Odiapua.com

ହଜରତ ସରକାର ବାବାଙ୍କ ୧୦ମ ବାର୍ଷିକୀ ଫତେହ୍ ଉତ୍ସବ ପାଳନ ପ୍ରସ୍ତୁତି ବୈଠକ

ଭଦ୍ରକ, ୧୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାର ନଗର, ଭଦ୍ରକରେ ଅବସ୍ଥିତ ଖାନ୍‌କା ସରିଫ୍‌ରେ ହଜରତ ସରକାର ବାବାଙ୍କ ୧୦ମ ବାର୍ଷିକୀ ଫାତେହ ଉତ୍ସବ ପାଳନ ଉପଲକ୍ଷେ ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଦିଲୀପ୍ ରାଉତରାଏଙ୍କ ଅଧ୍ୟକ୍ଷତାରେ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ଏସ୍‌.ପି. ବରୁଣ୍ ଗୁଂଟୁପାଲି, ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ଉପଜିଲ୍ଲାପାଳ ମନୋଜ ପାତ୍ର, ଡେପୁଟୀ କଲେକ୍ଟର କାର୍ତିକ ନାଥ ମଣ୍ଡଳ, ଡାକ୍ତର ସୁଧୀର ରଞ୍ଜନ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଚଳିତ ସେପ୍ଟେମ୍ବର ମାସ ୨୩ ଓ୨୪ ତାରିଖ ଦୁଇଦିନ ଧରି ପାଳିତ ହେବାକୁ ଥିବା ଏହି ଉତ୍ସବର ଆୟୋଜନ ନେଇ ଗୁଲସାନ୍‌-ଇ-ଘଉସ୍ପାକ୍ ଟ୍ରଷ୍ଟର ସଭାପତି ସେକ୍ ମୋହି ଉଦ୍ଦିନ୍ ଉତ୍ସବ ଆୟୋଜନର କାର୍ଯ୍ୟସୂଚୀ ସମ୍ବନ୍ଧରେ ବୈଠକରେ ଉପସ୍ଥାପନ କରିଥିଲେ। ପ୍ରଦତ୍ତ ସୂଚନା ଅନୁଯାୟୀ ୨୩ ତାରିଖ ସୋମବାର ଦିନ ଅପରାହ୍ନ ୪ଟାରୁ ରାତ୍ର ୧୧ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନଙ୍କ ଠାରୁ ଭୋଗଲାଗି ପାଇଁ ଫଳ ଗ୍ରହଣ କରାଯିବ। ରାତ୍ର ୧୧ଟାରୁ ଭୋର୍ ୪ଟା ପର୍ଯ୍ୟନ୍ତ ଫଳ କଟାଯିବ। ୨୪ ତାରିଖ ମଙ୍ଗଳବାର ଦିନ ଭୋର ୪ଟା ରୁ ସକାଳ ୮ଟା ପର୍ଯ୍ୟନ୍ତ କୋରାନ ପାଠ ସହ ଫତେହ ପାଳନ କରାଯାଇ ୮ଟାରୁ ମଧ୍ୟାହ୍ନ ୧୨ଟା ଯାଏଁ ଫଳ ଭୋଗ ବିତରଣ କରାଯିବ। ମଧ୍ୟାହ୍ନ ୧୨ଟାରୁ ମଧ୍ୟରାତ୍ର ୧୨ଟା ପର୍ଯ୍ୟନ୍ତ ବଡ଼ ସରକାର ବାବା ଏବଂ ଛୋଟ ସରକାର ବାବାଙ୍କ ଚଦର ଚଢ଼ା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଖାନକା ସରିଫ୍ ହତା ମଧ୍ୟରେ ଏହି ଉତ୍ସବ ଆୟୋଜିତ ହୋଇଥାଏ। ଖାନ୍‌କା ସରିଫ୍ ବାହାରେ ଆବସ୍ଥିତ କାଦ୍ରୀ ବିରାଦରାନ ଅନୁଷ୍ଠାନ ଦ୍ୱାରା ହଜରତ୍ ବଡ଼ ସରକାର ବାବାଙ୍କ ଦଶମ ବାର୍ଷିକୀ ଉତ୍ସବ ପାଳନ ଅବସରରେ ୨ ଦିନ ଧରି ଲଙ୍ଗର ଓ ସର୍ବ ଭାରତୀୟ ମୁଶାଏରା ଆୟୋଜନ କରାଯିବ ବୋଲି କମିଟିର ସଭାପତି ସେକ୍ ହବିବୁଲ୍ଲା ଓ ସମ୍ପାଦକ ଅଖତର ଅଲ୍ଲୀ ଖାଁ ବୈଠକରେ ପ୍ରକାଶ କରିଥିଲେ। ରାତ୍ର ୧୨ ଘଟିକାରୁ ବହିରାଗତ ଅତିଥିମାନଙ୍କ ପ୍ରତ୍ୟାଗମନ ଆରମ୍ଭ ହେବ। ଏହି ଉତ୍ସବ ପାଳନ ନେଇ ସମସ୍ତ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାର ସହିତ ସମାପନ କରିବାକୁ ଆବଶ୍ୟକ ସମସ୍ତ ପ୍ରକାର ପ୍ରଶାସନିକ ସହଯୋଗ ଯୋଗାଇ ଦିଆଯିବା ନେଇ ଜିଲ୍ଲାପାଳ ଓ ଏସ୍‌.ପି. ପ୍ରକାଶ କରିଥିଲେ। ବିଶେଷ କରି ବୃହତ୍ ଜନସମାବେଶ ହେବାକୁ ଥିବାରୁ ଗହଳି ନିୟନ୍ତ୍ରଣ, ଟ୍ରାଫିକ୍ ପରିଚାଳନା, ସଫେଇ, ଶୌଚାଳୟ, ପାନୀୟଜଳ, ଆମ୍ବୁଲାନ୍‌ସ, ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର, ଖାଦ୍ୟ ନିରାପତ୍ତା ଓ ଅବକାରୀ ଧରପଗଡ଼ ଆଦି ଆବଶ୍ୟକ ଅନୁଯାୟୀ ସମସ୍ତ କାର୍ଯ୍ୟ ପାଇଁ ପଦେକ୍ଷପ ଗ୍ରହଣ କରିବାକୁ ଜିଲ୍ଲାପାଳ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ବସ୍ ଯୋଗେ ବାହାରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମାନଙ୍କ ଆଗମନ ଓ ପ୍ରତ୍ୟାଗମନ ଥିବା ଯୋଗୁଁ ଷ୍ଟେସନ ଓ ବନ୍ତଛକ ଠାରେ ପୋଲିସ୍ ପେଟ୍ରୋଲିଂ ସହ ଆନୁସଙ୍ଗିକ ସୁବିଧା ପାଇଁ ପ୍ରସ୍ତାବ ପ୍ରଦାନ କରାଯାଇଥିଲା। ଚଦର ଶୋଭାଯାତ୍ରା, ବହୁଳ୍ ସଂଖ୍ୟାର ଶ୍ରଦ୍ଧାଳୁଙ୍କ ଆଗମନ, ଯାନବାହାନ ଯୋଗୁଁ ବିଶେଷ କରି ଟ୍ରାଫିକ୍ ନିୟନ୍ତ୍ରଣ ଭାରୀଯାନ ଚଳାଚଳ ବନ୍ଦ କରାଯିବା, ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଆବଶ୍ୟକ ପୋଲିସ୍ ମୂତୟନ, ଆର.ଏମ୍‌.ସି. ଗ୍ରାଉଣ୍ଡରେ ଯାନ ବାହନ ପାର୍କିଂ ଆଦି ସମ୍ବନ୍ଧରେ ଏସ୍‌.ପି. ସବିଶେଷ ସୂଚନା ପ୍ରଦାନ କରିଥିଲେ। ହିନ୍ଦୁ ସୁରକ୍ଷା ସମିତିର ସଭାପତି ବିଦ୍ୟାଧର ସାହୁ, ଶାନ୍ତି କମିଟିର ସଦସ୍ୟ ସାମ୍ବାଦିକ ଅତିସ୍ କୁମାର ବେହେରା, ସୁଧାକର ରାଉତ, ଗୌରାଙ୍ଗ ପଣ୍ଡା, ମୁସଲିମ୍ ଜମାତ୍‌ର ସମ୍ପାଦକ ହାଜି ଅବଦୁଲ ମୋକିତ ଖାଁ ପ୍ରମୁଖ ଏହି ପର୍ବ ପାଳନ କିପରି ଭାଇଚାରା ସଦ୍‌ଭାବ ଓ ଶାନ୍ତିଶୃଙ୍ଖଳାର ଗୁରୁତ୍ୱ ବହନ କରେ ଓ ଏହି ପର୍ବ ପାଳନରେ ପାରସ୍ପରିକ ସହଯୋଗ ସମ୍ବନ୍ଧରେ ବୈଠକରେ ପ୍ରକାଶ କରିଥିଲେ।