Odiapua.com

ହଜାର ହଜାର ଛାତ୍ରଛାତ୍ରୀଙ୍କୁ ବଦନାମ କରୁଛି ବିଜେପି : ବିଜେଡି

ଭୁବନେଶ୍ୱର, ୨୧/୧୦ (ଓଡ଼ିଆ ପୁଅ) : କାହିଁକି ଓଡିଶା ବିଜେପି ହଜାର ହଜାର ଛାତ୍ରଛାତ୍ରୀଙ୍କୁ ବଦନାମ କରୁଛି? ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ପ୍ରଶ୍ନ ପଚାରିଛନ୍ତି ବିଜେଡି ପ୍ରବକ୍ତା ସୁଶ୍ରୀ ଇପ୍ସିତା ସାହୁ। ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ସୁଶ୍ରୀ ସାହୁ କହିଛନ୍ତି ଏହା ଅତି ଆଶ୍ଚର୍ଯ୍ୟଜନକ ଏବଂ ଦୁର୍ଭାଗ୍ୟଜନକ ଯେ ବିଜେପି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର ଏବଂ ଓଡିଶା ବିଜେପି ମିଥ୍ୟା ଓ ଭିତ୍ତିହୀନ ବିବୃତ୍ତି ଦେଇ ସମସ୍ତ ଶିକ୍ଷାନୁଷ୍ଠାନକୁ ବଦନାମ କରୁଛନ୍ତି, ଯେଉଁଠାରେ ବହୁ ସଂଖ୍ୟାରେ ଝିଅମାନେ ପାଠ ପଢୁଛନ୍ତି।

ଏହି ଅନୁଷ୍ଠାନରେ ପଢୁଥିବା ଶହ ଶହ ଛାତ୍ରଛାତ୍ରୀ ଏବଂ ଗତ ଦଶ ବର୍ଷ ମଧ୍ୟରେ ଏଠାରୁ ସ୍ନାତକ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଓଡିଶା ବିଜେପି କାହିଁକି ମିଥ୍ୟା ଓ ଭିତ୍ତିହୀନ ବିବୃତ୍ତି ଦେଇ ବଦନାମ କରୁଛି ? ଓଡିଶା ବିଜେପି ଦ୍ୱାରା କରାଯାଉଥିବା ବଦନାମକୁ ଏହି ଅନୁଷ୍ଠାନରେ ପଢୁଥିବା ପିଲାମାନଙ୍କର ପିତାମାତା କଦାପି ବରଦାସ୍ତ କରିବେ ନାହିଁ ଏବଂ ଏହାର ଠିକଣା ଉତ୍ତର ଦେବେ। ନିରୀହ ପିଲାମାନଙ୍କ ଜୀବନକୁ ନେଇ ଏଭଳି ଶସ୍ତା ରାଜନୀତି କରିଥିବାରୁ ଓଡ଼ିଶା ବିଜେପି ଲଜ୍ଜିତ ହେବା ଉଚିତ।

ଏହି ଅନୁଷ୍ଠାନର ପରିଚାଳନା ବୋର୍ଡରେ ସ୍ଥାନୀୟ ସାଂସଦ ମଧ୍ୟ ପ୍ରତିନିଧି ଅଛନ୍ତି। ଓଡିଶା ବିଜେପି କ’ଣ କହିବ କି ଏହି ଅପରାଧରେ ସେ ମଧ୍ୟ ସମ୍ପୃକ୍ତ ରହିଛନ୍ତି? ଏହା ଜଣେ ବ୍ୟକ୍ତିଙ୍କ ଦ୍ୱାରା କରାଯାଇଛି, ଅନୁଷ୍ଠାନ ସହିତ ଅନ୍ୟମାନେ କିପରି ଜଡିତ ହେବେ ବୋଲି ସୁଶ୍ରୀ ସାହୁ ପ୍ରଶ୍ନ କରିଛନ୍ତି। ଓଡିଶା ବିଜେପି ମନ୍ତ୍ରୀଙ୍କ ସମ୍ପୃକ୍ତି ବିଷୟରେ ବାରମ୍ବାର କହୁଛି। ଯଦି ଏହାର କୌଣସି ପ୍ରମାଣ ଅଛି, ତେବେ ତାକୁ କୋର୍ଟରେ ଦିଅନ୍ତୁ ବୋଲି ବିଜେଡି ପ୍ରବକ୍ତା କହିଛନ୍ତି।

ଓଡ଼ିଶା ବିଜେପି କୁମ୍ଭୀର କାନ୍ଦଣା କାନ୍ଦିବା ଏବଂ ଦୋମୁହାଁ ନୀତି ଆପଣେଇବାରେ ଧୂରନ୍ଧର। ସେମାନେ ଦାବି କରିଥିଲେ ଯେ ଶ୍ରୀ ଜୟରାମ ପାଙ୍ଗି ଟିକିରି ଶିକ୍ଷୟତ୍ରୀ ମୃତ୍ୟୁ ଘଟଣାରେ ଜଡିତ ଅଛନ୍ତି। କିନ୍ତୁ ୨୦୧୯ ରେ ଶ୍ରୀ ପାଙ୍ଗିଙ୍କୁ କୋରାପୁଟ ଲୋକସଭା ଆସନରୁ ଲଢିବାପାଇଁ ବିଜେପି ଟିକଟ ଦେଇଥିଲା। ଶସ୍ତା ରାଜନୀତି କରିବାରେ ଓଡିଶା ବିଜେପିର ଅଭ୍ୟାସ ସଂକ୍ରାନ୍ତରେ ରାଜ୍ୟବାସୀ ଭଲଭାବେ ଜାଣିଛନ୍ତି ଏବଂ ମହିଳାଙ୍କ ପ୍ରତି ଏପରି ସମ୍ବେଦନଶୀଳ ଅପରାଧକୁ ରାଜନୀତିକରଣ କରିଥିବାରୁ ସେମାନେ ବିଜେପିକୁ କେବେହେଲେ କ୍ଷମା କରିବେ ନାହିଁ ବୋଲି ବିଜେଡି ମୁଖପାତ୍ର ସୁଶ୍ରୀ ସାହୁ କହିଛନ୍ତି।