Odiapua.com

ହଜରତ୍ କାଲୁ ଶାହ ବାବା ଏବଂ ମୌଲାନା ମହମ୍ମଦ ସାଦିକ ଅଲୀ ବାବାଙ୍କ ବାର୍ଷିକ ଉତ୍ସବ

ଭଦ୍ରକ, ୨୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୁରୁଣାବଜାରଥାନା ସ୍ଥିତ ମୋଲ୍ଲାସାହିରେ ଗତକାଲି ହଜରତ କାଲୁ ଶାହ ବାବା ଏବଂ ମୌଲାନା ମହମ୍ମଦ ସାଦିକ ଅଲି ବାବାଙ୍କ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଅଛି । ଏହି ବାର୍ଷିକ ଉତ୍ସବରେ ସକାଳ ନମାଯ ପାଠ ସାରି ଗୋସଲ ଖାନୀ (ସ୍ନାନ) ଏବଂ ପରେ ଚାଦର ଚଢ଼ା ଯାଇଥିଲା । ସନ୍ଧ୍ୟା ନମାଯ ପାଠ ସାରି ଗୁଲପୋଷି ଏବଂ ପରେ ଲଙ୍ଗର (ପ୍ରସାଦ) ବଣ୍ଟନ କରାଯାଇଥିଲା ଏବଂ ରାତ୍ରି ନମାଜ ପାଠ ସାରି ଧର୍ମ ସଭାର ଆୟୋଜନ କରାଯାଇଥିଲା । ଏହି ଧର୍ମସଭାରେ ମଦ୍ରସା ପଏଜୁଲ ଅରାଫିନ୍ ଆନୁକୂଲ୍ୟରୁ ଶିକ୍ଷକ ତଥା ମୁଲ୍ଲାସାହି ମସଜିଦର ଏମାମ ସାହେବ ଫଏଜାନ କାଦରୀଙ୍କ ସଂଯୋଜନାରେ ଜସ୍ନ-ଏ-ଦସ୍ତାରବନ୍ଦୀ ମଧ୍ୟ ରଖାଯାଇଥିଲା । ଏହି ଧର୍ମସଭା ରାତ୍ରି ୮.୩୦ ଘଟିକା ସମୟରେ ଆରମ୍ଭ ହୋଇଥିଲା ଏବଂ ସଂଚାଳକ ଭାବେ ଗୋଲାମ ସରୱର ନେମତି (ଓଡ଼ିଶା)ରୁ ଆସି ଦାୟିତ୍ୱ ତୁଲାଇଥିଲେ । ଏହି ଧର୍ମସଭାରେ ମୌଲାନା (ପଣ୍ଡିତ) ଅହେରାମ ଆଲାମ ଶାହାବଜୀ (ଭାଗଲପୁର), ସାଏର ଅସରଫ ରଜା (କଲିକତା), ସାଏର – ଅସକାର ଅସରଫି ଜଏସ (ୟୁ.ପି), ସାଏର ଖ୍ୱାଜା ଗୋଲାମ ସରୱର (ଓଡ଼ିଶା), ଟୁ.ଇନ ୱାନ ସାଏର ସବ୍‌ବିର ଓ ସବ୍‌ବର (କଲିକତା), ସାଏର – ରିଜୱାନ ଫଏଜରୀ (ବିହାର), ସାଏର ଅଜାଜୁଲ ମୁସ୍ତାଫା କାଦରୀ (ଓଡ଼ିଶା), ମୌଲାନା ଫରିଦ ମିସବାହୀ (କଟକ)ରୁ ଆସି ଯୋଗଦାନ କରି ଦୁଇ ବାବାଙ୍କ ନୀତିବାଣୀ ଉପରେ ଆଲୋକପାତ କରିଥିଲେ । ଏହି ଧର୍ମସଭାକୁ କମିଟିର ସଭାପତି ମହମ୍ମଦ ସାଦବ ନସିମ କାଦରୀ, ଉପସଭାପତି ମହମ୍ମଦ ହସମତ ଅଲି, ସଂପାଦକ କୁତୁବ ୱାରସି, ସହ-ସଂପାଦକ ଇମତିଆଜ ଖାନ ଉପସ୍ଥିତ ରହିଥିଲେ ଏବଂ ମହମ୍ମଦ ଅହୟା, ସୈୟଦ ନାସର ଅଲୀ, ଫରୟାଦ ଖାନ, ସୈୟଦ ଇରଶାଦ ଅଲୀ, ବାବୁ, ଅବ୍‌ବାସ, ନସୋ, ସାକିର ଏବଂ ଫକୋ ପ୍ରମୁଖ ସହଯୋଗ କରିଥିଲେ । ଏହି ଉତ୍ସବରେ ହଜାର ହଜାର ଶ୍ରୋତା ଏବଂ ବାବାଙ୍କ ଭକ୍ତମାନେ ଉପସ୍ଥିତ ରହିଥିଲେ । ଏହି ଉତ୍ସବରେ ବହୁତ ବଡ଼ ମେଳା ମଧ୍ୟ ଲାଗି ରହିଥିଲା ।