Odiapua.com

ସଡ଼କ ସୁରକ୍ଷା ସଫଳତାରେ ଭଦ୍ରକ ଜିଲ୍ଲା ଟପ୍ ୩ରେ, ମଙ୍ଗଳବାର ବଦଳରେ ବୁଧବାର ପାଳିତ ହେବ ଶୂନ୍ୟ ସହଣୀୟ ଦିବସ

ଭଦ୍ରକ, ୨୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସଡ଼କ ସୁରକ୍ଷା ଜୀବନ ରକ୍ଷା ପାଇଁ ସରକାରୀ ନିର୍ଦ୍ଦେଶ ମତେ ସମସ୍ତ ବିଧିବିଧାନ ର କାର୍ଯ୍ୟକାରିତା ଓ ସେ ଦିଗରେ ସଚେତନତା ବୃଦ୍ଧି ଦିଗରେ ଭଦ୍ରକ ଜିଲ୍ଲା ପ୍ରଶାସନର ଯଥାଯଥ ପ୍ରୟାସ ପାଇଁ ଜିଲ୍ଲାକୁ ପ୍ରଶଂସନୀୟ ସଫଳତା ମିଳିଛି । ସି.ଆଇ.ଡ଼ି. ଏବଂ କ୍ରାଇମ୍ ବ୍ରାଞ୍ଚ, ଓଡ଼ିଶା ଠାରୁ ପ୍ରାପ୍ତ ତଥ୍ୟାନୁଯାୟୀ ୨୦୨୩ ବର୍ଷ ପାଇଁ ଦୁର୍ଘଟଣା ଓ ଦୁର୍ଘଟଣା ଜନିତ ମୃତ୍ୟୁ ହାର ହ୍ରାସ ନେଇ ସଫଳତା ପ୍ରଦର୍ଶନରେ ଭଦ୍ରକ ଜିଲ୍ଲା ଶୀର୍ଷରୁ ତୃତୀୟ ସ୍ଥାନରେ ସ୍ଥାନିତ ହୋଇଛି । ଜିଲ୍ଲା ପ୍ରଶାସନ, ପୋଲିସ୍ ପ୍ରଶାସନ, ସମ୍ପୃକ୍ତ ସରକାରୀ ବେସରକାରୀ ସମସ୍ତ ବିଭାଗୀୟ ଆନୁଷ୍ଠାନିକ ଦଳଗତ ଉଦ୍ୟମ ଯୋଗୁ ଜିଲ୍ଳାକୁ ଏ ପ୍ରକାର ପ୍ରୋତ୍ସାହନ ମୂଳକ ସଫଳତା ମିଳିଛି ଓ ଅନେକ ଧନ ଜୀବନ ରକ୍ଷା ହୋଇ ପାରିଛି ବୋଲି ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ପ୍ରକାଶ କରିବା ସହ ସାମଗ୍ରୀକ ଭାବେ ସମୁଦାୟ ଟିମ୍ କୁ ଅଭିନନ୍ଦନ ଜଣାଇଛନ୍ତି । ଦୁର୍ଘଟଣା ଓ ଦୁର୍ଘଟଣା ଜନିତ ମୃତ୍ୟୁ ହ୍ରାସ ପାଇଁ ଯଥା ସମ୍ଭବ ଏହି ସଫଳ ପ୍ରୟାସକୁ ଆଗକୁ ଜାରି ରଖିବା ପାଇଁ ପରାମର୍ଶ ପ୍ରଦାନ କରିଛନ୍ତି । ପ୍ରାପ୍ତ ତଥ୍ୟ ଅନୁଯାୟୀ ୨୦୨୨ ଜାନୁୟାରୀ ରୁ ଡ଼ିସେମ୍ବର ମଧ୍ୟରେ ଦୁର୍ଘଟଣା ଜନିତ ୩୧୬ ସଂଖ୍ୟକ କେଶ୍ ରିପୋର୍ଟ କରାଯାଇଥିଲା ।

ସେଥିରୁ ୧୭୧ଜଣଙ୍କ ମୃତ୍ୟୁ ଓ ୧୯୫ଜଣ ଆହତ ହୋଇଥିଲେ । ସେହିପରି ୨୦୨୩ ମସିହା ଜାନୁୟାରୀ ରୁ ଡ଼ିସେମ୍ବର ମଧ୍ୟରେ ୩୦୧ଟି କେଶ୍ ରିପୋର୍ଟ ହୋଇଥିଲା ବେଳେ ୧୪୨ ମୃତ , ୨୧୪ ଆହତ ହୋଇଥିଲେ । ଦୁର୍ଘଟଣା ହାର ବିଯୁକ୍ତ ୪.୭ ଥିଲା ବେଳେ ଦୁର୍ଘଟଣା ଜନିତ ମୃତ୍ୟୁହାର ବିଯୁକ୍ତ ୧୭.୦ ଅଛି । ଏହି ସଫଳତାରେ ରାଜ୍ୟରେ ସୋନପୁର ଜିଲ୍ଲା ଶୀର୍ଷରେ ଥିବା ବେଳେ ଜଗତସିଂପୁର ଦ୍ୱୀତିୟ ସ୍ଥାନରେ ଏବଂ ନୂଆପଡ଼ା ଜିଲ୍ଲା ସର୍ବନିମ୍ନ ଅର୍ଥାତ ୩୦ତମ ସ୍ଥାନରେ ଥିବା ଜଣାପଡ଼ିଛି । ସୂଚନାଯୋଗ୍ୟକି ସଡ଼କ ସୁରକ୍ଷା ନିୟମ ଭଙ୍ଗକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ସଚେତନତା ଉଦ୍ଦେଶ୍ୟରେ ସପ୍ତାହର ପ୍ରତି ମଙ୍ଗଳବାର ଦିନ ଶୂନ୍ୟ ସହନ ଦିବସ ପାଳନ କରାଯାଇ ଧରପଗଡ଼ କରାଯାଉଥିଲା । ମାତ୍ର ସଡ଼କ ଦୁର୍ଘଟଣା ତଥ୍ୟ ଅନୁଯାୟୀ ଅଧିକାଂଶ ଦୁର୍ଘଟଣା ବୁଧବାର ଘଟୁ ଥିବାରୁ ପ୍ରତି ବୁଧବାର ଏହି ଦିବସ ପାଳନ ପାଇଁ ଗତ ୨୯-୨-୨୪ରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ସଡ଼କ ସୁରକ୍ଷା ପରିଷଦ ବୈଠକରେ ସ୍ଥିର କରାଯାଇଛି । ପ୍ରକାଶଥାଉକି ଏହି ଦିନ ଆର୍‌.ଟି.ଓ. ଓ ପୋଲିସ ବିଶେଷ କରି ଅଧିକ ଗତି, ନିଶାଯୁକ୍ତ ଗାଡ଼ି ଚାଳନା, ଗାଡ଼ି ଚାଳନା ସମୟରେ ମୋବାଇଲ୍ ଫୋନ୍ ବ୍ୟବହାର, ହେଲମେଟ୍ ଓ ସିଟ୍ ବେଲଟ୍ ଆଇନ୍ ଭାଙ୍ଗିବା, ଭୁଲ ମାର୍ଗରେ ଗାଡ଼ି ଚାଳନା ଆଦିକୁ ଧରପଗଡ଼ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ନେଇ ସପ୍ତାହକୁ ସଫଳତାର ସହ ପାଳନ କଲେ ଟ୍ରାଫିକ୍ ନିୟମ ଭଙ୍ଗକାରୀମାନଙ୍କ ମନରେ ଭୟ ସୃଷ୍ଟି କରାଯାଇପାରିବ । ସୂଚନାଯୋଗ୍ୟକି ୨୦୨୩ ବର୍ଷ ମଧ୍ୟରେ ରାଜ୍ୟରେ ଦୁର୍ଘଟଣାରେ ୫,୬୯୬ ଲୋକ ଜୀବନ ହରାଇଥିବା ବେଳେ ୧୧ ହଜାର ଲୋକ ଆହତ ହୋଇଥିଲେ । ବିଗତ ଦଶ ବର୍ଷ ମଧ୍ୟରେ ରାଜ୍ୟରେ ୪୫ ହଜାରରୁ ଉର୍ଦ୍ଧ୍ୱ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ।