Odiapua.com

ସ୍ୱାର୍ଥ ସରିଗଲେ କାଶିଆ କିଏ ନା କପିଳା କିଏ ?

ମନୁଷ୍ୟ ଶ୍ରେଷ୍ଠ ଜୀବ ଓ ଶିକ୍ଷାଦୀକ୍ଷାର ଅଧିକାରୀ ହୋଇ ଚିନ୍ତା କରିବା କଥା ଆମର ଉନ୍ନତି ପଛରେ କାହାର ବିଶେଷ ଅବଦାନ ରହିଛି, ଯାହା ବିନା ଏହା ସମ୍ଭବ ହୋଇପାରିନଥାନ୍ତା। ମନୁଷ୍ୟ ଯେତେବେଳେ କୌଣସି କାର୍ଯ୍ୟରେ ସଫଳ ହୁଏ, ସେ ତା’ର ନିଜସ୍ୱ କୃତିତ୍ୱକୁ ଅନ୍ୟ ଆଗରେ ଦର୍ଶାଇଥାଏ, କ୍ଵଚିତ ଲୋକ ଅନ୍ୟକୁ ଶ୍ରେୟ ଦେବାକୁ ଭୁଲନ୍ତି ନାହିଁ। ଅନେକ ଅଛନ୍ତି ସେମାନେ ନିଜେ ସଳିତା ଭଳି ଜଳି ଜଳି ଅନ୍ୟକୁ ଆଲୋକ ଦେବାରେ ଲାଗିଥାନ୍ତି, ଲୋକେ ଆଲୁଅର ବ୍ୟବହାର କରନ୍ତି ସତ, କିନ୍ତୁ ସେ ସଳିତାକୁ କେହି ମନେପକାନ୍ତି ନାହିଁ। ବାସ୍ତବରେ କିଏ ମନେପକେଇବା କଥା? ଯିଏ ତାର ସମୁଚିତ ଲାଭ ପାଇଛି, ସିଏ ହିଁ ତାକୁ ଜନ ମାନସକୁ ଆଣିବା କଥା। ଆଜିକାଲି ତ ସ୍ୱାର୍ଥ କେନ୍ଦ୍ରିକ ଅନେକ, ସ୍ୱାର୍ଥ ସରିଗଲେ କାଶିଆ କିଏ ନା କପିଳା କିଏ? ରାମ ଚରିତ ମାନସରେ ବର୍ଣ୍ଣନା ହୋଇଛି, ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କର ଯେଉଁ ବିମଳ ପତାକା ଉଡ଼ିଛି ତାର ଦଣ୍ଡ ବାଡ଼ି ରୂପେ ଲକ୍ଷ୍ମଣଙ୍କୁ ଶ୍ରେୟ ଦିଆଯାଇଛି କାରଣ ପତାକା ଦଣ୍ଡ ବାଡ଼ିର ବିନା ସାହାଯ୍ୟରେ ଉଡ଼ିପାରେନା।

ଅନେକ ଲୋକ ଅଛନ୍ତି, ଯେଉଁମାନେ ଦିନ-ରାତି କଠିନ ପରିଶ୍ରମ କରନ୍ତି। ପରିଶ୍ରମ କରିବା ପାଇଁ ସେ କୌଣସି ପ୍ରକାର ପଛଘୁଞ୍ଚା ଦିଅନ୍ତି ନାହିଁ, ନିଜର ଜ୍ଞାନ, ଯୋଗ୍ୟତା ଓ ପଦବୀ ଅନୁସାରେ କାର୍ଯ୍ୟ କରିଥାନ୍ତି। ସେମାନେ କାର୍ଯ୍ୟକୁ ସଫଳତାର ଶିଖରରେ ପହଞ୍ଚାଇଥାନ୍ତି। କିନ୍ତୁ ତା’ର ଶ୍ରେୟ ସେମାନଙ୍କୁ ମିଳେନି, ଅଧିକାଂଶ ସମୟରେ ଦେଖାଯାଏ ତା’ର ଶ୍ରେୟ ଅନ୍ୟମାନେ ନିଅନ୍ତି। ଏମିତି ଅନେକ ଘଟଣା ଅଛି କିନ୍ତୁ ଗୋଟେ ଘଟଣା ଆମ ଗାଁରେ ଘଟିଥିଲା। ଆମ ଗ୍ରାମରେ ଥରେ ଡ୍ରାମା ହୋଇଥିଲା, ନାଟକର ନାମ ଥିଲା ସୀତା ପାତାଳି। ଗ୍ରାମର କିଛି ଲୋକ, ପୁରୁଷ ଓ ସ୍ତ୍ରୀ ଭୂମିକାରେ ନାଟକଟି ପରିବେଷଣ କରିଥିଲେ। ନାଟକ ଅତି ଉଚ୍ଚକୋଟିର ହୋଇଥିଲା, ଆଖପାଖ ଅଞ୍ଚଳରେ ସବୁ ଲୋକମାନଙ୍କୁ ଭଲ ଲାଗିଥିଲା। ଏପରିକି ଲୋକମାନେ କହିଲେ ଆଗାମୀ ଦୋଳ ଉତ୍ସବକୁ ପୁଣି ଆଉ ଥରେ ନାଟକଟି ପରିବେଷଣ କରାଯାଉ। ଏହା ଦ୍ୱାରା ସମସ୍ତ କଳାକାରମାନେ ମଧ୍ୟ ତାଙ୍କର କୃତିତ୍ୱକୁ ନେଇ ଗର୍ବିତ ଥିଲେ। କିଛି ଦିନ ପରେ ଦଶମ ବୋର୍ଡ଼ ପରୀକ୍ଷାର ଫଳ ବାହାରିଲା, ଅଧିକାଂଶ ପିଲାଙ୍କର ପରୀକ୍ଷା ଫଳ ଭଲ ହୋଇଥାଏ। କିନ୍ତୁ ଆମ ଗାଁ ରଙ୍କ ମଉସାଙ୍କ ପୁଅ ଅଳସୁର ପରୀକ୍ଷା ଫଳ ଖରାପ ହୋଇଥାଏ। ରଙ୍କ ମଉସା ଅଳସୁକୁ ବହୁତ ଗାଳି କରି କହିଲେ, ମୋ ନାଁ ପକେଇଲୁ ମୋ ପୁଅ ହେଇକି। ତୋର ନାମ ଅଳସୁ ରଖି ଭୁଲ କରିଛି, ଅଳସୁଆ ରଖିଥିଲେ ଭଲ ହୋଇଥାନ୍ତା, ପରୀକ୍ଷା ଫଳ ଖରାପ କଲୁ, ପାଠ ପଢାରେ ମନ ଦେଲୁନି। ପ୍ରତିଦିନ ସନ୍ଧ୍ୟା ହେଲେ ଡ୍ରାମାର ଅଭ୍ୟାସ ପାଇଁ ଯାଉଥିଲୁ, କ’ଣ ନା ମୁଁ ଡ୍ରାମାରେ ଭାଗ ନେଇଛି, କିନ୍ତୁ ଡ୍ରାମାରେ ତୋତେ ଦେଖିବାକୁ ପାଇଲିନି କି ତୋର ପ୍ରଶଂସା କେଉଁଠି ଶୁଣିବାକୁ ମିଳିଲା ନାହିଁ। ତୋ ଦ୍ୱାରା ଶାଗ ସିଝିବନି, କୁଳାଙ୍ଗାର। ଅଳସୁ କହିଲା ବାପା ସେମାନେ ସିନା ପ୍ରଶଂସା ପାଇଲେ କିନ୍ତୁ ମୋ ଯୋଗୁ ସେ ନାଟକଟି ଭଲ ହେଇଥିଲା। କାରଣ ସୀତା ମାତାଙ୍କର ପାତାଳି ଦୃଶ୍ୟକୁ ମୁଁ ଭଲଭାବରେ ସମ୍ପାଦନ କରିଥିଲି। ପେଣ୍ଡାଲର ମଝିରେ ଯେଉଁ କାଠ ପଟା ଦେଇ ମାତା ସୀତା ଭିତରକୁ ପ୍ରବେଶ କରି ପାତାଳି ହେଲେ ସେହି ପଟାକୁ ମୁଁ ନାଟକ ଆରମ୍ଭରୁ ଶେଷଯାଏ ଧରି ରହିଥିଲି। ମୁଁ ପଟାଟି ଧରି ଘୁଞ୍ଚିବାରୁ ସୀତା ମାତା ପାତାଳି ହେଲେ, ଯାହାକି ସେହି ଦୃଶ୍ୟଟି ନାଟକର ମୁଖ୍ୟ ଆକର୍ଷଣ ଥିଲା। କୌଣସି କାମ ଛୋଟ ନୁହେଁ, ମୋତେ ଦିଅଯାଇଥିବା କାର୍ଯ୍ୟଟି ମୁଁ ସୁଚାରୁ ରୂପେ କରିଥିଲି। ଅଳସୁ ଯାହା କହୁଥିଲା ଠିକ୍ କଥା, ନାଟକଟିରେ ତା ଭୂମିକାର ବି ଗୁରୁତ୍ୱ ଥିଲା। ଯେମିତିକି ଜୀବନ ରସପୂର୍ଣ ହେବ ନାହିଁ ବେସୁରା ଗୀତ ଶୁଣିବାରେ, ଗୀତଟି ପରିବେଷଣ କରିବା ପାଇଁ ଗୀତ-ଲୟ-ତାଳର ଏକ ଉତ୍ତମ ସଙ୍ଗମ ଆବଶ୍ୟକ ହୋଇଥାଏ, ଗୋଟିଏ ଅଭାବରେ ଦୁଇଟି ଉପରେ ପ୍ରଭାବ ପଡେ। ସେମିତି ସଫଳତା କୌଣସି ଗଛର ଫଳ ନୁହେଁ ଯେ ଜଣେ ତାକୁ ତୋଳି ଆଣିଥାଏ, ଏହା ପଛରେ ଅନେକ ବ୍ୟକ୍ତିଙ୍କର ସାହାଯ୍ୟ ଓ ସହଯୋଗ ଥାଏ। ଅନେକ କାମ କରନ୍ତି କିନ୍ତୁ ନା ସେମାନଙ୍କୁ ପ୍ରଶଂସା କରାଯାଏ ନା ଶ୍ରେୟ ଦିଆଯାଏ, ନା ସେମାନଙ୍କ ସାହାଯ୍ୟ ସହଯୋଗକୁ ଗୁରୁତ୍ୱ ଦିଆଯାଏ। ତେଣୁ ସଫଳତା ପଛରେ ଯେଉଁ ମାନଙ୍କର ସାହାଯ୍ୟ, ସହଯୋଗ ଗୁଡିକ ପରୋକ୍ଷ କିମ୍ବା ପ୍ରତ୍ୟକ୍ଷ ଭାବରେ ଅଛି, ସେମାନଙ୍କୁ କାୟ-ମନ-ବାକ୍ୟରେ ଉଚିତ ମୂଲ୍ୟ ଓ ଶ୍ରେୟ ଦିଆଯିବା ଆବଶ୍ୟକ।

ଡ. ଗଣେଶ ଚନ୍ଦ୍ର କୁଣ୍ଡ
ପଟାମୁଣ୍ଡାଇ, କେନ୍ଦ୍ରାପଡା