ହାଟଡିହି- ୫ /୫ (ଓଡିଆପୁଅ / ବିକାଶ ବିଶ୍ୱାଳ) କରୋନା ଭୟାବହତାକୁ ଆଖିଆଗରେ ରଖି ଚଳିତ ମେ ମାସ ୫ତାରିଖରୁ ୧୯ତାରିଖ ପର୍ଯ୍ୟନ୍ତ ଓଡିଶା ସରକାର ଲକଡାଉନ ଘୋଷଣା କରିଥିବା ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବୁଲୁଥିବା ଦୁସ୍ଥ, ଅସହାୟ, ନିରାଶ୍ରୟ ବ୍ୟକ୍ତି ମାନଙ୍କୁ ଦୁଇଓଳି ଖାଇବାକୁ ଦେବାର ବ୍ୟବସ୍ଥା କରିବାକୁ ସରକାର ନିର୍ଦ୍ଦେଶ ଦେବାପରେ ଆଜି ସଢ଼ା ପଞ୍ଚାୟତ ପକ୍ଷରୁ ଏହିପରି ଅବସ୍ଥାରେ ଥିବା ପାଖାପାଖି ୬୦ରୁ ଉର୍ଦ୍ଧ ଲୋକଙ୍କୁ ମାଗଣା ଖାଦ୍ୟ ବଣ୍ଟନ କରାଯାଇଛି । ସରପଞ୍ଚ ଜୟନ୍ତୀ ସାମଲ, ସରପଞ୍ଚଙ୍କ ପ୍ରତିନିଧି ବୈଦ୍ୟନାଥ ସାମଲ, ଅଙ୍ଗନବାଡି କର୍ମୀ କନକଲତା ସାମଲ, ମା ଝାଡେଶ୍ୱରୀ ଏସଏସଜି ଗ୍ରୁପର ସଭାପତି ପୁଷ୍ପାଞ୍ଜଳୀ ମିଶ୍ର, ସମ୍ପାଦିକା ଶାନ୍ତିଲତା ସାମଲ ପ୍ରମୁଖ ଉପସ୍ଥିତ ରହି ଏହାର ତଦାରଖ କରିଥିଲେ । ପଞ୍ଚାୟତର ସମସ୍ତ ଗାଁରେ ପହଞ୍ଚି ଘରଘର ବୁଲି ଦୁସ୍ଥ ଅସହାୟ ଲୋକଙ୍କୁ ରନ୍ଧନ ଖାଦ୍ୟ ପୁଡିଆ ବଣ୍ଟନ କରାଯାଇଥିଲା ।