ବାଲେଶ୍ୱର, ୩୧-୭ (ଓଡ଼ିଆ ପୁଅ/ଅଭୟ ଦାସ): ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଚତୁର୍ଥ ଶ୍ରେଣୀ କର୍ମଚାରୀ ବସନ୍ତ କୁମାର ବିନ୍ଧାଣୀ(୪୪)ଙ୍କ ଅସ୍ୱାଭାବିକ ମୃତ୍ୟୁକୁ ନେଇ ଉଠିଛି ବିବାଦ। ତାଙ୍କର କାମଳ ରୋଗରେ ମୃତ୍ୟୁ ହୋଇଥିବା ନେଇ ପତ୍ନୀ ସତ୍ୟଭାମା ବିନ୍ଧାଣୀ ସଫେଇ ଦେଉଥିବା ବେଳେ ମୃତକଙ୍କ ଭଉଣୀ ଓ ଅନ୍ୟମାନେ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିଛନ୍ତି। ସରକାରୀ କ୍ୱାଟର୍ସରେ ରହୁଥିବା ବସନ୍ତ ଅସୁସ୍ଥ ହୋଇ ଗତ ୫ ଦିନ ଧରି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଗୁରୁବାରଦିନ ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଥିବା ଗଭୀର କ୍ଷତକୁ ନେଇ ବସନ୍ତଙ୍କର ଦୁଇ ବିବାହିତା ଭଉଣୀ ସନ୍ଦେହ ପ୍ରକାଶ ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ଦାବି କରିଥିଲେ। ଦୀର୍ଘ ସମୟର ଟଣାଓଟରା ପରେ ଭଉଣୀମାନଙ୍କ ଅଭିଯୋଗ କ୍ରମେ ପୁଲିସ ପଞ୍ଚନାମା ପରେ ବସନ୍ତଙ୍କ ମୃତଦେହକୁ ବ୍ୟବଚ୍ଛେଦ କରାଯାଇଥିଲା। ଗତ କିଛିଦିନ ଧରି ବସନ୍ତ ପତ୍ନୀ ସତ୍ୟଭାମାଙ୍କ ଦ୍ୱାରା ନିର୍ଯାତନାର ଶିକାର ହୋଇ ଚାଲିଥିଲେ ବୋଲି ଭଉଣୀମାନେ ଅଭିଯୋଗ କରିଛନ୍ତି। ପରପୁରୁଷ ସହ ସମ୍ପର୍କ ରଖି ବସନ୍ତଙ୍କ ସମସ୍ତ ଦରମା ଅର୍ଥକୁ ପତ୍ନୀ ନେଇ ଚାଲିଥିବା ବେଳେ ଶେଷରେ ଚାକିରି ହାତେଇବାକୁ ତାଙ୍କ ଭାଇଙ୍କୁ ମରାଯାଇଥିବା ସେମାନେ କହିଛନ୍ତି। ତେବେ ଏନେଇ ସେମାନେ ଟାଉନଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ତଦନ୍ତ ଆଗେଇବ ବୋଲି ପୁଲିସ ସୂଚନା ଦେଇଛି। ପୁରୁଣାବାଲେଶ୍ୱର ଅଞ୍ଚଳର ସ୍ୱର୍ଗତ ରବୀନ୍ଦ୍ର ବିନ୍ଧାଣୀଙ୍କ ପୁତ୍ର ବସନ୍ତ। କାର୍ଯ୍ୟରତ ଅବସ୍ଥାରେ ବାପାଙ୍କ ମୃତ୍ୟୁ ହେବା ଯୋଗୁଁ ତାଙ୍କୁ ଏହି ଚାକିରି ମିଳିଥିଲା। ତାଙ୍କର ଏବେ ଜଣେ ୧୩ ବର୍ଷ କନ୍ୟା ଅଛି। ତେବେ ଅଧିକାଂଶ ସମୟରେ ପତି-ପତ୍ନୀଙ୍କ ମଧ୍ୟରେ ଝଗଡ଼ା ହେଉଥିବା ଜଣାପଡ଼ିଛି।