Odiapua.com

ସ୍ୱାଭିମାନ ଅଞ୍ଚଳରେ ଭୁସୁଡୁଛି ମାଓଗଡ଼ : ପୁଲସ ନିକଟରେ ଆତ୍ମସମର୍ପଣ କଲେ ମିଲିସିସ ସହ ୨୯୫ ମାଓସମର୍ଥକ

ମାଲକାନଗିରି : ୧୧/୬ (ଓଡ଼ିଆ ପୁଅ) ସ୍ୱାଭିମାନ ଅଞ୍ଚଳରେ ଗୁରୁପ୍ରିୟା ସେତୁ ନିର୍ମାଣ ସହ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ପରେ ବିକାଶ ହେବା ସହ ମାଓଗଡ଼ ଧୀରେ ଧୀରେ ଭୁସୁଡୁଛି।

ଗତ ୨ତାରିଖରେ ପୁଲିସ ଡିଜି ସୁନୀଲ ବଂଶଲ ମାଲକାନଗିରି ଗସ୍ତ କରି ସ୍ବାଭିମାନ ଅଂଚଳର ଯନ୍ତ୍ରୀ ବିଏସଏଫ କ୍ୟାମ୍ପରେ ପୁଲିସ ଡିଜିଙ୍କ ସମ୍ମୁଖରେ ୫୦ ଜଣ ମାଓ ସମର୍ଥକ ଆତ୍ମସମର୍ପଣ କରିଥିଲେ। ପୁଣି ଅଜି ସ୍ୱାଭିମାନ ଅଞ୍ଚଳ ତିନୋଟି ଗ୍ରାମର ୨୯୫ରୁ ଉର୍ଦ୍ଧ୍ୱ ମାଓସମର୍ଥକ ପୁଲିସ ନିକଟରେ ଆତ୍ମସମର୍ପଣ କରି ମାଓ ପୋଷାକରେ ନିଆଁ ଲଗାଇ ମାଓବାଦୀ ମୂର୍ଦ୍ଦାବାଦ ନାରା ଦେଇଛନ୍ତି।

ଆଜି ସକାଳେ ଜୋଡାମ୍ବ ଥାନା ଥାନସ୍ଥ ଯନ୍ତ୍ରୀ ପଞ୍ଚାୟତର ଡାବଗୁଡା, ଆରଲିଙ୍ଗପଡା ଓ ଧାକଡପଦର ଗ୍ରାମର ୨୯୫ ରୁ ଉର୍ଦ୍ଧ୍ୱ ମାଓସମର୍ଥକ ମହିଳା ପୁରୁଷ ପୁଲିସ ଓ ବିଏସଏଫ ଅଧିକାରୀଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି।

ଯନ୍ତ୍ରୀଠାରେ ରହିଥିବା ବିଏସଏଫ କ୍ୟାମ୍ପରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମାଲକାନଗିରି ଏସପି ନୀତିଶ ୱାଧୱାନୀ, ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ବିବେଦୀ, ବିଏସଏଫ କମାଣ୍ଡାଣ୍ଟ ଓ ଅନ୍ୟ ପଦାଧିକାରୀମାନଙ୍କ ଉପସ୍ଥିତରେ ଏହି ମାଓ ସମର୍ଥକମାନେ ଆତ୍ମସମର୍ପଣ କରି ମାଓବାଦିଙ୍କ ବିରୋଧରେ ନାରା ଦେଇଥିଲେ। ପର୍ବରୁ ସେମାନଙ୍କୁ ସୁରକ୍ଷା ଦେବାକୁ ସ୍ୱାଭିମାନ ଅଞ୍ଚଳରେ କେହି ନଥିବାରୁ ବାଧ୍ୟ ହୋଇ ମାଓବାଦୀଙ୍କୁ ସମର୍ଥନ କରୁଥିଲେ। ଏବେ ବିଏସଏଫ ଏବଂ ପୁଲିସର ଘନ ଘନ ପଇଁତରା ଏବଂ ଏହି ଅଂଚଳକୁ ସୁରକ୍ଷା ଦେବା ପରେ ମାଓସମର୍ଥକମାନେ ବାଧ୍ୟ ହୋଇ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ତେଣୁ ମାଓବାଦୀମାନେ ଆଲୋଚନା କରିବାକୁ ଆସିବା ସହ ମୁଖ୍ୟସ୍ରୋତରେ ସାମିଲ ହୋଇ ବାକି ଜୀବନ ସୁଖରେ କଟାନ୍ତୁ ବୋଲି ପୁଲିସ କହିଛି। ସରକାରଙ୍କର ସମସ୍ତ ସହଯୋଗ ସେମାନଙ୍କୁ ପ୍ରଦାନ କରାଯିବା ସହ ଆତ୍ମନିର୍ଭରଶୀଳ ମଧ୍ୟ କରାଯିବ ବୋଲି ପ୍ରଶାସନ କହିଛି।ସ୍ବାଭିମାନ ଅଂଚଳରେ ବିକାଶ ଧାରା ଜୋରସୋରରେ ଚାଲିଥିବା ଏବଂ ପ୍ରଶାସନ ପହଞ୍ଚିବା ପରେ ରାସ୍ତା, ପାନୀୟ ଜଳ, ମୋବାଇଲ ଟାୱାର ଇତ୍ୟାଦି ଲୋକେ ଦେଖିପାରିଲେ। ଆଗକୁ ଆହୁରି ମାଓ ସମର୍ଥକ ପୁଲିସ ନିକଟରେ ଆତ୍ମସମର୍ପଣ କରିବେବୋଲି ପୁଲିସ କହିଛି।

ଆତ୍ମସମର୍ପଣ କରିଥିବା ମାଓ ସମର୍ଥକଙ୍କୁ ପୁଲିସ ପକ୍ଷରୁ ଶାଢ଼ି, ଧୋତି, ଲୁଙ୍ଗି, ଗଞ୍ଜି, ପୋଷାକ ସହ ବିଭିନ୍ନ ସାମଗ୍ରୀ ବଣ୍ଟନ କରିଥିଲେ।