ପରିବର୍ତ୍ତିତ ଅବସ୍ଥାରେ ପ୍ରେମ ଓ ତା’ର ପରିଭାଷା ହଜି ହଜି ଯାଉଛି। କେଉଁଠି କାହାର ପ୍ରେମରେ ପୂର୍ଣ୍ଣଛେଦ ପଡିଯାଉଛି ତ, ପୁଣି କେଉଁଠି ବିବାହ ପୂର୍ବରୁ ପ୍ରେମ ବିଚ୍ଛେଦ, ପୁଣି କେଉଁଠି ପ୍ରେମ ବିବାହ ପରେ ବିଶୃଙ୍ଖଳା ଓ ଛାଡ଼ପତ୍ର। ଆମ ସମାଜରେ ପ୍ରେମଜନିତ ଯାହା ଯାହା ସବୁ ଘଟୁଛି ସେଥିରୁ ଜଣା ପଡିଯାଉଛି ଯେ ଆଜିକାଲିକା ପ୍ରେମର ସଂଜ୍ଞା କ’ଣ ? ଏହାର ଉଦ୍ଦେଶ୍ୟ କ’ଣ ? ଆଧୁନିକ ଯୁଗରେ ପ୍ରେମ ଅଳ୍ପ ସମୟର ଦେଖାସାକ୍ଷାତ କିମ୍ବା ବିନା ଦେଖା ସାକ୍ଷାତରେ ମଧ୍ୟ ହୋଇଯାଉଛି। ଏମିତି ମଧ୍ୟ ଦେଖିବାକୁ ମିଳେ ସୋସିଆଲ ମେଡିଆ ମାଧ୍ୟମରେ ଅଥବା ମୋବାଇଲ ମିସିଡ଼ କଲରୁ ପ୍ରେମ ଗଢ଼ିଉଠୁଛି। ସବୁ କିଛି ଦେବାନେବା ଓ ଦେଖାଇ ହେବାରେ ଚାଲିଛି ପ୍ରେମ। ମନର ଆକାଂକ୍ଷାକୁ ପୁରା କରିବା ପାଇଁ ଅନେକ ପ୍ରେମ କରୁଛନ୍ତି ଯେଉଁଥିରେ ତିଳେ ମାତ୍ର ତ୍ୟାଗ ନାହିଁ ଯାହାକି ମିଛ, ପ୍ରତାରଣା ଏବଂ ଧୋକାରେ ପରିଣତ ହେଉଛି। ଜଣେ ଅନ୍ୟକୁ ଭଲ ଭାବରେ ଜାଣିବା ଓ ବୁଝିବା ଆଗରୁ ବିବାହ ପାଇଁ ଚିନ୍ତା କରୁଛନ୍ତି। ପସନ୍ଦର ବ୍ୟକ୍ତିଙ୍କୁ ଭଲ ପାଇବା ପୂର୍ବରୁ ନିଜକୁ, ପରିବାରକୁ ଓ ନିଜର ସ୍ଥିତି ଉପରେ ଭଲ ଭାବରେ ନଜର ଦେଉନାହାନ୍ତି। ଯେଉଁ ପରିବାରରେ ସେମାନେ ଛୋଟରୁ ବଡ଼ ହୋଇଛନ୍ତି ସେହି ସଂପର୍କକୁ ଖୁବ ଅଳ୍ପ ଦିନ ମଧ୍ୟରେ ପାଦରେ ଏଡେଇ ଦେଉଛନ୍ତି। କେହି କେହି ପ୍ରେମରେ ଅସଫଳ ହେଲେ କିମ୍ବା ସ୍ୱାର୍ଥ ପୂରଣରେ ବାଧା ସୃଷ୍ଟି ହେଲେ, ସେମାନେ ପ୍ରେମ ଭଳି ଏକ ପବିତ୍ର ସମ୍ପର୍କକୁ ଅପବିତ୍ର କରି ଦେଉଛନ୍ତି। ନିଜେ ଯାହା ଯାହା ସବୁ ଖରାପ କାର୍ଯ୍ୟ କରୁଛନ୍ତି ତାକୁ ସୋସିଆଲ ମେଡିଆ ମାଧ୍ୟମରେ ପ୍ରସାରଣ କରି ସମସ୍ତଙ୍କୁ ଦେଖାଉଛନ୍ତି। ଏହା ଦ୍ୱାରା ସେମାନେ କଳୁଷିତ ହେବା ସହିତ ଏହାର ଖରାପ ପ୍ରଭାବ ସମାଜ ଉପରେ ପଡୁଛି। ତେଣୁ ଅଭିଭାବକ ମାନେ ପିଲାଙ୍କ ସହିତ ବନ୍ଧୁ ଭଳି ବ୍ୟବହାର କରିବା ସହିତ ସେମାନଙ୍କର ମାନସିକ ସ୍ଥିତିକୁ ବୁଝିବା ଆବଶ୍ୟକ। ପିଲାମାନେ ଯେଭଳି ଅବାଟକୁ ନଯିବେ ସେଥିଲାଗି ଅଭିଭାବକ ଦୃଷ୍ଟି ଦେବା ଉଚିତ।
ସମୟକ୍ରମେ ପ୍ରେମ ଏମିତି ହେଲାଣି ଯେ ଯଦି ପ୍ରେମୀଯୁଗଳ ମଧ୍ୟରେ କିଛି ମନୋମାଳିନ କିମ୍ବା ବିଶୃଙ୍ଖଳା ହେଉଛି ତାହା ନିମିଷକେ ମଧ୍ୟରେ ଦାଣ୍ଡରେ ପଡି ହାଟରେ ଗଡୁଛି। ନା ସେମାନଙ୍କର ସହିବାର ଶକ୍ତି ଅଛି ନା ବୁଝିବାକୁ ଜ୍ଞାନ ଅଛି। ଯେମିତି ଲାଗେ ସେମାନେ ଗୋଟେ ପ୍ରତିଯୋଗିତାରେ ଭାଗ ନେଇଛନ୍ତି, ବହୁ ମାତ୍ରାରେ ଚେଷ୍ଟା କରିଥାନ୍ତି ଜଣେ ଅନ୍ୟ ଜଣକର ଦୋଷ ଦୁର୍ଗୁଣକୁ ସମାଜ ସମ୍ମୁଖରେ ପ୍ରମାଣିତ କରିବା ପାଇଁ। ସେମାନଙ୍କର ବିଶୃଙ୍ଖଳା ଏତେ ମାତ୍ରାରେ ଉଗ୍ରରୂପ ନେଉଛି ଯେ ପାରିବାରିକ ଜୀବନ ଧ୍ୱଂସ ହୋଇଯାଉଛି। ସର୍ବ ସମ୍ମୁଖରେ ପାରିବାରିକ ବିଶୃଙ୍ଖଳା ଓ ବ୍ୟକ୍ତିଗତ ମାମଲାକୁ ପ୍ରଦର୍ଶିତ କରିବା ଦ୍ୱାରା ସେମାନଙ୍କର ସମ୍ମାନ ହାନି ହେବା ସହିତ ଲୋକମାନଙ୍କର ଜୀବନ ଏବଂ ମାନସିକତା ଉପରେ ଏହାର ଖରାପ ପ୍ରଭାବ ପଡୁଛି।
ପ୍ରେମ କରି ଅନେକ ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି। ବିଶ୍ୱାସ କରାଯାଏ ବିବାହ ପରେ ସ୍ୱାମୀ ଆଉ ସ୍ତ୍ରୀ ୭ ଜନ୍ମ ପାଇଁ ଏକ ସୂତ୍ରରେ ବାନ୍ଧି ହୋଇଥାନ୍ତି କିନ୍ତୁ କେତେକ କ୍ଷେତ୍ରରେ ଦେଖାଯାଏ ଗୋଟିଏ ଜନ୍ମ ପାଇଁ ବି ସେମାନେ ସାଥିରେ ରହିବା ସମ୍ଭବ ହୋଇପାରୁନି। ଏଥି ପାଇଁ ଭିନ୍ନ ଭିନ୍ନ କାରଣ ମାନ ଥାଇପାରେ ଯେମିତିକି ପରସ୍ପର ଠାରୁ ଅଧିକ ଆଶା କରିବା, ଆର୍ଥିକ ସମସ୍ୟା, ପରସ୍ପରକୁ ସମୟ ଦେଇ ନପାରିବା ଓ ଭୁଲ ବୁଝାମଣା ଦ୍ୱାରା ସେମାନଙ୍କ ସଂପର୍କରେ ଫାଟ ସୃଷ୍ଟି ହୋଇଥାଏ। ଅଧିକାଂଶ ସମୟରେ ଛୋଟ ଛୋଟ କଥା ପାଇଁ ମଧ୍ୟ ପ୍ରେମ ବିବାହ ଟି ବିଚ୍ଛେଦରେ ପରିଣତ ହୋଇଯାଉଛି। ଯଦି କିଛି ମତାନ୍ତର ଓ ମନାନ୍ତର ଅଛି ତାହାକୁ ନିଜ ନିଜ ଭିତରେ ସମାଧାନ କରିବା ପାଇଁ ଉପାୟ ବାହାର କରିବା ବୁଦ୍ଧିମାନର ପରିଚୟ ଅଟେ।
କିନ୍ତୁ ପ୍ରକୃତ ପ୍ରେମ ହିଁ ସଂପର୍କକୁ ମଜବୁତ କରିଥାଏ। ଯେତେ ପ୍ରକାର ବାଧା ଆସିଲେ ମଧ୍ୟ ପ୍ରେମ ହିଁ ସେମାନଙ୍କ ମଧ୍ୟରେ ବିଶ୍ୱାସ ହୋଇ ଠିଆ ହୁଏ ଆଉ ଶକ୍ତି ଯୋଗାଏ। ପ୍ରେମ ହେଉଛି ଚିରନ୍ତନ ସତ୍ୟ, ଶାଶ୍ୱତ, ପବିତ୍ର, ସ୍ନେହ ଓ ସଂଯୋଗ। ଦୁଇଜଣଙ୍କ ମଧ୍ୟରେ ଥିବା ଦୟା, କ୍ଷମା, ସ୍ନେହ, ପ୍ରଣୟ ଇତ୍ୟାଦି ପ୍ରେମର ଗୋଟିଏ ଗୋଟିଏ ରୂପ ଅଟେ। ପ୍ରକୃତ ପ୍ରେମୀ ପରସ୍ପର ପ୍ରତି ଯତ୍ନବାନ ଥାଅନ୍ତି ଓ ପରସ୍ପରକୁ ଇଜ୍ଜତ ଦେଇଥାନ୍ତି। ଭବିଷ୍ୟତ ଯୋଜନାରେ ଉଭୟଙ୍କ ସହଯୋଗ ଥାଏ କାରଣ ସେମାନେ ଜୀବନ ସାରା ଜୀବନ ସାଥି ହୋଇ ରହିବେ। ଯେଉଁ କାମ କରିବାକୁ ଇଚ୍ଛା ନଥାଏ ତାହା କରିବାକୁ କେହି କାହାକୁ ବାଧ୍ୟ କରିନଥାନ୍ତି ଓ ସେମାନେ ପରସ୍ପରକୁ ବିଶ୍ୱାସ କରିଥାନ୍ତି। ଯେଉଁଠାରେ ପ୍ରେମ, ସେହିଠାରେ ଜ୍ଞାନ ଓ କର୍ତ୍ତବ୍ୟ ନିଷ୍ଠା। ଯେଉଁଠାରେ ଏହାର ବିପରୀତ ଭାବ ଅଛି ସେଠାରେ ପ୍ରକୃତ ପ୍ରେମ ହିଁ ନାହିଁ। କିଛି ଅର୍ଥ ଶୂନ୍ୟ କଥା ଅଛି ଯେମିତିକି ଅଗ୍ନିର ଉତ୍ତାପ ନାହିଁ; ସୂର୍ଯ୍ୟ ଅଛି କିନ୍ତୁ ଆଲୋକ ନାହିଁ, ସେପରି ଅର୍ଥଶୂନ୍ୟ ସେମାନଙ୍କର ପ୍ରେମ କାହାଣୀ। ପ୍ରେମ କରୁଛନ୍ତି ହେଲେ ଭଲ ପାଇବା ନାହିଁ କି ବିଶ୍ୱାସ ନାହିଁ। ପ୍ରେମ ପାଇବା ପାଇଁ ଭଲ ପାଇବା ଦରକାର, ମନକୁ ଜିଣିବା ଦରକାର। ଏହା କୌଣସି ବସ୍ତୁ କିମ୍ୱା ଜାଗା କିମ୍ବା ଟଙ୍କା ନୁହେଁ ଯାହାକୁ ବଳ ପୂର୍ବକ ନିଜର କରି ହେବ। ଲୋକ ଦେଖାଣିଆ ଓ ସ୍ୱାର୍ଥ ଉଦେଶ୍ୟରେ କେବଳ ମୁଁ ଭଲ ପାଏ କହିଦେଲେ ଯଥେଷ୍ଟ ହେବ ନାହିଁ। ଆମର ଭଲ ପାଇବା ଆମର କ୍ରିୟା ଦ୍ୱାରା ପ୍ରକଟ ହେବା ଆବଶ୍ୟକ। ଯାହାକୁ ଆମେ ଭଲ ପାଇବା ତା’ପ୍ରତି ସର୍ବଦା ଏକ ସମ୍ବେଦନଶୀଳ ହୃଦୟ ରହିବା ଦରକାର।
ଡ. ଗଣେଶ ଚନ୍ଦ୍ର କୁଣ୍ଡ
ପଟାମୁଣ୍ଡାଇ, କେନ୍ଦ୍ରାପଡା