Odiapua.com

ସ୍ୱାମୀଙ୍କ ଅନୁପସ୍ଥିତିରେ ଭାଉଜ ଉପରେ ଦିଅରଙ୍କ ଅମାନୁଷିକ ଅତ୍ୟାଚାର, ପୁଲିସ୍ ଦ୍ୱାରା ନ୍ୟାୟ ନପାଇ ସପରିବାର ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ମହିଳା

ଭଦ୍ରକ, ୧୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିଜ ସ୍ୱାମୀଙ୍କ ଅନୁପସ୍ଥିତିରେ ଜଣେ ବିବାହିତା ମହିଳାଙ୍କୁ ତାଙ୍କ ଦିଅର ଅଶାଳୀନ ବ୍ୟବହାର ପ୍ରଦର୍ଶନ ସହ ଅର୍ଦ୍ଦ ଉଲଗ୍ନ କରି ମାଡ ମାରିବା ଓ ଘରେ ଅଗ୍ନି ସଂଯୋଗ କରି ହତ୍ୟା କରିବା ଭଳି ଉଦ୍ୟମ କରିଥିଲେ ମଧ୍ୟ ପୁଲିସ୍ ଏହି ଘଟଣାରେ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡାଉଥିବା ଅଭିଯୋଗରେ ଆଜି ଉକ୍ତ ପରିବାର ଜିଲା ଆରକ୍ଷୀ ଅଧିକ୍ଷକଙ୍କ ଶରଣାପନ୍ନ ହୋଇଛନ୍ତି । ଏବଂ ଏହି ଘଟଣାରେ ଜିଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା ବାସୁଦେବପୁର ଥାନା ପୁଲିସ୍‌କୁ ତୁରନ୍ତ ଘଟଣାର ନିରପେକ୍ଷ ତଦନ୍ତ କରି ଅଭିଯୁକ୍ତଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ନିର୍ଦ୍ଦେଶ ଦେଇଥିବାର ଜଣାପଡିଛି । ମହିଳାଙ୍କ ଅଭିଯୋଗ ପତ୍ରରୁ ଯାହା ଜଣାଯାଇଛି ଏହି ଜିଲାର ବାସୁଦେବପୁର ଥାନା ଅଧୀନସ୍ଥ ମନ୍ଦାରୀ ପ୍ରବୋଧପୁର ଗ୍ରାମର ପ୍ରଫୁଲ୍ଲ ମଳିକଙ୍କ ପତ୍ନୀ କବିତା ନିଜ ଶ୍ୱଶୁର ଓ ପିଲାଙ୍କ ସହ ଘରେ ରହିଆସୁଥିବାବେଳେ ତାଙ୍କ ଦିଅର ପ୍ରଶାନ୍ତ ଓ ତାଙ୍କ ପତ୍ନୀ ମାନସୀ ଶ୍ୱଶୁର ବିପିନଙ୍କ ଭତ୍ତା ଟଙ୍କାର ବହି ନେବାପାଇଁ ଉଦ୍ୟମ କରି ବିଫଳ ହେବାରୁ ସେମାନଙ୍କୁ ନିର୍ଯ୍ୟାତନା ଦେଇଆସୁଥିଲେ । ଗତ ଜାନୁଆରୀ ମାସ ୧୮ ତାରିଖ ଓ ୨୭ ତାରିଖ ଦିନ ପ୍ରଶାନ୍ତ ଓ ତାଙ୍କ ନିଜ ପିତାଙ୍କ ଅନିଚ୍ଛା ସତ୍ୱେ ତାଙ୍କ ଭତ୍ତା ବହି ରଖିଥିବା ଭାଉଜ କବିତାକୁ ମାଗିଥିଲେ । ମାତ୍ର ଶ୍ୱଶୁରଙ୍କ ନିର୍ଦ୍ଦେଶ କ୍ରମେ ସେ ତାହା ନଦେବାରୁ ତାଙ୍କୁ ନିଜ ପତ୍ନୀଙ୍କ ସହ ମିଶି ଶାବଳ ଓ ବାଡିରେ ମାଡ ମାରିଥିଲେ । ଏପରିକି ଏହି ଘଟଣାକୁ ନେଇ ଦ୍ୱିତୀୟଥର ଏକ କଟୁରୀରେ ଆକ୍ରମଣ କରିବା ସହ ଅର୍ଦ୍ଧ ଉଲଗ୍ନ କରି ମାଡ ମାରିଥିଲେ । ତେବେ ଉପସ୍ଥିତ ଥିବା କେତେକ ମହିଳାଙ୍କ ପ୍ରତିବାଦ ଯୋଗୁଁ ସେ ରକ୍ଷା ପାଇଥିଲେ ।

ମାତ୍ର ପରବର୍ତ୍ତୀ ସମୟରେ ପ୍ରଶାନ୍ତ ତାଙ୍କ ଘରେ ନିଆଁ ଲଗାଇଦେଇଥିବାବେଳେ ଶ୍ୱଶୁର ଓ ଅନ୍ୟମାନେ ତାହା ଲିଭାଇ ଏକ ବଡ ଧରଣର ଅଘଟଣରୁ ରକ୍ଷା ପାଇଯାଇଥିଲେ । ପରବର୍ତ୍ତୀ ସମୟରେ ଏହି ଘଟଣାକୁ ନେଇ କବିତାଙ୍କ ଭାଇ ଗ୍ରାମରେ ପହଞ୍ôଚ ଗ୍ରାମବାସୀଙ୍କ ଦ୍ୱାରା ଘଟଣାର ସମାଧାନର ପ୍ରୟାସ କରିଥିଲେ ମଧ୍ୟ ଅଭିଯୁକ୍ତ ତାହା ମାନିନଥିଲେ । ପରନ୍ତୁ କେତେକ ଗ୍ରାମବାସୀଙ୍କ ସହ ମିଶି ତାଙ୍କ ଭାଇ ଓ ସାଙ୍ଗରେ ଆସିଥିବା ଭଦ୍ରଲୋକଙ୍କୁ ମାଡମାରି ତାଙ୍କ ମୋଟର ସାଇକେଲ୍‌ଟିକୁ ଭାଙ୍ଗିଦେଇଥିଲେ । ଏବଂ ଏହି ଘଟଣା ସଂପର୍କରେ ଥାନାରେ ଜଣାଇଲେ ଘରେ ନିଆଁ ଲଗାଇ ଜୀବନରୁ ମାରିଦେବାର ଚେତାବନୀ ଦେଇଥିଲେ । ମାତ୍ର ଥାନା ଅଭିଯୁକ୍ତଙ୍କ ନାମରେ କେଶ୍ ନଂ ୩୫/୨୧, ଦଫା ୪୫୨ / ୨୯୪ / ୩୨୩ / ୩୫୪ / ୪୩୬ / ୫୦୬ / ୩୪ ଆଇପିସି ମୂଳେ ମାମଲା ରୁଜୁ ହୋଇଥିଲେ ମଧ୍ୟ ପୁଲିସ୍ ଅଭିଯୁକ୍ତମାନଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ଫଳରେ କବିତା ଘଟଣା ସଂପର୍କରେ ସ୍ଥାନୀୟ ଥାନାରେ ଅଭିଯୋଗ କରି କୌଣସି ନ୍ୟାୟ ନପାଇବାରୁ ଭୟରେ ଘରକୁ ଫେରିନପାରି ନିଜ ପିତ୍ରାଳୟରେ ମୁଣ୍ଡ ଗୁଂଜିଛନ୍ତି । ଏବଂ ଏହି ଘଟଣାରେ ଜିଲା ଆରକ୍ଷୀ ଅଧିକ୍ଷକ ସେମାନଙ୍କୁ ସୁରକ୍ଷା ଦେବା ସହ ଅଭିଯୁକ୍ତଙ୍କୁ ଗିରଫ ନକଲେ ଥାନା ସମ୍ମୁଖରେ ଆତ୍ମାହୂତି ଦେବାର ଚେତାବନୀ ଦେଇଛନ୍ତି ।