Odiapua.com

ସ୍ୱାସ୍ଥ୍ୟସେବାରେ ଗୋଷ୍ଠୀ ସହଭାଗିତା, ଆଶା ଓ ଅନ୍ୟ ସ୍ୱାସ୍ଥ୍ୟ ସମିତି ମାନଙ୍କର ବାର୍ଷିକ ସମାବେଶ

ଭଦ୍ରକ, ୨୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସ୍ୱାସ୍ଥ୍ୟ ବିଭାଗ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ଦ୍ୱାରା ଆଜି ଶହୀଦ ସ୍ମୃତି ଭବନରେ ଆଶା, ଗାଁ କଲ୍ୟାଣ ସମିତି, ମହିଳା ଆରୋଗ୍ୟ ସମିତି, ଜନ ଆରୋଗ୍ୟ ସମିତି ମାନଙ୍କୁ ନେଇ ଜିଲ୍ଲା ସ୍ତରୀୟ ବାର୍ଷିକ ସମାବେଶ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଜିଲ୍ଲା ପରିଷଦର ସଭାପତି ପ୍ରଫୁଲ୍ଲ କୁମାର ଜେନା ଉଦ୍‌ଘାଟକ ଭାବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ୱାସ୍ଥ୍ୟ ସେବାରେ ଗୋଷ୍ଠୀ ସହଭାଗିତାର ଉପଯୋଗିତା କୁ ପ୍ରତିପାଦିତ କରିବାକୁ ଯାଇ ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ମାନଙ୍କ ଉତ୍ସର୍ଗୀକୃତ ସେବା ପ୍ରଦାନ ଉପରେ ସମାଜ ର ସୁସ୍ଥତା କିପରି ନିର୍ଭର କରେ ବୁଝାଇଥିଲେ। ପୁଣି ଆସନ୍ନ ପ୍ରସବା ମହିଳାଙ୍କ ଗର୍ଭ ବେଦନା ସମୟରେ ନୂତନ ସମ୍ଭାବନାକୁ ଦୁନିଆକୁ ଆଣିବା ଦିଗରେ ଆଶାକର୍ମୀ ମାନଙ୍କ କର୍ତ୍ତବ୍ୟ କେତେ ମହତ୍ୱପୂର୍ଣ୍ଣ ତାହା ମଧ୍ୟ ପ୍ରକାଶ କରିଥିଲେ। ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ମୁଖ୍ୟ ଅତିଥି ଭାବେ ଏଥିରେ ଯୋଗଦେଇ ମାନବ ସେବା ହିଁ ମାଧବ ସେବା ବୋଲି ବୁଝାଇବା ସହିତ ବୈଠକରେ ଉପସ୍ଥିତ ସମ୍ବର୍ଦ୍ଧିତ ହେବାକୁ ଥିବା ପ୍ରତିଭା ମାନଙ୍କୁ ଉତ୍ସାହିତ କରିଥିଲେ।

ଆଭା ରେ ଭଦ୍ରକ ଜିଲ୍ଲା ରାଜ୍ୟ ତଥା ଜାତୀୟ ସ୍ତରରେ ପ୍ରଥମ ହେବା ଦଳଗତ କାର୍ଯ୍ୟର ଏକ ବଡ଼ ଉଦାହରଣ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ। ସ୍ୱାସ୍ଥ୍ୟ ସେବା ଭଳି ଅନେକ ଯୋଜନାର ସଫଳତା ପାଇଁ ତୃଣମୂଳ ସ୍ତରରେ ସଚେତନତା ବୃଦ୍ଧି ଅଙ୍ଗନବାଡ଼ି ଓ ଆଶା କର୍ମୀ ମାନଙ୍କ ଠାରୁ ଆରମ୍ଭ ହୋଇଥାଏ ବୋଲି ମଧ୍ୟ ଜିଲ୍ଲାପାଳ ବକ୍ତବ୍ୟ ପ୍ରସଙ୍ଗରେ କହିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ସନ୍ତୋଷ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିଭାବେ ଡା ସନ୍ତୋଷ କୁମାର ପୃଷ୍ଟି, ଡା ମୂରଲୀଧର ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ମହିଳା ସୁରକ୍ଷା ଅଧିକାରୀ ଚନ୍ଦ୍ରା ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ କାୟାକଳ୍ପ ବିଜେତା ଭାବେ ବାସୁଦେବପୁର ର ବଇଁଚା ପି.ଏଚ୍‌.ସି ଓ ଧାମନଗର ର ଦୋବଲ ଏସ୍‌.ଏଚ୍‌.ସି ସହିତ ଅନ୍ୟ ୧୬ଟିକୁ ଶାନ୍ତ୍ୱନା ମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା। ଅନ୍ୟ ସମସ୍ତ ବର୍ଗର ପୁରସ୍କାର ୨୦୨୨-୨୩ ବର୍ଷ ପାଇଁ ଥିଲା। ଏମ୍‌.ଆଇ.ଏସ୍‌. ଅଭିଯାନରେ ସାମଗ୍ରୀକ ସଫଳତା ପାଇଁ ବାସୁଦେବପୁର ବ୍ଲକ, ଭଣ୍ଡାରିପୋଖରୀ ଏବଂ ଆଗରପଡ଼ା ପୁରସ୍କାର ପାଇଥିଲେ। ସାମଗ୍ରୀକ ସଫଳତାରେ ଏସ୍‌.ଏଚ୍‌.ସି ଆଡ଼ିଆ ବନ୍ତକୁ ୪୦, ୦୦୦/- ଟଙ୍କା, କରଦା, ଧାମନଗର୍ କୁ ୨୦, ୦୦୦/- ଟଙ୍କା, ବେତଡ଼ା, ବାସୁଦେବପୁରକୁ ୧୦, ୦୦୦/- ଟଙ୍କାର ଆର୍ଥିକ ପୁରସ୍କାର ସହ ସମ୍ବର୍ଦ୍ଧିତ କରାଯାଇଥିଲା।

ସାମଗ୍ରୀକ ସଫଳତାରେ ବେଷ୍ଟ ଏସ୍‌.ଏଚ୍‌.ସି. ଭାବେ ଛଡ଼ାକ ମହଲା ଏସ୍‌.ଏଚ୍‌.ସି ପୁରସ୍କୃତ ହୋଇଥିଲା। ବେଷ୍ଟ ମହିଳା ଆରୋଗ୍ୟ ସମିତି ୨୫ଟି ସମିତିକୁ ଆର୍ଥିକ ପୁରସ୍କାର ୩୦୦୦/- ସହିତ ପୁରସ୍କୃତ କରାଯାଇଥିଲା। ସେହିପରି ଆଭା ଆଇ.ଡ଼ି.ରେ ମଧ୍ୟ ବାସୁଦେବପୁର, ଭଣ୍ଡାରିପୋଖରୀ ଏବଂ ଆଗରପଡ଼ା ଯଥାକ୍ରମେ ପୁରସ୍କାର ଗ୍ରହଣ କରିଥିଲେ। ବର୍ଷର ବେଷ୍ଟ ଆଶା ଭାବେ ୮ ଜଣ ଅଶା କର୍ମୀଙ୍କୁ ଆର୍ଥିକ ପୁରସ୍କାର ୪, ୫୦୦/- ଲେଖାଏଁ ସହିତ ସମ୍ବର୍ଦ୍ଧିତ କରାଯାଇଥିଲା। ବେଷ୍ଟ ଜି.କେ.ଏସ୍ ରେ ୭ଟି ସମିତିକୁ ୧୦, ୦୦୦/- ଆର୍ଥିକ ପୁରସ୍କାର ସହ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ଏମ୍‌.ଆଇ.ଏସ୍‌. ଅଭିଯାନର ବିଭିନ୍ନ ପୋର୍ଟାଲ, ଇ.ସଞ୍ଜିବନୀ ଆଦି ବର୍ଗର ଉତ୍କର୍ଷତା ପ୍ରଦର୍ଶନ କରିଥିବା ଅନୁଯାୟୀ ସମ୍ବର୍ଦ୍ଧିତ କରାଯାଇଥିଲା। ଡ଼ି.ପି.ଏମ୍ ସରିତା ମହାପାତ୍ର ଏହି କାର୍ଯ୍ୟକ୍ରମର ସଂଯୋଜନାରେ ଆନୁସଙ୍ଗିକ ସହଯୋଗ କରିଥିଲାବେଳେ ଆକାଉଣ୍ଟ ମ୍ୟାନେଜର ବିପ୍ଳବ ପତି ମଞ୍ଚ ପରିଚାଳନା କରିଥିଲେ।