Odiapua.com

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବିବୃତି ପରେ… ଭଦ୍ରକରେ ମେଡିକାଲ କଲେଜ ସ୍ଥାପନ ଆଶା ପୁନଃ ଉଜ୍ଜୀବିତ!

ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟର ସବୁ ଜିଲାରେ ମେଡିକାଲ କଲେଜ ସ୍ଥାପନ ହେବ ବୋଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ବିବୃତି ପରେ ଭଦ୍ରକରେ ମେଡିକାଲ କଲେଜ ସ୍ଥାପନ ନେଇ ନୂତନ ଆଶା ସଂଚାର ହୋଇଛି। ଭଦ୍ରକରେ ମେଡିକାଲ କଲେଜ ସ୍ଥାପନ ଲାଗି ଦୀର୍ଘ ଦଶନ୍ଧି ଧରି ଦାବି ହେଉଛି। ଭଦ୍ରକର ପଡୋଶୀ ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ଯାଜପୁର ଆଦି ଜିଲା ମେଡିକାଲ କଲେଜ ପାଇଥିବା ବେଳେ ଭଦ୍ରକ କ୍ଷେତ୍ରରେ କେବଳ ବ୍ୟତିକ୍ରମ ପରିଲକ୍ଷିତ ହୋଇଛି। ତେବେ ଭୌଗୋଳିକ ଦୃଷ୍ଟିକୋଣରୁ ଉତର ଓଡିଶାର କେନ୍ଦ୍ରସ୍ଥଳରେ ଭଦ୍ରକର ଅବସ୍ଥିତି। ୪ଟି ଯାକ ପେଡାଶୀ ଜିଲାର ସୀମାନ୍ତ ଅଂଚଳର ହଜାର ହଜାର ଲୋକ ସ୍ୱାସ୍ଥ୍ୟସେବା ପାଇଁ ଭଦ୍ରକ ଉପରେ ନିର୍ଭରଶୀଳ। ମାତ୍ର ଭଦ୍ରକରେ ମେଡିକାଲ କଲେଜ ସ୍ଥାପନ ନେଇ ଗତ ସରକାର ଆଦୌ ଆନ୍ତରିକତା ଦେଖାଇନଥିଲେ। ଗୋଟିଏ ପରେ ଗୋଟିଏ ପଡୋଶୀ ଜିଲା ପାଇଁ ମେଡିକାଲ କଲେଜ ଘୋଷଣା ହୋଇଥିଲେ ବି ଭଦ୍ରକ ପାଇଁ କିଛି ହେଲା ନାହିଁ। ରାଜନୈତିକ ସଦିଚ୍ଛାର ଅଭାବ ଏହାର ମୁଖ୍ୟକାରଣ ବୋଲି କୁହାଯାଇଥିଲା। ଧାମନଗର ଉପନିର୍ବାଚନ ହେଉ କି ୨୦୨୪ ସାଧାରଣ ନିର୍ବାଚନ ହେଉ ସବୁଥିରେ ମେଡିକାଲ କଲେଜ ସ୍ଥାପନ ପ୍ରସଙ୍ଗ ହୋଇଥିଲା। ବିଜେପି ପକ୍ଷରୁ ମେଡିକାଲ କଲେଜ ସ୍ଥାପନ ନହେବାକୁ ନେଇ ଶାସକ ବିଜେଡି ବିରୋଧରେ ବେଶ ପ୍ରଚାର କରାଯାଇଥିଲା। ଏବେ ରାଜ୍ୟରେ ସରକାର ବଦଳିବା ପରେ ମେଡିକାଲ କଲେଜ ସ୍ଥାପନ ପ୍ରସଙ୍ଗ ପୁଣି ଉଜ୍ଜୀବିତ ହୋଇଛି। ବିଧାନସଭା ଅଧିବେଶନରେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ ମେଡିକାଲ କଲେଜ ସ୍ଥାପନ କେବେ ହେବ ସେଥିନେଇ ଗୃହରେ ପ୍ରଶ୍ନ ଉତଥାପନ କରିଥିଲେ। ଅନୁରୂପ ଭାବେ ଭଦ୍ରକର ଶାସକଦଳର ବିଧାୟକ ସୀତାଂଶୁ ମହାପାତ୍ର ମଧ୍ୟ ଭଦ୍ରକ ଜିଲା ମୁଖ୍ୟ ଚିକିିତ୍ସାଳୟ ସମେତ ଜିଲାତମାମ ଖାଲି ପଡିଥିବା ଡାକ୍ତର ପଦ ପୂରଣ ସହ ଜିଲାରେ ମେଡିକାଲରେ କଲେଜ ସ୍ଥାପନ ପାଇଁ ବାଚସ୍ପତିଙ୍କ ଜରିଆରେ ସରକାରଙ୍କୁ ନିବେଦନ କରିଥିଲେ। ତେବେ ବିଜେପି ସରକାରର ୧୦୦ଦିନ ପୂର୍ତି ଅବସରରେ ରାଜଧାନୀରୁ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ସବୁ ଜିଲାରେ ମେଡିକାଲ କଲେଜ ହେବ କହିବା ପରେ ସ୍ୱାଭାବିକ ଭାବେ ଭଦ୍ରକରେ ମେଡିକାଲ କଲେଜ ସ୍ଥାପନ ହେବାର ଆଶା ପୁନଃ ସଂଚାରିତ ହୋଇଛି। ସୂଚନାଥାଉକି; ଗତ ବିଜେଡି ସରକାର ଚତୁର୍ଥ ପାଳିରେ ମଧ୍ୟ ଅନୁରୂପ ଘୋଷଣା କରାଯାଇଥିଲା। ପିପିପି ମୋଡରେ ରାଜ୍ୟର ସମସ୍ତ ଜିଲା ସଦର ମହକୁମାରେ ମେଡିକାଲ କଲେଜ ସ୍ଥାପନ ହେବ ବୋଲି କୁହାଯାଇଥିଲା। ଏମିତି ଏମିତି ସରକାର ବଦଳିଗଲା ହେଲେ କିଛି ହେଲା ନାହିଁ। ଏବେ ନୂତନ ସରକାରରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବିବୃତି କେବେ ବାସ୍ତବ ରୂପ ନେଉଛି ତାହା ଲକ୍ଷ୍ୟ କରିବାର କଥା।