Odiapua.com

ସ୍ୱେଚ୍ଛାସେବୀଙ୍କ ସହଯୋଗରେ ସୁସ୍ଥ ହୋଇ ଘରକୁ ଫେରିଲା କିଡିନି ଆକ୍ରାନ୍ତ ନନ୍ଦିନୀ

ହାଟଡ଼ିହି, ୨୭ । ୪ : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶିବନାରାୟଣପୁରରେ ଜଣେ ଅସହାୟ ଶିଶୁକନ୍ୟା କିଡିନି ରୋଗରେ ଆକ୍ରାନ୍ତ ହୋଇ ଜୀବନ ସହିତ ସଂଗ୍ରାମ ଜାରି ରଖିଛନ୍ତି । ଦେଢ଼ବର୍ଷ ହେଲା କିଡିନିରୋଗରେ ପିଡିତ ହୋଇ ଥିଲେବି ଉପଯୁକ୍ତ ଚିକିତ୍ସା ପାଇପାରି ନଥିବାରୁ ଶିଶୁକନ୍ୟାଟି ଏବେ ଦୁର୍ବିସହ ଜୀବନ ବିତାଉଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇବାପରେ ବିଭିନ୍ନ ସଂଗଠନ ପକ୍ଷରୁ ସହାୟତାର ହାତ ବଢ଼ାଯାଇ ଶିଶୁକନ୍ୟାର ଚିକିତ୍ସା କରାଯିବା ସହିତ ଆଜି ସୁସ୍ଥ ହୋଇ ଘରକୁ ଫେରି ଆସିଛି ନନ୍ଦିନୀ ।
ଶିବନାରୟଣପୁର ଗ୍ରାମର ବାବୁଲି ସାହୁଙ୍କର ଦୁଇଟି ଶିଶୁଙ୍କ ମଧ୍ୟରୁ ବଡପୁଅଟି ଜନ୍ମରୁ ପୋଲିଓ ରୋଗରେ ଆକ୍ରାନ୍ତ । ଏବେ ସେ ୬ବର୍ଷର ହୋଇଥିବାବେଳେ ଠିକ ଭାବରେ ଚାଲି ପାରୁ ନାହିଁ । ଝିଅ ନନ୍ଦିନି ମାତ୍ର ବର୍ଷେ ଦେଢ଼ବର୍ଷର ହୋଇଥିବାବେଳେ ମା ଭାନୁମତୀ ସାହୁ ଆରପାରିକୁ ଚାଲିଗଲେ । ବାପା ଏକ ମାମଲାରେ ଏବେ ଜେଲରେ ରହିବାପରେ ଏବେ ରାଜ୍ୟବାହାରକୁ କାମ କରିବାକୁ ଚାଲିଯାଇଛନ୍ତି । ଏପରି ସମୟରେ ଝିଅ ନନ୍ଦିନି ଓ ପୁଅ ବାଦଲ ସାହୁ ବଡବାପା ରତ୍ନାକରଙ୍କ ପାଖରେ । ରତ୍ନାକର ଜଣେ କ୍ଷୁଦ୍ରଚାଷୀ ହୋଇଥିବାବେଳେ ସେ ତାଙ୍କ ଛୁଆପିଲାଙ୍କ ସହ ଏ ସାନଭାଇର ଦୁଇ ଛୁଆଙ୍କୁ ଲାଳନପାଳନ କରୁଥିଲେ । ସ୍ୱଳ୍ପ ରୋଜଗାରରେ ପରିବାର ପ୍ରତିପୋଷଣ କରିବା ସହିତ ଏ ଦୁଇ ଶିଶୁଙ୍କ ଚିକିତ୍ସା ଖର୍ଚ୍ଚ ତାଙ୍କ ଉପରେ ବୋଝ ଉପରେ ନଳିତାବିଡା ସଦୃଶ ହୋଇଥିଲା । ନଳିନୀର ଉପଯୁକ୍ତ ଚିକିତ୍ସା କରାଇ ପାରୁ ନଥିବାରୁ ତାର ସ୍ୱାସ୍ଥ୍ୟବସ୍ଥାରେ ଦିନକୁ ଦିନ ଅବନତି ଘଟିବାରେ ଲାଗିଥିଲା । ଏ ସମ୍ପର୍କରେ ଖବର ପ୍ରକାଶ ପାଇବାପରେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ନନ୍ଦିନୀକୁ ସହାୟତା କରିବାକୁ ଆଗେଇ ଆସିଥିଲେ । କେନ୍ଦୁଝରର ସମାଜସେବୀ ମହାସଂଘ ପକ୍ଷରୁ ନନ୍ଦିନୀକୁ କଟକ ବଡଡାକ୍ତରଖାନା ନିଆଯାଇ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇ ଥିବାବେଳେ ସେଠାରେ କଟକର ସ୍ୱପ୍ନ ଫାଉଣ୍ଡେସନ, କିପ ସ୍ମାଇଲିଙ୍ଗ ଚ୍ୟାରେଟିବୁଲ ଟ୍ରଷ୍ଟର ଅଭିମନ୍ୟୁ ଦାସ, ଶ୍ରଦ୍ଧା ଫାଉଣ୍ଡେସନ, ସାହାଯ୍ୟ ସଂଗଠନ ପ୍ରମୁଖ ସହାୟତାର ହାତ ବଢ଼ାଇଥିଲେ । ସେମାନଙ୍କ ସହଯୋଗରେ ନନ୍ଦିନୀ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ଆଉ ତିନିମାସ ପରେ ପୁଣି ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଯିବ ବୋଲି ମା ତାରିଣୀ ସେବା ସଂଘର ସଦସ୍ୟ ଉମାକାନ୍ତ ରାଉତ ପ୍ରକାଶ କରିଛନ୍ତି । ଏପରିକି ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ନନ୍ଦିନୀର ଚିକିତ୍ସା ପାଇଁ ୧୦ହଜାର ଟଙ୍କାର ସହାୟତା ପ୍ରଦନ କରିଥିବାବେଳେ , ଆନନ୍ଦପୁର ଉପଜିଲ୍ଲାପାଳ ମଧ୍ୟ ରେଡକ୍ରସରୁ ସହଯୋଗ କରିଥିଲେ ।