Odiapua.com

ସ୍ୱାସ୍ଥ୍ୟସେବା ପ୍ରଦାନରେ ଅବହେଳା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କ ଚେତାବନୀ, ରୋଗୀଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ ପାଇଁ ଚାକିରୀରୁ ବହିଷ୍କୃତ ହେଲେ ପୁନଃ ନିଯୁକ୍ତ ଡ଼ାକ୍ତର

ଭଦ୍ରକ, ୨୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅବସରପ୍ରାପ୍ତ ଟି.ବି. ରୋଗ ବିଶେଷଜ୍ଞ ଡ଼ା. ବେଣୁଧର ନାୟକ ଏକବର୍ଷ ପାଇଁ ପୁନଃ ନିଯୁକ୍ତି ପାଇ ଭଦ୍ରକ ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାରେ କାର୍ଯ୍ୟରତ ଥିଲେ । କିନ୍ତୁ ରୋଗୀମାନଙ୍କ ପ୍ରତି ତାଙ୍କର ଖରାପ ବ୍ୟବହାର ପ୍ରଦର୍ଶନ ନେଇ ଅଭିଯୋଗ ହୋଇ ଆସୁଥିଲା । ୧୯ ତାରିଖ ଦିନ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ମୁଖ୍ୟ ଡ଼ାକ୍ତରଖାନା ପରିଦର୍ଶନ କରୁଥିବା ସମୟରେ ଏ ଘଟଣାର ସତ୍ୟାସତ୍ୟ ତାଙ୍କ ନଜରକୁ ଆସିଥିଲା । ତତ୍‌କ୍ଷଣାତ୍ ଡ଼ା. ନାୟକଙ୍କୁ ଚାକିରୀରୁ ବହିଷ୍କାର କରିବାକୁ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ସନ୍ତୋଷ କୁମାର ପାତ୍ରଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ତଦନୁଯାୟୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଆଦେଶ ବଳରେ ଡ଼ା. ଶ୍ରୀ ନାୟକଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି । ଉତ୍ତମ ସ୍ୱାସ୍ଥ୍ୟ ସେବା ପ୍ରଦାନରେ ଅବହେଳା ପ୍ରଦର୍ଶନ କରିବାର ପ୍ରମାଣ ଦୃଷ୍ଟିଗୋଚର ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଥିଲେ ।