Odiapua.com

ସଡ଼କ ସୁରକ୍ଷା କଥା ସପ୍ତାହ କି ପକ୍ଷ ପାଳନରେ ସିମୀତ ନ ରହୁ , ସଡ଼କ ସୁରକ୍ଷା ପାଇଁ ସଂସଦୀୟ ନିର୍ବାଚନ ମଣ୍ଡଳୀର ୩ୟ ବୈଠକ

ଭଦ୍ରକ, ୨୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସଡ଼କ ସୁରକ୍ଷା ଜୀବନ ରକ୍ଷା ଆଧାରରେ ପ୍ରଣୀତ ବିଭିନ୍ନ ଆଇନ୍‌, ଯୋଜନା ସବୁର କାର୍ଯ୍ୟାନ୍ୱୟନ, ସଚେତନତା କାର୍ଯ୍ୟକ୍ରମ ଆଦି ସମ୍ବନ୍ଧୀୟ ମତାମତ, ଅଭିଯୋଗ ନେଇ ସମୀକ୍ଷା ପାଇଁ ଭଦ୍ରକ ସଂସଦୀୟ ନିର୍ବାଚନ ମଣ୍ଡଳୀର ୩ୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗତକାଲି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଭଦ୍ରକ ଲୋକ ସଭା ସାଂସଦ ମଞ୍ଜୁଲତା ମଣ୍ଡଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକକୁ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ପରିଚାଳନା କରିଥିଲେ । ଭଦ୍ରକ ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ଡ. ବ୍ୟୋମକେଶ ରାୟ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଭଦ୍ରକ ବିଧାୟକ ସଞ୍ଜିବ୍ ମଲ୍ଲିକ୍‌, ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ କୁମାର ଜେନା, ଏସ୍‌.ପି. ବରୁଣ ଗୁଣ୍ଟୁପାଲି, ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରତାପ ପ୍ରୀତିମୟ, ଉପଜିଲ୍ଲାପାଳ ମନୋଜ ପାତ୍ର ପ୍ରମୁଖ ଏହି ବୈଠକରେ ଯୋଗ ଦେଇଥିଲେ । ଭଦ୍ରକ ଜିଲ୍ଲାର ସଡ଼କ ସୁରକ୍ଷା ନେଇ ସ୍ଥିତାବସ୍ଥା, ଦୁର୍ଘଟଣା, ମୃତାହତ ସଂଖ୍ୟା ଆଦି ତଥ୍ୟ ସମ୍ବନ୍ଧରେ ଆଞ୍ଚଳିକ ପରିବହନ ଅଧିକାରୀ ଖଗେଶ୍ୱର ମୁର୍ମୁଙ୍କ ଦ୍ୱାରା ବୈଠକରେ ଉପସ୍ଥାପନ ପରେ ପ୍ରସ୍ତୁତ କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚନା କରାଯାଇଥିଲା ।

ଦୂଘର୍ଟଣା ଓ ମୃତାହତ ହାର ହ୍ରାସ କରିବାକୁ ହେଲେ ଟ୍ରାଫିକ ନିୟମ କଡ଼ାକଡ଼ି କରିବା, ଆଇନ୍ ଖିଲାପକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ, ଆଇନ୍ ସମ୍ବନ୍ଧୀୟ ସଚେତନତା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ଏବଂ ଏହି କାର୍ଯ୍ୟକ୍ରମ କେବଳ ସଡ଼କ ସୁରକ୍ଷା ସପ୍ତାହ କି ପକ୍ଷ ପାଳନ ମଧ୍ୟରେ ସିମିତ ନ ରହି ବର୍ଷ ତମାମ୍ ବିଭିନ୍ନ ସମୟରେ ଜାରି ରହିବା ଆବଶ୍ୟକ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା । ଭଦ୍ରକ ଚାନ୍ଦବାଲି ରାସ୍ତା ଅଧିକରୁ ଅଧିକ ଦୁର୍ଘଟଣା ପ୍ରବଣ ହେବା ଦୃଷ୍ଟିକୁ ଆସୁଥିବାରୁ ଏହାର ପ୍ରତିକାର ପାଇଁ ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀଯୁକ୍ତ ରାୟ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ବ୍ଲାକ ସ୍ପଟ୍ ଭାବେ ଚିହ୍ନଟ ଦୁର୍ଘଟଣା ପ୍ରବଣ ରାସ୍ତାରେ ସିମୀତ ଗତି ସାଇନେଜ୍ ଲଗାଯିବା ଉପରେ ଗୁରୁତ୍ୱ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଅଧିକ ବେଗରେ ଗାଡ଼ି ଚାଳନା, ନିଶାସକ୍ତ ଅବସ୍ଥାରେ ଗାଡ଼ିଚାଳନା, ବିନା ହେଲମେଟ ଓ ବିନା ସିଟ୍‌ବେଲଟ୍ ରେ ଗାଡ଼ିଚାଳନା, ଗାଡ଼ି ଚାଳନା ବେଳେ ମୋବାଇଲ ବ୍ୟବହାର, ବିନା ଡ଼୍ରାଇଭିଂ ଲାଇସେନ୍‌ସ୍‌, ବିନା ସଠିକ୍ କାଗଜ ପତ୍ରରେ ଗାଡ଼ି ଚାଲୁରହିବା ଆଦି ଘଟଣାକୁ ରୋକିବା ପାଇଁ ଧରପଗଡ଼ ଠିକ୍ ଭାବେ ହେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା । ଏହା ବ୍ୟତୀତ ରାସ୍ତା ଉପରେ ଓ ରାସ୍ତା ପାଶ୍ୱର୍ରେ ଭାରୀଯାନ ପାର୍କିଂ, ରାସ୍ତାରେ ବୁଲା ଗାଈ ଗୋରୁ ମାନଙ୍କ ଚଳାଚଳ ନେଇ ସୃଷ୍ଟ ଟ୍ରାଫିକ୍ ସମସ୍ୟା ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା । ଜାତୀୟ ରାଜପଥ ପାଶ୍ୱର୍ରେ ଲାଗିଥିବା ବଡ଼ ବଡ଼ ହୋର୍ଡ଼ିଂ ସବୁ ଦୁର୍ଘଟଣାର କାରଣ ହେଉଥିବାରୁ ଏଗୁଡ଼ିକର ଉଚ୍ଛେଦ ପାଇଁ ଆଗତ ପ୍ରସ୍ତାବକୁ ମଧ୍ୟ ବୈଠକରେ ଅନୁମୋଦନ କରାଯାଇଥିଲା । ଭଦ୍ରକ ସହର ମୁଖ୍ୟ ରାସ୍ତାରେ ଗମନାଗମନ ଓ ଯାନବାହନ ଚଳାଚଳ ଉଦ୍ଦେଶ୍ୟରେ ଚିହ୍ନଟ କରାଯାଇଥିବା ଧଳା ଗାର ଅତିକ୍ରମ କରି ଟ୍ରଲିରେ ବ୍ୟବସାୟ ଯୋଗୁଁ ଉପୁଜୁଥିବା ଟ୍ରାଫିକ ସମସ୍ୟା ସମ୍ବନ୍ଧରେ ମଧ୍ୟ ଆଲୋଚନା କରାଯାଇଥିଲା । ଜିଲ୍ଲାର ସମସ୍ତ ବ୍ଲକ ଓ ପୌରାଞ୍ଚଳର ଅଧ୍ୟକ୍ଷ, ଜିଲ୍ଲାପରିଷଦ, ସଦସ୍ୟ ସଂପୃକ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ମାନେ ଏହି ବୈଠକରେ ଉପସ୍ଥିତ ଥିଲେ ।