Odiapua.com

ସ୍ୱାମୀଙ୍କ ଉପରେ ଥିବା ରାଜନୈତିକ ଆକ୍ରୋଶରୁ ପରିବାର ଉପରେ ମରଣାନ୍ତକ ଆକ୍ରମଣ ଉଦ୍ୟମ, ପୁଲିସ୍ ପକ୍ଷରୁ ନ୍ୟାୟ ନମିଳିଲେ ଆମରଣ ଅନଶନ ଚେତାବନୀ

ଭଦ୍ରକ, ୨୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବ ରାଜନୈତିକ ଆକ୍ରୋଶରୁ କିଛି ଅସାମାଜିକ ଯୁବକ ରାତିରେ କାର୍‌ରେ ଆସୁଥିବା ପତ୍ନୀ ଓ ପିଲାମାନଙ୍କ ସମେତ ପରିବାରଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ମଧ୍ୟ ସଂପୃକ୍ତ ଅଭିଯୁକ୍ତମାନଙ୍କ ପ୍ରତି ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଏବଂ ଏ ସଂପର୍କରେ ପୀଡିତା ମହିଳା ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଦେଇଥିବା ଅଭିଯୋଗ ମୂଳେ ସେ ଗତ ୨୩ ତାରିଖ ଦିନ ନିଜ ଗ୍ରାମ କଲେଇ ପଂଚାୟତ କଣ୍ଟାପଡାକୁ ଯିବା ସମୟରେ ରଙ୍ଗରାଜପୁର ଛକ ନିକଟରେ କେତେକ ଅସାମାଜିକ ଯୁବକ ତାଙ୍କ ସ୍ୱାମୀଙ୍କ ଉପରେ ଥିବା ରାଜନୈତିକ ଆକ୍ରୋଶରୁ ଠେଙ୍ଗା, ବାଡି ଓ ଖଣ୍ଡା ଭଳି ମାରଣାସ୍ତ୍ର ଦ୍ୱାରା ଆକ୍ରମଣ କରିବା ସହ ସେମାନଙ୍କୁ ଅଶ୍ଳୀଳ ଭାଷାରେ ମଧ୍ୟ ଗାଳିଗୁଲଜ କରିଥିଲେ । ଏହି ଆକ୍ରମଣରେ ସେମାନଙ୍କ କାର୍‌ଟି କ୍ଷତିଗ୍ରସ୍ତ ହୋଇଥିବାବେଳେ ମହିଳା ଜଣକ ଜୀବନ ବଂଚାଇବାକୁ ଯାଇ ରାତି ଅନ୍ଧାରରେ ସେଠାରୁ ପଳାୟନ କରି ଜଣେ ବ୍ୟକ୍ତିଙ୍କ ଦ୍ୱାରା ଉଦ୍ଧାର ହୋଇଥିଲେ । ତେବେ ଏ ସଂପର୍କରେ ସେ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଥାନା ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେବାରୁ ପୀଡିତା ମହିଳା ଜଣକ ତାଙ୍କୁ ୩ ଦିନ ମଧ୍ୟରେ ନ୍ୟାୟ ନମିଳିଲେ ଜିଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସପରିବାର ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି । ଏହି ଘଟଣାରେ ସଂପୃକ୍ତ ଗ୍ରାମର ଗ୍ରାମବାସୀମାନେ ମଧ୍ୟ ଉକ୍ତ ପରିବାରଙ୍କୁ ସୁରକ୍ଷା ସହ ଅଭିଯୁକ୍ତମାନଙ୍କୁ ଗିରଫ କରାନଗଲେ ରାଜରାସ୍ତାକୁ ଓହ୍ଲାଇ ଆମରଣ ଅନଶନ ଭଳି ଚରମପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏଣୁ ଏ ଦିଗରେ ଜିଲା ଆରକ୍ଷୀ ଅଧିକ୍ଷକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।