ଯୋଡା, ୧୮/୦୯ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଗତ ୧୦ ତାରିଖ ଗୁରୁବାର ଦିନ ସ୍ୱାମୀଙ୍କ ପରଲୋକ ହୋଇଥିବା ବେଳେ ଏହାର ଅଷ୍ଟମ ଦିନ ଗୁରୁବାର ପବିତ୍ର ମହାଳୟା ତିଥିରେ ତାଙ୍କ ଧର୍ମପତ୍ନୀଙ୍କ ଦୁଃଖଦ ବିୟୋଗ ପରିବାର ତଥା ଆତ୍ମୀୟସ୍ୱଜନଙ୍କୁ ସ୍ତବ୍ଧ କରିବା ସହ ଯୋଡା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ସୁକାନ୍ତ ଦାସ ଟାଟା କମ୍ପାନୀଙ୍କ ପୂର୍ବତନ କର୍ମଚାରୀ ତଥା ଶ୍ରମିକ ୟୁନିଅନର ପୂର୍ବତନ ସମ୍ପାଦକ ଭାବେ ଯୋଡା ଅଞ୍ଚଳରେ ବେଶ ପରିଚିତ ରହିଥିଲେ । ଗତ ୧୦ତାରିଖ ଗୁରୁବାର ଦିନ ଯୋଡା ଇଷ୍ଟ ଟିସ୍କୋ ହସପିଟାଲରେ କିଡନୀ ଜନିତ ରୋଗରେ ପିଡୀତ ରହି ଚିକିତ୍ସିତ ହେଉଥିବା ବେଳେ ତାଙ୍କର ୭୦ବର୍ଷ ବୟସରେ ପରଲୋକ ହୋଇଯାଇଥିଲା । ସେ ଅତ୍ୟନ୍ତ ଲୋକପ୍ରିୟ, ମେଳାପୀ ଓ ପରୋପକାରୀ ବ୍ୟକ୍ତି ଥିଲେ । ଗୁରୁବାର ତାଙ୍କ ପରଲୋକର ଅଷ୍ଟମ ଦିନରେ ଓ ପବିତ୍ର ମହାଳୟା ତିଥିରେ ତାଙ୍କ ଧର୍ମପତ୍ନୀ ବୀଣାପାଣି ଦାସଙ୍କ ୬୮ବର୍ଷ ବୟସରେ ଯୋଡା ଇଷ୍ଟ କଣ୍ଟ୍ରାକ୍ଟର କଲୋନୀସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ସେ ଦୀର୍ଘ ଦିନ ଧରି କର୍କଟ ରୋଗରେ ପିଡୀତ ଥିଲେ । ସେ ଅତ୍ୟନ୍ତ ଧର୍ମପରାୟଣ ମହିଳା ଥିଲେ । ଗୁରୁବାର ଯୋଡା ପୌରପରିଷଦ ଅନ୍ତର୍ଗତ ବନେଇକଳାସ୍ଥିତ ଶ୍ମଶାନ ଠାରେ ତାଙ୍କ ଅନ୍ତ୍ୟେଷ୍ଟିକ୍ରିୟା ସମ୍ପନ୍ନ ହୋଇଯାଇଅଛି । ତାଙ୍କ ଜ୍ୟେଷ୍ଠ ପୁତ୍ର ସୁଧାଂଶୁ ଦାସ ମୁଖାଗ୍ନି ଦେଇଥିବା ବେଳେ ସାନ ପୁଅ ହିମାଂଶୁ ଦାସ, ପୁତ୍ରବଧୁ ପ୍ରବୀଣା, ଲିପ୍ସା, ନାତି ଔରପ୍ରକାଶ, ନାତୁଣୀ ସୂର୍ଯ୍ୟସ୍ନାତା, ଅନ୍ୱେଶା, ଝିଅ ଲିପ୍ସା, ଜାମାତା ତଥା ଦୈନିକ ସମାଜର ବରିଷ୍ଠ ସାମ୍ବାଦିକ ସୌରଭ ପଟ୍ଟନାୟକ ତଥା ନିକଟ ସମ୍ପର୍କୀୟ, ଆତ୍ମୀୟସ୍ୱଜନ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଦୁଃଖଦ ଘଟଣାନେଇ ଯୋଡା, ତାଙ୍କ ଶଶୁରଘର ଗ୍ରାମ ଚମ୍ପୁଆ ଥାନା ଅନ୍ତର୍ଗତ ପତଳା ଗ୍ରାମ ତଥା ଜନ୍ମସ୍ଥାନ ଭଦ୍ରକ ଜିଲା ରାହାନ୍ଦିଆ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।