Odiapua.com

ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪ ଜଣ ପ୍ଲାଜମା ଦାନ କଲେ

ପୁରୀ ୨୦-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) କୁମାର ଉତ୍ସବ ସମିତି ପୁରୀ ଆନକୁକୂଲ୍ୟରେ ଆଜି ପୂର୍ବାହ୍ନରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସ୍ଥାନୀୟ ଦୁଦୁୱାଲା ଧର୍ମଶାଳା ପରିସରରେ ଅନୁଷ୍ଠିତ ହୋଇଥିଲା। ଏହି ରକ୍ତଦାନ ଶିବିରରେ ଆମ ଓଡିଶା ଓ ମୋତିଚାନ୍ଦ ବିତାୟକ ସମିତି ସହାୟତା କରିଥିଲେ। ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ଏହି ଶିବିରକୁ ଶ୍ରୀ ଜଗନ୍ନାଥ ଙ୍କ ଫଟୋଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ବର୍ତ୍ତମାନ କୋରନା ମହାମାରୀ ସମୟରେ ରକ୍ତର ଆବଶ୍ୟକତା ଥିବା ବେଳେ ଏହି ଅନୁଷ୍ଠାନମାନଙ୍କର ସଦସ୍ୟମାନେ ଏହି ପ୍ରକାର ଉଦ୍ୟମ କରିଥିବା ଯୋଗୁଁ ସେ ଭୂୟସୀ ପ୍ରସଂଶା କରିଥିଲେ। ବିଭିନ୍ନ ରୋଗୀଙ୍କର ରକ୍ତର ଅଭାବ ବେଳେ ଏହି ପ୍ରକାର ରକ୍ତଦାନ ଶିବିର ସେମାନଙ୍କୁ ଏକ ନୂତନ ଜୀବନ ଦେଇପାରିବ ବୋଲି ସେ କହିଥିଲେ। ଏହି ଅବସରରେ ପୁରୀର ୪ ଜଣ କୋରନା ପଜେଟିଭ୍ ସୁସ୍ଥ ହୋଇ ଘରକୁ ଫେରିବା ପରେ ସେମାନେ ଆଜି ଉତ୍ସାହର ସହିତ ପ୍ଲାଜମା ପ୍ରଦାନ କରିଥିଲେ। ପ୍ଲାଜମା ପ୍ରଦାନ କରିଥିବା ବ୍ୟକ୍ତିମାନଙ୍କୁ ଫୁଲତୋଡା ଓ ଶ୍ରୀ ଜଗନ୍ନାଥଙ୍କ ଫଟୋଚିତ୍ର ଦେଇ ସେମାନଙ୍କୁ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ସମ୍ବର୍ଦ୍ଧିତ କରିଥିଲେ। କୁମାର ଉତ୍ସବ ସମିତିର ସଭାପତି ଗୋପାଳ ଚନ୍ଦ୍ର ଖୁଣ୍ଟିଆ ସଂମ୍ପାଦକ ସ୍ୱାଧୀନ କୁମାର ପଣ୍ଡା ଓ ଅନୁଷ୍ଠାନର ଅନ୍ୟ ସଦସ୍ୟମାନଙ୍କ ସହ ମୋତି ଚାନ୍ଦ ବିନାୟକ ସମିତିର ସଦସ୍ୟ ଓ ଆମ ଓଡିଶାର ସଦସ୍ୟମାନେ ଉପସ୍ଥିତ ରହି ଏହି କାର୍ଯ୍ୟ କ୍ରମ ପରିଚାଳନା କରିଥିଲେ। ଆଚାର୍ଯ୍ୟ ହରିହର ରକ୍ତ ଭଣ୍ଡାରର ଡାକ୍ତର ଓ ତାଙ୍କ ସହକର୍ମୀମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।