Odiapua.com

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଜିଲ୍ଲାବାସୀଙ୍କୁ ଉପକ୍ଷୋ : ପ୍ରତିବାଦ ପାଇଁ ସାମାଜିକ ନ୍ୟାୟ ଅଭିଯାନର ଆହ୍ୱାନ

ବାଲେଶ୍ୱର, ୨୦ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱରରେ ଏମ୍‌ସ ସୁପର ସ୍ପେଶିଆଲିଟି ହସପିଟାଲ ଓ ପବ୍ଲିକ ହେଲ୍‌ଥ ସ୍କୁଲ ପ୍ରତିଷ୍ଠାରେ ବିଳମ୍ବକୁ ନେଇ ଉଦ୍‌ବେଗ ପ୍ରକାଶ କରିଛି ସାମାଜିକ ନ୍ୟାୟ ଅଭିଯାନ ସଂଗଠନ। ଏନେଇ ସଂଠନର ଆବାହକ ଅକ୍ଷୟ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜଳେଶ୍ୱରର ପୂର୍ବତନ ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦ ଯୋଗଦେଇ ବାଲେଶ୍ୱର ସଦର ଉପ-ନିର୍ବାଚନ ସମୟରେ ଜନସାଧାରଣ ଏହାର ପ୍ରତିବାଦ ଜଣାଇବାକୁ ଆହ୍ୱାନ ଦେଇଥିଲେ। ତତ୍କାଳୀନ ୟୁପିଏ ସରକାରଙ୍କ ସମୟରେ ବାଲେଶ୍ୱରର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ଉଦ୍ୟମରେ ବାଲେଶ୍ୱରଠାରେ ଏମ୍‌ସ ସାଟେଲାଇଟ ସେଂଟର ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା। ଏଥିପାଇଁ ୪୫୦ କୋଟି ବ୍ୟୟ ଅଟକଳ ସହ ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଥିଲା ବୋଲି ଶ୍ରୀ ଚାନ୍ଦ ସୂଚନା ଦେଇଥିଲେ। ମାତ୍ର ୨୦୧୪ ମସିହାରେ କ୍ଷମତାକୁ ଆସିବା ପରେ ଏନଡିଏ ସରକାର ସମ୍ପୃକ୍ତ ପ୍ରକଳ୍ପକୁ ସ୍ଥାନାନ୍ତର ପାଇଁ ଉଦ୍ୟମ କରିଥିଲେ। ମାତ୍ର ଜନସାଧାରଣଙ୍କ ବିରୋଧ ଯୋଗୁଁ କେନ୍ଦ୍ର ସରକାର ବାଲେଶ୍ୱରରେ ଏମ୍‌ସ ସୁପର ସ୍ପେଶିଆଲିଟି ହସପିଟାଲ ଓ ପବ୍ଲିକ ହେଲ୍‌ଥ ସ୍କୁଲ ପ୍ରତିଷ୍ଠା ପାଇଁ ଘୋଷଣା ସହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ଏଥିପାଇଁ ପ୍ରାଥମିକ ଭାବେ ମାତ୍ର ୩୫ କୋଟି ଟଙ୍କାର ଅନୁଦାନ ଦେଇ ସମଗ୍ର ପ୍ରକଳ୍ପର ଏକ ଛୋଟିଆ ଅଂଶ ନିର୍ମାଣ କରୁଥିବା ଶ୍ରୀ ଚାନ୍ଦ ଅଭିଯୋଗ କରିଛନ୍ତି। ତେବେ ବାଲେଶ୍ୱର ସମେତ ସମଗ୍ର ଉତର ଓଡିଶା, ଏପରିକି ପୋଡଶୀ ପଶ୍ଚିମବଙ୍ଗ, ଝାଡଖଣ୍ଡ ଓ ବିହାର ଭଳି ରାଜ୍ୟର ଜନସାଧାରଣଙ୍କୁ ଉତମ ଓ ଆଧୁନିକ ସ୍ୱାସ୍ଥ୍ୟ ସେବା ଯୋଗଇଦେବା ପାଇଁ ସମ୍ପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟକାରୀ ହେବା ଏକାନ୍ତ ଆବଶ୍ୟକ ବୋଲି ଶ୍ରୀ ଚାନ୍ଦ କହିଥିଲେ। ଏହି ପ୍ରକଳ୍ପର କାର୍ଯ୍ୟକାରିତା ପାଇଁ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଥିବା ବେଳେ ଚଳିତ ଉପ-ନିର୍ବାଚନରେ ଜନସାଧାରଣ ପ୍ରାର୍ଥୀଙ୍କ ସମେତ ନିର୍ବାଚନ ପ୍ରଚାରରେ ଆସୁଥିବା ନତୃବର୍ଗଙ୍କ ନିକଟରେ ପ୍ରତିବାଦ ଜଣାଇବାକୁ ଶ୍ରୀ ଚାନ୍ଦ ଆହ୍ୱାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ନଶିତ୍ ବାରିକ, ବଡ଼ସାହି ବ୍ଲକ ସଭାପତି ଖଗେଶ୍ୱର ନାୟକ, ସଂଜୟ ବେହେରା ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।