Odiapua.com

ହଜରତ ମୁଜାହିଦ-ଏ-ମିଲ୍ଲତ ଙ୍କ ୪୫ ତମ ଉର୍ସ ଉତ୍ସବ ନିମନ୍ତେ ଶାନ୍ତି କମିଟି ବୈଠକ

ଭଦ୍ରକ, ୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଠାରେ ପୀରବାବା ହଜରତ ମୁଜାହିଦ-ଏ-ମିଲ୍ଲତଙ୍କ ୪୫ ତମ ବାର୍ଷିକ ଉର୍ସ ଉତ୍ସବ ଚଳିତ ନଭେମ୍ବର ୮ ଏବଂ ୯ ତାରିଖ ଦୁଇ ଦିନ ଧରି ପାଳନ କରାଯିବ।ସେ ନେଇ ଧାମନଗର ପଂଚାୟତ ସମିତି ସଭାଗୃହ ରେ ଶାନ୍ତି କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଶାନ୍ତି କମିଟିର ଆବାହକ ତଥା ଧାମନଗର ତହସିଲଦାର ଦୀପକ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଭଦ୍ରକ ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ,ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବାସୁଦେବ ସ୍ୱାଇଁ,ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଟୁନିବାଳା ବିଶ୍ୱାଳ,ଏନଏସି ଅଧ୍ୟକ୍ଷା ନିବେଦିତା ଜେନା,ଏସଡିପିଓ ତ୍ରିଲୋଚନ ସେଠୀ,ଆଇଆଇସି ଫନୀନ୍ଦ୍ର ଭୂଷଣ ନାୟକ,ସାଂସଦଙ୍କ ପ୍ରତିନିଧି ସରୋଜ କୁମାର ମହାପାତ୍ର ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ଉକ୍ତ ବୈଠକରେ ଆଇନ ଶୃଙ୍ଖଳା,ବିଦ୍ୟୁତ ସରବରାହ,ସ୍ୱାସ୍ଥ୍ୟ ସେବା,ପାନୀୟଜଳ ଯୋଗାଣ,ପରିମଳ ବ୍ୟବସ୍ଥା,ଟ୍ରାଫିକ ସମସ୍ୟା,ବିଭିନ୍ନ ରାସ୍ତା ଛକ ଆଲୋକୀକରଣ,ଡ୍ରୋନ କ୍ୟାମେରା,ଅସ୍ଥାୟୀ ପାଇଖାନା ସମ୍ପର୍କରେ ଆଲୋଚନା କରାଯାଇଥିଲା।ଏହି ବୈଠକରେ ଶାନ୍ତି କମିଟିର ସଦସ୍ୟ, ସମେତ ଏନଏସି ନିର୍ବାହୀ ଅଧିକାରୀ,ବିଦ୍ୟୁତ ବିଭାଗ,ପୂର୍ତ ବିଭାଗ,ଜନ ସ୍ୱାସ୍ଥ୍ୟ ବିଭାଗ,ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।