ଶୁଣି ନାହାଁନ୍ତି। ଶେଷରେ ବୃଦ୍ଧ ଜଣକ ନିରୁପାୟ ହୋଇ ଗାଁ ମଧ୍ୟରେ ଏକ କମ୍ୟୁନିଟି ଘରେ ଆଶ୍ରୟ ନେଇଛନ୍ତି। ଆଇନରେ କଡାକଡି ନିୟମ ରହିଛି, ମାତ୍ର ବରିଷ୍ଠ ନାଗରିକ ଭାବେ ୬୦ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ଯଦି ପରିବାର ଲୋକ ଏହିଭଳି ନିର୍ଯାତନା ଦିଅନ୍ତି, ତେବେ ଏହା ଏକ ଦଣ୍ଡନୀୟ ଅପରାଧ। ଏଭଳି ଘଟଣା ବାରମ୍ବାର ଲୋକଲୋଚନକୁ ଆସୁଛି, ହେଲେ ଏହା କମିବା ବଦଳରେ ବଢ଼ିବାରେ ଲାଗିଛି। ଏହା ସଚେତନତାର ଅଭାବ ନାଁ ଆଇନ୍‌ର ଗଳାବାଟ ପାଇଁ ବୃଦ୍ଧି ପାଉଛି। ଏଭଳି କ୍ଷେତ୍ରରେ ଆତ୍ମଚିନ୍ତନର ଆବଶ୍ୟକତା ରହିଛି।