Odiapua.com

ସ୍ୱାମୀଙ୍କ ଅନ୍ୟତମ ହତ୍ୟାକାରୀର ଗିରଫ ଦାବିରେ ପୀଡିତା ମହିଳା ଓ ସଂଘ ଭେଟିଲେ ଏସ୍‌ପିଙ୍କୁ

ଭଦ୍ରକ, ୨୯ା୧୦ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) – ଜମିବାଡିକୁ କେନ୍ଦ୍ର କରି ଗତ ଅଗଷ୍ଟ ୩ ତାରିଖରେ ଏହି ଜିଲାର ବାସୁଦେବପୁର ଥାନା ଅଧୀନସ୍ଥ କୁମାରପୁର ଗ୍ରାମର କୈଳାସ ମାଝୀଙ୍କ ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତଙ୍କୁ ପୁଲିସ୍ ଗିରଫ ନକରିବା ନେଇ ଆଜି ତାଙ୍କ ପତ୍ନୀ ଓ ମହିଳା ସଂଘର ସଦସ୍ୟାମାନେ ଜିଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଦାବିପତ୍ର ଦେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଉକ୍ତ ଅଭିଯୋଗ ପତ୍ରରୁ ଯାହା ଜଣାଯାଏ ଗତ ଅଗଷ୍ଟ ୩ ତାରିଖ ଦିନ ଜମିବାଡିକୁ କେନ୍ଦ୍ର କରି କୈଳାସ ମାଝୀଙ୍କୁ ଚାରିଜଣ ଅଭିଯୁକ୍ତ ପରିବାର ଲୋକଙ୍କ ସମ୍ମୁଖରେ ପିଟି ପିଟି ହତ୍ୟା କରିଥିଲେ । ଏବଂ ଏହି ଘଟଣାରେ ପତ୍ନୀ ପଦ୍ମାବତୀ ୪ ତାରିଖ ଦିନ ଅଭିଯୁକ୍ତମାନଙ୍କ ନାମରେ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ ପତ୍ର ଦେବା ପରେ ପୁଲିସ୍ ମୁଦାଲା ପଦନ ମାଝୀ, ମନ୍ମଥ ମାଝୀ, ଦାସିଆ ଓରଫ ତ୍ରେଲୋକ୍ୟ ମାଝୀଙ୍କୁ ଗିରଫ କରି ଜେଲ୍ ହାଜତକୁ ପଠାଇ ଦେଇଥିବାବେଳେ ଅନ୍ୟତମ ଅଭିଯୁକ୍ତ ଚନ୍ଦନ ମାଝୀ ଏ ପର୍ଯ୍ୟନ୍ତ ସ୍ପଷ୍ଟ ଦିବାଲୋକରେ ବୁଲୁଛି । ଏପରିକି ସେ ପଦ୍ମାବତୀ ଓ ତାର ୪ଟି ଛୋଟ ଛୋଟ ନାବାଳକ ପିଲାଙ୍କୁ ହତ୍ୟା କରିବାର ଧମକ ଦେଇଆସୁଛି । ଏ ସଂପର୍କରେ ଥାନାକୁ ବାରମ୍ବାର ଜଣାଉଥିଲେ ମଧ୍ୟ ପୁଲିସ୍ ହତ୍ୟାକାରୀମାନେ ପ୍ରଭାବଶାଳୀ ଥିବାରୁ ତାଙ୍କୁ ଗିରଫ କରୁନଥିବାର ଅଭିଯୋଗ କରିଛନ୍ତି ପତ୍ନୀ ପଦ୍ମାବତୀ ଓ ସ୍ଥାନୀୟ ମହିଳା ସଂଘ । ଏଣୁ ଏହି ଘଟଣାରେ ତୁରନ୍ତ ଚନ୍ଦନକୁ ଗିରଫ କରିବା, ପୁଲିସ୍‌ର ନିରପେକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହେଉଥିବାରୁ ଅନ୍ୟଜଣେ ଉଚ୍ଚ ଅଧିକାରୀ ଓ ଆବଶ୍ୟକ ପଡିଲେ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି ପଦ୍ମାବତୀ ଓ ସଂଘର ମହିଳାମାନେ । ନଚେତ୍ ଆଗାମୀ ଦିନରେ ଜିଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।