ଭଦ୍ରକ, ୧୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧିନ ସୟା ପଂଚାୟତର ରିଟେଲର ବିଶ୍ୱନାଥ ପୃଷ୍ଟିଙ୍କୁ ଜଣେ ଯୁବକ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବାସହ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏସମ୍ପର୍କରେ ପୋଲିସ ତଦନ୍ତ ଚଳାଇଥିବା ଜଣାପଡିଛି।ତେବେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେଲେ ରିଟେଲରମାନେ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନହେଲେ ରିଟେଲର ମାନେ ରାସନ ସାମଗ୍ରୀ ବଣ୍ଟନ କରିବେ ନାହିଁ ବୋଲି ରିଟେଲର ସଂଘ ନିଷ୍ପତି ନେଇଥିବା ଜଣାପଡିଛି।ରାଜ୍ୟ ସରକାରଙ୍କ ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ ଅନ୍ତର୍ଗତ ହିତାଧିକାରୀଙ୍କୁ ୩ ମାସର ରାସନ ସାମଗ୍ରୀ ପ୍ରଦାନ ପ୍ରକ୍ରିୟା ବର୍ତମାନ ଜାରି ରହିଛି। ଗତ ୧୨ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ତେବେ ଏହି ଯୋଜନାର ସଫଳ ରୂପାୟନ ପାଇଁ ବିଭାଗୀୟ ଅଧିକାରୀ ଓ ରିଟେଲରମାନେ ନିଷ୍ଠାର ସହ କାର୍ଯ୍ୟତୁଲାଉଛନ୍ତି। ଏହି ଅନୁଯାୟୀ ସୟା ପଂଚାୟତର ରିଟେଲର ବିଶ୍ୱନାଥ ପୃଷ୍ଟି ପଂଚାୟତ କାର୍ଯ୍ୟାଳୟରେ ହିତାଧିକାରୀଙ୍କୁ ଚାଉଳ ବଂଟନ କରୁଥିଲେ। ଏହି ସମୟରେ ଜଣେ ଯୁବକ ସେଠାରେ ପହଂଚି ହଠାତ୍ ରିଟେଲରଙ୍କ ବଂଟନ ମେସିନକୁ କଚାଡ଼ି ଦେଇଥିବାବେଳେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ପରେ ରିଟେଲର ଓ ତାଙ୍କ ପୁଅ ଯାଉଥିବା ବେଳେ ଯୁବକ ଜଣକ ସେମାନଙ୍କୁ ବାଟରେ ଅଟକାଇ ଆକ୍ରମଣ କରିବା ସହ ସେମାନଙ୍କଠାରୁ ମୋବାଇଲ ଫୋନ ଛଡ଼ାଇ ନେଇଥିଲେ। ଏନେଇ ରିଟେଲର ବିଶ୍ୱନାଥ ପୃଷ୍ଟି ତିହିଡ଼ି ଥାନାରେ ଏତଲା ଦେଇଥିବା ଜଣାପଡିଛି।ଏହି ଘଟଣାକୁ ନେଇ ତିହିଡ଼ି ବ୍ଲକ ରିଟେଲର ସଂଘ ପକ୍ଷରୁ ଏକ ଜରୁରୀ ବୈଠଜ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି। ନଚେତ ଆଗାମୀ ଦିନରେ ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ର ଚାଉଳ ବଂଟନ ସମ୍ପୂର୍ଣ୍ଣ ବନ୍ଦ ରଖାଯିବ ବୋଲି ସଂଘ ଚେତାବନୀ ଦେଇଛି। ତେବେ ଏସମ୍ପର୍କରେ ଆଇଆଇସି ଲୋପାମୁଦ୍ରା ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଅଭିଯୋଗର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣକରାଯିବ।ଏହି ବୈଠକରେ ସଂଘର ସଭାପତି ରବିନ୍ଦ୍ର ମହାକୁଳ, ସମ୍ପାଦକ କୈଳାସ ବେହେରା, ସହ-ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଓଝା, ଉପସଭାପତି ଲକ୍ଷ୍ମୀକାନ୍ତ ନାୟକ, ଚକ୍ରଧର ଲେଙ୍କା, ଶରତ ଚନ୍ଦ୍ର କବି, ଜିତେନ୍ଦ୍ର ବେହେରା, ବ୍ରହ୍ମାନନ୍ଦ ମହାପାତ୍ର, ଗୟାଧର ବାରିକ, ସୁବାସ ଦାସ, ନକୁଳ ରାଉତ, ବାବୁଲି ଭଞ୍ଜ, ସୁବ୍ରତ ନାୟକ, ଶଶିକାନ୍ତ ରାଉତ, ସଞ୍ଜୟ ମଲ୍ଲିକ, ବାଇଧର ପରିଡ଼ା, ଅଜୟ କୁମାର ବ୍ରହ୍ମ, ବାପୁଜୀ ରାଉତ, ବିଦ୍ୟାଧର ପଣ୍ଡା, ସୀତାକାନ୍ତ ନାୟକ, କୈଳାସ ଜେନା, ଭାଗିରଥି ବେହେରା, ମାର୍କଣ୍ଡ ମଲ୍ଲିକ, ସତ୍ୟାନନ୍ଦ ଧଳ, ମନୋରଞ୍ଜନ ବେହେରା, ଭାସ୍କର ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।