ବାଲେଶ୍ୱର, ୨୪ା୧(ଓଡ଼ିଆ ପୁଅ/ଅଭୟ ଦାସ): ଆଂଚଳିକ ପରିବହନ ବିଭାଗ ଏବଂ ଜିଲ୍ଲା ସଡ଼କ ସୁରକ୍ଷା ସମିତିର ମିଳିତ ସହଯୋଗରେ ପାଳିତ ହେଉଥିବା ସଡ଼କ ସୁରକ୍ଷା ମାସ ୨୦୨୧ ପାଳନର ସପ୍ତମ ଦିବସରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଆଂଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ ପ୍ରାଚୀର ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଆଂଚଳିକ ପରିବହନ ଅଧିକାରୀ ରଶ୍ମି ରଞ୍ଜିତ ଦଳବେହେରା ଏହି ପ୍ରତିଯୋଗିତାକୁ ଉଦଘାଟନ କରିବା ସହିତ ସଡକ ସୁରକ୍ଷା ମାସ ପାଳନର ଆଭିମୁଖ୍ୟ ଓ ଆୟୋଜିତ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ପ୍ରତ୍ୟେକ ବର୍ଷ ସଡକ ସୁରକ୍ଷା ସପ୍ତାକ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ ଏହା ମାସେ ବ୍ୟାପୀ ପାଳନ କରାଯିବ ବୋଲି ସେ ସୂଚନା ଦେଇଥିଲେ। ତେବେ ସଚେତନତା କାର୍ଯ୍ୟକ୍ରମ ସାତ ଦିନ ବ୍ୟାପୀ ଆୟୋଜିତ ହୋଇଥିବା ବେଳେ ମାସର ଅନ୍ୟ ଦିନରେ ଯାନ ବାହାନ ଯାଂଚ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଶ୍ରୀ ଦଳବେହେରା କହିଥିଲେ। ସଚେତନତା କାର୍ଯ୍ୟକ୍ରମର ଶେଷ ଦିନରେ ସ୍ଥାନୀୟ କଳାକାରଙ୍କ ମଧ୍ୟରେ ପ୍ରାଚୀର ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟଦିବସମାନଙ୍କରେ ପରିବହନ କାର୍ଯ୍ୟାଳୟକୁ ଶତାଧିକ ଲୋକେ ଆସୁଥିବା ବେଳେ ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ପ୍ରାଚୀର ଚିତ୍ରାଙ୍କନ ଭଳି ନିଆରା ପଦକ୍ଷେପ ନିଆଯାଇଥିବା ଶ୍ରୀ ଦଳବେହେରା କହିଥିଲେ। ଏହି ଚିତ୍ରାଙ୍କନ ପ୍ରତିଯୋଗିତାରେ ବାଲେଶ୍ୱର ଚାରୁ ଓ କାରୁକଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ଛାତ୍ରଛାତ୍ରୀମାନଙ୍କୁ ୧୫ଟି ଗ୍ରୁପରେ ବିଭକ୍ତ କରାଯାଇ ସେମାନଙ୍କ ମଧ୍ୟରେ ପ୍ରତିଯୋଗିତା କରାଯାଇଥିଲା। ଛାତ୍ରଛାତ୍ରୀମାନେ ଟ୍ରାଫିକ ନିୟମ ଓ ସଚେତନତା ସମ୍ପର୍କରେ ବିଭିନ୍ନ ଶିକ୍ଷଣୀୟ ବିଷୟବସ୍ତୁ ଆଧାରିତ ଚିତ୍ରାଙ୍କନ ପ୍ରାଚୀର ଉପରେ ଅଙ୍କନ କରିଥିଲେ। ମହାବିଦ୍ୟାଳୟର ଶିକ୍ଷକମାନେ ସେଠାରେ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଏହିପରି ଚିତ୍ରାଙ୍କନ ଆଙ୍କିବା ଦ୍ୱାରା ସେମାନଙ୍କୁ ଗଭୀର ଆତ୍ମସନ୍ତୋଷ ମିଳୁଛି ବୋଲି କେତେକ ଛାତ୍ରଛାତ୍ରୀ ମତପ୍ରକାଶ କରିଥିଲେ। ଶ୍ରେଷ୍ଠ ଅଙ୍କନ କରିଥିବା ଗ୍ରୁପକୁ ପରବର୍ତ୍ତୀ ସମୟରେ ପୁସ୍କୃତ କରାଯିବ ବୋଲି ପରିବହନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।