Odiapua.com

ସଡ଼କ ସୁରକ୍ଷା ମାସ ଉଦ୍‌ଘାଟିତ, ଜିଲ୍ଲାବ୍ୟାପୀ ସଚେତନତାକୁ ଗୁରୁତ୍ୱାରୋପ

ଭଦ୍ରକ, ୧୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସଡ଼କ ସୁରକ୍ଷା ମାସ ଆଜିଠାରୁ ସମଗ୍ର ରାଜ୍ୟରେ ପାଳନ ହୋଇଛି । ଭଦ୍ରକ ଜିଲ୍ଲାରେ ଏହାକୁ ଜିଲ୍ଲାପାଳ ଡ. ଜ୍ଞାନ ଦାସ ଏବଂ ଏସ୍‌ପି ଚରଣ ସିଂ ମୀନା ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ସଚେତନତା ରଥକୁ ଉଭୟ ଅତିଥି ପତାକା ହଲାଇ ଶୁଭାରମ୍ଭ କରିଥିଲେ । ଆଜିଠାରୁ ଆରମ୍ଭ ହୋଇଥିବା ଏହି ସଚେତନତା କାର୍ଯ୍ୟକ୍ରମ ସମଗ୍ର ଜିଲ୍ଲାରେ କରାଯିବ । ଏପରିକି ବିଭିନ୍ନ ସ୍କୁଲମାନଙ୍କରେ ସଚେତନତା ସଭା କରି ପିଲାଙ୍କୁ ସଚେତନ କରାଯିବ । ଯାହା ଫଳରେ ପିଲାଙ୍କଠାରୁ ସେମାନଙ୍କ ବାପାମାଆ ସଡ଼କ ସୁରକ୍ଷା ଓ ମୋଟରଯାନ ଆଇନ ସମ୍ପର୍କରେ ଅବଗତ ହୋଇପାରିବେ । ମୋଟରଯାନ ଆଇନ-୨୦୧୯ରେ ନିୟମକୁ ଅଧିକ କଡ଼ାକଡ଼ି କରାଯାଇଛି । ଏହାର ପାଳନ ନିମନ୍ତେ ପୂର୍ବରୁ ମଧ୍ୟ ସଚେତନତା କରାଯାଇଛି ଏବଂ ପୁଣି ଥରେ ମାସବ୍ୟାପୀ ସଚେତନତା କରାଯାଉଛି ବୋଲି ଜିଲ୍ଲାପାଳ ଡ. ଦାସ କହିଥିଲେ । ଏହି ଅବସରରେ ସୂଚନା ଦେଇ ଆଞ୍ଚଳିକ ପରିବହନ ଅଧିକାରୀ ସନତ ଜେନା କହିଥିଲେ କି ୨୦୧୯ ମସିହା ଠାରୁ ୨୦୨୦ ମସିହାରେ ଦୁର୍ଘଟଣା ହାର କମିଛି । ଭଦ୍ରକ ଜିଲ୍ଲାରେ ୨୦୧୯ରେ ମୋଟ ୩୨୫ଟି ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ୧୬୨ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୨୪୬ଜଣ ଆହତ ହୋଇଥିଲେ । ମାତ୍ର ୨୦୨୦ ମସିହାରେ ସଡ଼କ ଦୁର୍ଘଟଣା ୨୪୧ଟି ହୋଇଛି । ଏଥିରେ ୧୧୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫୧ଜଣ ଆହତ ହୋଇଛନ୍ତିି । ଜନସାଧାରଣ ସଚେତନ ହେଲେ ଏହା ଆହୁରି କମିଯିବ । ସରକାର ଏବେ ଦୁର୍ଘଟଣା ସମୟରେ ଅଜଣା ଲୋକଙ୍କୁ ସ୍ୱେଚ୍ଛାକୃତ ଭାବେ କେହି ଆଣି ମେଡିକାଲରେ ପହଞ୍ଚାଇଲେ ତାଙ୍କୁ ପ୍ରୋତ୍ସାହିତ କରିବା ପାଇଁ ୨ ହଜାର ଟଙ୍କାର ପୁରସ୍କାର ରାଶିର ବ୍ୟବସ୍ଥା ମଧ୍ୟ କରିଛନ୍ତି ବୋଲି ଶ୍ରୀ ଜେନା କହିଥିଲେ । ଏହି ଅବସରରେ ୩ଟି ରଥ ସଚେତନତା ପାଇଁ ଯାତ୍ରା ଆରମ୍ଭ କରିଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏମ୍‌ଭିଆଇ ଧୀରେନ୍ଦ୍ର କୁମାର ନାୟକ, ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଗୌରହରି ହାଁସଦା, ଟି.ଆଇ. ଧନେଶ୍ୱର ନାୟକ, ଜୁନିଅର ଏମ୍‌ଭିଆଇ ଅରୁଣ କୁମାର ସାହୁ, ସେକ୍ ଅବଦୁଲ୍ ରହିମ୍ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ସହରରେ ଏକ ସାଇକେଲ ରାଲି କରାଯାଇଥିଲା ।