Odiapua.com

ସ୍ୱାମୀଙ୍କ ମୃତ୍ୟୁ ଜନିତ କ୍ଷତିପୂରଣ ନପାଇ ୩ କନ୍ୟାଙ୍କ ସହ ପତ୍ନୀଙ୍କ ଅନଶନ

ଭଦ୍ରକ, ୨୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଦୀର୍ଘ ଦଶ ମାସ ହେବ ଏକ ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଜଣେ ଅସହାୟ ଦରିଦ୍ର ସଂଖ୍ୟାଲଘୁ ଶ୍ରେଣୀର ବ୍ୟକ୍ତିଙ୍କ ପତ୍ନୀ ନିଜର ତିନି କନ୍ୟାଙ୍କ ସହ ଆଜି ଜିଲା ପ୍ରଶାସନ ଓ ସ୍ଥାନୀୟ ବିଧାୟକଙ୍କ ପ୍ରତିଶ୍ରୁତି ମୁତାବକ କ୍ଷତିପୂରଣ ବାବଦ ୨ ଲକ୍ଷ ଟଙ୍କା ପାଇନଥିବା ନେଇ ପୂର୍ବ ଘୋଷଣା ମତେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଭଦ୍ରକ ପୌରପାଳିକା ଅଧୀନସ୍ଥ ପୁରୁଣାବଜାର ଥାନା ୨୩ ନଂ ୱାର୍ଡ ମିର୍ଜାପୁର ନିବାସୀ ତାଜା ବିବି ଜିଲାପାଳଙ୍କ ଅନୁପସ୍ଥିତିରେ ଆଜି ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ରଙ୍କୁ ଦେଇଥିବା ଅଭିଯୋଗ ପତ୍ର ମୂଳେ ଗତ ଜାନୁଆରୀ ୨ ତାରିଖ ଦିନ ସେ ନିଜ ସ୍ୱାମୀ ଓ ତିନି କନ୍ୟାଙ୍କ ସହ ଧାମନଗରର ଉର୍ସ ପର୍ବ ପାଳନ କରି ରାତି ପ୍ରାୟ ୩ ଘଟିକା ସମୟରେ ଏକ ବସ୍ ଯୋଗେ ଭଦ୍ରକ ଫେରୁଥିବାବେଳେ ବନ୍ତଛକ ଓଭରବ୍ରିଜ୍ ଉପରେ ଏକ ଟ୍ରକ୍ ସହ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଥିବାବେଳେ ସେ ଓ ତାଙ୍କ ତିନି କନ୍ୟା ଆହତ ହୋଇଥିଲେ । ସେତେବେଳେ ଭଦ୍ରକର ଅତିରିକ୍ତ ଜିଲାପାଳ ଓ ସ୍ଥାନୀୟ ବିଧାୟକ ସଂଜୀବ ମଲ୍ଲିକ ତାଙ୍କୁ ମୃତ୍ୟୁକାଳୀନ କ୍ଷତିପୂରଣ ବାବଦ ୨ ଲକ୍ଷ ଟଙ୍କା ଦିଆଯିବା ନେଇ ପ୍ରତିଶ୍ରୁତି ଦେଇଥିଲେ । ଇତିମଧ୍ୟରେ ପ୍ରାୟ ୯ ମାସ ବିତିଯାଇଥିବାବେଳେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ସେ ମାନସିକ, ଆର୍ଥିକ ଓ ଶାରୀରିକ ସ୍ତରରେ ଅତ୍ୟନ୍ତ ଦୁର୍ବଳ ହୋଇପଡିଥିବାରୁ ନିଜର ତିନି କନ୍ୟାଙ୍କ ସହ ଚଳିବା କଷ୍ଟକର ହୋଇପଡିଛି । ଏଣୁ ସେ ଗତ ସେପ୍ଟେମ୍ବର ୨୩ ତାରିଖ ଦିନ ସେ ଏହି କ୍ଷତିପୂରଣ ଅର୍ଥ ପାଇବା ନେଇ ଜିଲାପାଳଙ୍କୁ ଅବଗତ କରାଇଥିଲେ ବି କୌଣସି ସୁଫଳ ନମିଳିବାରୁ ଆଜି ଅନଶନରେ ବସିବା ନେଇ ଚେତାବନୀ ଦେଇଥିଲେ । ତେବେ ଏହି ଘଟଣାରେ ତାଜା ବିବିଙ୍କୁ ସ୍ଥାନୀୟ ଅଂଚଳର ଯୁବ ସମାଜସେବୀ ଟୁକୁ ସାହୁଙ୍କ ସମେତ କେତେକ ଗ୍ରାମବାସୀ ସମର୍ଥନ କରି ଅନଶନରେ ବସିଥିଲେ । ଫଳରେ ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ର କରୋନା ଜନିତ ମହାମାରୀ ସମୟରେ ଏହି ଘଟଣା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ କ୍ଷତିପୂରଣ ବାବଦ ଅର୍ଥ ପ୍ରଦାନ ପାଇଁ ପତ୍ର ଦିଆଯାଇଥିବାବେଳେ ତାହା ଆସନ୍ତା ୧୫ ଦିନ ମଧ୍ୟରେ ପାଇବାର ବନ୍ଦୋବସ୍ତ କରାଯିବା ନେଇ ପ୍ରତିଶ୍ରୁତି ଦେବା ପରେ ଏହି ଅନଶନ ପ୍ରତ୍ୟାହୃତ ହୋଇଛି ।