Odiapua.com

ସଡ଼କ ସୁରକ୍ଷା ସପ୍ତାହ ପାଳନ ଉପଲକ୍ଷେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ, ସଚେତନତା, ଧରପଗଡ଼ ଓ ରାସ୍ତାର ଯାନ୍ତ୍ରିକ ତ୍ରୁଟି ନିରାକରଣ ଉପରେ ଗୁରୁତ୍ୱାରୋପ

ଭଦ୍ରକ, ୩୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – “ସଡ଼କ ସୁରକ୍ଷା ପରିବାର ରକ୍ଷା”ର ବାର୍ତ୍ତା ନେଇ ୨୦୨୪ ମସିହା ପାଇଁ ଜାନୁୟାରୀ ୧ ରୁ ୭ ପର୍ଯ୍ୟନ୍ତ ପାଳିତ ହେବାକୁ ଥିବା ସଡ଼କ ସୁରକ୍ଷା ସପ୍ତାହ ଉପଲକ୍ଷେ ଆଭାସି ଜରିଆରେ ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏସ୍‌.ପି. ବରୁଣ ଗୁଣ୍ଟୁପାଲ୍ଲି, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସନ୍ତୋଷ କୁମାର ପାତ୍ର ପ୍ରମୁଖଙ୍କ ସହ ସଂପୃକ୍ତ ଅନ୍ୟବିଭାଗୀୟ ଅଧିକାରୀ, କମିଟି ସଦସ୍ୟ ଅଂଶ ଗ୍ରହଣ କରି ମତାମତ ରଖିଥିଲେ । ଉକ୍ତ ସପ୍ତାହ ପାଳନ କାର୍ଯ୍ୟକ୍ରମର ସଂଯୋଜକ ଆଞ୍ଚଳିକ ପରିବହନ ଅଧିକାରୀ ଖଗେଶ୍ୱର ମୁର୍ମୁଙ୍କ ଦ୍ୱାରା କାର୍ଯ୍ୟସୂଚୀ ଉପସ୍ଥାପନ ଆଧାରରେ ଆଲୋଚନା କରାଯାଇ ଜିଲ୍ଲାପାଳଙ୍କ ଦ୍ୱାରା ଅନୁମୋଦନ କରାଯାଇଥିଲା । ଦୁର୍ଘଟଣା ଓ ଦୁର୍ଘଟଣା ଜନିତ ମୃତାହତ ସଂଖ୍ୟାର ଯଥେଷ୍ଟ ହ୍ରାସ ପାଇଁ ସଡ଼କ ସୁରକ୍ଷା ନେଇ ସୂଚନା, ଶିକ୍ଷା, ସଚେତନତା, ଧରପଗଡ଼ ଓ ରାସ୍ତାର ଯାନ୍ତ୍ରିକ ତ୍ରୁଟି ନିରାକରଣ ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ । ଏହି ସପ୍ତାହ ପାଳନ ଉପଲକ୍ଷେ ସପ୍ତାହର ପ୍ରଥମ ଦିନରେ ଜିଲ୍ଲା କାର୍ଯ୍ୟାଳୟ ପରିସରରୁ ଏକ ସଡ଼କ ସୁରକ୍ଷା ରଥର ଶୁଭାରମ୍ଭ କରାଯାଇ ରଥ ସହିତ ନେହେରୁ ଷ୍ଟାଡ଼ିୟମ୍ ପର୍ଯ୍ୟନ୍ତ ଭାୟା ଶନି ମନ୍ଦିର, ନୂଆ ବସ୍‌ଷ୍ଟାଣ୍ଡ, ବନ୍ତ ଛକ ଦେଇ ପଦଯାତ୍ରା କାର୍ଯ୍ୟକ୍ରମ ଆୟୋଜନ କରାଯିବ । ୨ ତାରିଖରେ ଜିଲ୍ଲାସ୍କୁଲ ସମ୍ମିଳନୀ କକ୍ଷରେ ସ୍କୁଲ ପିଲାମାନଙ୍କ ମଧ୍ୟରେ ପେଣ୍ଟିଂ ପ୍ରତିଯୋଗିତା ଆୟୋଜିତ ହେବ । ବନ୍ତଛକ ବସ୍‌ଷ୍ଟାଣ୍ଡରେ ଡ୍ରାଇଭର ମାନଙ୍କର ସ୍ୱାସ୍ଥ୍ୟ ଓ ଚକ୍ଷୁ ପରୀକ୍ଷା କରାଯିବ । ୩ ତାରିଖରେ ଜିଲ୍ଲାସ୍କୁଲ ଠାରେ ସ୍କୁଲ ଏବଂ୍ କଲେଜ ପିଲାମାନଙ୍କ ମଧ୍ୟରେ ସଡ଼କ ସୁରକ୍ଷା ନେଇ ସ୍ଲୋଗାନ ପ୍ରତିଯୋଗିତା ଅନୁଷ୍ଠିତ ହେବ ।

ସୂଚନା ଯୋଗ୍ୟ କି ସାଧାରଣ ଜନତାମାନେ ମଧ୍ୟ ଏହି ସ୍ଲୋଗାନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିପାରିବେ । ଉକ୍ତ ଦିନ ଅପରାହ୍ନ ୫ଟା ପୂର୍ବରୁ ନିଜ ନିଜ ସ୍ଲୋଗାନକୁ ଆର୍‌.ଟି.ଓ.ଙ୍କୁ ପ୍ରେରଣ କରିବେ । ଉକ୍ତଦିନ ଧାମରା ବନ୍ଦରରେ ଭାରୀଯାନ ଚାଳକ ମାନଙ୍କ ପାଇଁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ୪ ତାରିଖରେ ତିହିଡ଼ି ଡିଗ୍ରୀ ମହାବିଦ୍ୟାଳୟ ଏବଂ ବେଦାନ୍ତ ଫେକର କମ୍ପାନୀ ପରିସରରେ ସଚେତନତା କାର୍ଯ୍ୟକ୍ରମ ରହିଛି । ୫ରେ ସରକାରୀ ପଲିଟେକ୍‌ନିକ୍ କଲେଜ୍‌ରେ ୬ରେ ଆଗରପଡ଼ା ଡିଗ୍ରୀ କଲେଜ୍‌ରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ୭ରେ ଟାଉନ୍‌ହଲରେ ସଚେତନତା ମୂଳକ ସାଂସ୍କୃତିକ କାର୍ଯ୍ୟକ୍ରମ, ପୁରଷ୍କାର ବିତରଣ ସହ ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ ହେବ । ଏହି ସପ୍ତାହ ପାଳନ ଅବସରରେ ସଡ଼କ ସୁରକ୍ଷା ଭିଜୁଆଲ ସୋ ସପ୍ତାହ ତମାମ୍ ସନ୍ଧ୍ୟାରେ ୧ ତାରିଖରେ ଜିଲ୍ଲା କାର୍ଯ୍ୟାଳୟ, ୨ରେ ବନ୍ତଛକ, ୩ରେ ଡାହାଣୀ ଗଡ଼ିଆ ଛକ, ୪ରେ ଚରମ୍ପା ଷ୍ଟେସନ୍‌, ୫ରେ ରାଣୀତାଲ ବଜାର, ୬ରେ ତିଶଳପୁର ୭ରେ ଗେଲପୁର ଅଞ୍ଚଳରେ ପ୍ରଦର୍ଶନ କରାଯିବ । ସେହିପରି ସଡ଼କ ସୁରକ୍ଷା ନେଇ କ୍ଷୁଦ୍ର ଚଳଚିତ୍ର ଦୃଶ୍ୟ ଶ୍ରାବ୍ୟ ଫଳକ ରେ ଭ୍ରାମ୍ୟମାଣ ଯାନରେ ୧ ତାରିଖରେ ଭଦ୍ରକ ବ୍ଲକ୍ ଅଞ୍ଚଳ, ୨ରେ ବାସୁଦେବପୁର ବ୍ଲକ୍ ୩ରେ ଚାନ୍ଦବାଲି ବ୍ଲକ୍ ୪ରେ ତିହିଡ଼ି, ୫ରେ ଭଣ୍ଡାରିପୋଖରୀ, ୬ ରେ ବନ୍ତବ୍ଲକ୍‌, ୭ରେ ଧାମନଗର ବ୍ଲକ୍ ଅଞ୍ଚଳରେ ପ୍ରର୍ଶିତ ହେବ । ସପ୍ତାହ ତମାମ୍ ପୋଲିସ ଓ ଆର.ଟି.ଓ. ଅଧିକାରୀ ମାନଙ୍କ ମିଳିତ ସ୍କାଡ଼ ଦ୍ୱା୍‌ରା ଜିଲ୍ଲାର ବିଭିନ୍ନ ବ୍ଲକ୍ ଓ ବଜାର ଅଞ୍ଚଳରେ ଧରପଗଡ଼ ପାଇଁ ମଧ୍ୟ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇଛି । ଆରଡ଼ି ଛକରୁ ବନ୍ତଛକ ଆଡ଼କୁ ଓ ମୋଟେଲ ଛକରୁ ନୂଆବସ୍ ଷ୍ଟାଣ୍ଡ ଆଡ଼କୁ ସର୍ଭିସ ରୋଡ଼ ଦବି ଯିବା କାରଣରୁ ଦୁଇଚକିଆ ଯାନ ଦୁଘ୍‌ର୍୍‌ଟଣା ଘଟୁଥିବା ନେଇ କମିଟିସଦସ୍ୟ ଅତିସ୍ ବେହେରାଙ୍କ ଅଭିଯୋଗ ନେଇ ରାସ୍ତାରୁ ନିର୍ମାଣ ଜନିତ ତ୍ରୁଟି ନିରାକରଣ ପାଇଁ ଜିଲ୍ଲାପାଳ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ ।