Odiapua.com

ସ୍ୱାମୀ, ଶାଶୁ ଓ ଶ୍ୱଶୁରଙ୍କୁ ଯୌତୁକ ନିର୍ଯ୍ୟାତନା ଅଭିଯୋଗରେ ଜେଲ୍ ଦଣ୍ଡ

ଭଦ୍ରକ, ୨୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଉପଖଣ୍ଡ ବିଚାର ବିଭାଗୀୟ ବିଚାରପତି ଚିନ୍ମୟ କୁମାର ପାଢୀ ଏକ ଯୌତୁକ ନିର୍ଯ୍ୟାତନା ମାମଲାର ବିଚାର କରି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ଜଳଙ୍ଗା ଗ୍ରାମର ଶ୍ୱଶୁର ଭାଗବତ ସାହୁ, ଶାଶୁ ଶାନ୍ତିଲତା ଓ ସ୍ୱାମୀ ମୁକ୍ତିକାନ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ପିଙ୍ଗଳ କୋର୍ଡର ଦଫା ୪୯୮ (କ) ରେ ୨ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୫ ହଜାର ଟଙ୍କା ଜରିମାନା ଅନାଦେୟ ପୁନଶ୍ଚ ୪ ମାସ କାରାଦଣ୍ଡା ଶୁଣାଇବା ସହ ଯୌତୁକ ନିର୍ଯ୍ୟାତନା ନିରୋଧ ଆଇନ୍‌ର ଧାରା ୪ ଅନୁଯାୟୀ ପୁନଃ ୬ ମାସ ସଶ୍ରମ କାରାଦଣ୍ଡ ଓ ୫ ହଜାର ଟଙ୍କା ଜରିମାନା ଅନାଦେୟ ଅଧିକ ୪ ମାସ କାରାଦଣ୍ଡାଦେଶର ଆଦେଶ ଦେଇଛନ୍ତି । ତେବେ ଦିଅର ପ୍ରୀତିକାନ୍ତ ଓ ଚରମ୍ପାରେ ରହୁଥିବା ବିବାହିତା ନଣନ୍ଦ ଗୀତାଞ୍ଜଳିଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ମୁକ୍ତିକାନ୍ତ ଓ ତାଙ୍କ ପତ୍ନୀ ରେବତୀକୁ ଗତ ୨୦୦୮ ମସିହା ଅଗଷ୍ଟ ମାସ ୧୩ ତାରିଖରେ ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରିଥିଲେ । ବାହାଘର ସମୟରେ ବରପକ୍ଷଙ୍କ ପକ୍ଷରୁ ସମସ୍ତ ଆସବାବ ପତ୍ର ସହ ନଗଦ ୫୦ ହଜାର ଟଙ୍କା ଯୌତୁକ ଦାବି କରାଯାଇଥିଲା । ସେଥିମଧ୍ୟରୁ ୪୦ ହଜାର ଟଙ୍କା ସେତେବେଳେ ଦିଆଯାଇଥିଲେ ବି ବାକି ୧୦ ହଜାର ଟଙ୍କା ପରେ ଦେବାକୁ କୁହାଯାଇଥିଲା ।

ମାତ୍ର ବିବାହ ପରେ ତାହା ନପାଇବାରୁ ସେମାନେ ରେବତୀକୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିଲେ । ବିବାହର କିଛିଦିନ ପରେ ପତ୍ନୀକୁ ନେଇ ସ୍ୱାମୀ ମୁକ୍ତିକାନ୍ତ ମୁମ୍ବାଇରେ ଏକ ଘରୋଇ କଂପାନୀରେ ଚାକିରୀ କରି ରହିଥିଲେ । ସେଠାରେ ମଧ୍ୟ ତାଙ୍କୁ ମାଡ ମାରି ୨୦୧୦ ମସିହା ମଇ ୧ ତାରିଖରେ ସେଠାରୁ ଆଣି ତାଙ୍କ ବାପଘରେ ଛାଡି ଦେଇଥିଲେ । ରେବତୀ ନିଜ ପିତାଙ୍କ ଘରେ ରହୁଥିବାବେଳେ ମୁକ୍ତିକାନ୍ତ ରଶ୍ମିତା ନାମକ ଅନ୍ୟ ଏକ ଯୁବତୀକୁ ଦ୍ୱିତୀୟ ବିବାହ କରିଥିଲେ । ଏହି ବିଷୟରେ ରେବତୀ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ସ୍ଥାନୀୟ ରାଜନେତାଙ୍କ ଚାପରେ ପୁଲିସ୍ କେଶ୍ ରେଜେଷ୍ଟ୍ରି କରିନଥିଲା । ତେଣୁ ସେ ବାଧ୍ୟହୋଇ କୋର୍ଟରେ ମକଦ୍ଦମା ଦାଏର କରିଥିଲେ । ଉକ୍ତ କେଶ୍‌ଟିକୁ ପୁଲିସ୍ ତଦନ୍ତ କରିବା ପାଇଁ ମାନ୍ୟବର ଅଦାଲତ ନିର୍ଦ୍ଦେଶ ଦେବା ପରେ ଗ୍ରାମାଞ୍ଚଳ ଥାନାରେ ଭାରତୀୟ ପିଙ୍ଗଳ କୋର୍ଡର ଦଫା ୪୯୮ (କ), ୪୦୬, ୫୦୬ ଓ ଯୌତୁକ ନିରୋଧ ଆଇନ୍‌ର ଧାରା ୪ ଅନୁଯାୟୀ ଏକ ମାମଲା ନଂ ୨୦୩୮ /୨୦ ମୂଳେ ରୁଜୁ କରାଯାଇ ପୁଲିସ୍ ସମସ୍ତ ଅଭିଯୁ୍‌କ୍ତମାନଙ୍କୁ ଗିରଫ କରିଥିଲା । ପରେ ସେମାନେ ଜାମିନ୍‌ରେ ମୁକୁଳିବା ପରେ ମାମଲାଟି ଭଦ୍ରକ ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତରେ ବିଚାରାଧୀନ ଥିଲା । ଆଜି ମାନ୍ୟବର ବିଚାରପତି ତାଙ୍କ ରାୟରେ ଅଭିଯୁକ୍ତମାନଙ୍କୁ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି । ଅଭିଯୋଗକାରିଣୀ ରେବତୀଙ୍କ ପକ୍ଷରୁ ସହକାରୀ ସରକାରୀ ଓକିଲ ସ୍ମରଜିତ ମହାପାତ୍ର, ଶୁଭଶ୍ରୀ ଜେନା ଓ ଅରବିନ୍ଦ ଦାସ ମାମଲା ପରିଚାଳନା କରିଥିଲେ ।