Odiapua.com

ସ୍ୱାଭାବିକ ଅବସ୍ଥାକୁ ଫେରୁଛି ଏମ୍‌.ସି.ଏଲ ରେ ଖଣି କାର୍ଯ୍ୟ

ତାଳଚେର,୫/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା) : ଚଳିତ ଜୁଲାଇ ୨ତାରିଖରୁ ୪ତାରିଖ ପର୍ଯ୍ୟନ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନଗୁଡିକ ପକ୍ଷରୁ ତିନି ଦିନିଆ ଧର୍ମଘଟ ସରିବାପରେ ତାଳଚେରରେ ଏମ୍‌.ସି.ଏଲ.ର ବିଭିନ୍ନ କୋଇଲାଖଣିରେ ଖଣି କାର୍ଯ୍ୟ ଧୀରେ ଧୀରେ ସ୍ୱାଭାବିକ ଅବସ୍ଥାକୁ ଫେରୁଛି । ଏହି ଧର୍ମଘଟ ଯୋଗୁଁ ଏମ୍‌.ସି.ଏଲ୍‌.ର ୯ଟି କୋଇଲାଖଣି ଯଥା- ଭରତପୁର,ଅନନ୍ତ, ଜଗନ୍ନାଥ,ବଳରାମ, ହିଙ୍ଗୁଳା,ନନ୍ଦିରା,କେନ୍ଦ୍ରୀୟ କର୍ମଶାଳା, ଲିଙ୍ଗରାଜ,କଣିହାଁ କୋଇଲା ଖଣିଗୁଡିକରୁ କୋଇଲା ଉତ୍ପାଦନ ଓ ପରିବହନ କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇ ଯାଇଥିଲା । ଫଳରେ ନାଲକୋ,ଏନ୍‌.ଟି.ପି.ସି ସମେତ ବିଭିନ୍ନ ଘରୋଇ ଶିଳ୍ପାନୁଷ୍ଠାନକୁ କୋଇଲା ଯୋଗାଣ ବନ୍ଦ ରହିଥିଲା । ବ୍ୟବସାୟ ଉଦ୍ଦେଶ୍ୟରେ ଘରୋଇ ମାଲିକମାନଙ୍କୁ କୋଇଲାଖଣିର ବିକ୍ରୀ ଅବା ନିଲାମି ପ୍ରକ୍ରିୟାକୁ ବନ୍ଦ ରଖିବା,କୋଇଲା ଉଦ୍ୟୋଗରୁ ସମସ୍ତ ପ୍ରକାର ଘରୋଇକରଣ ବନ୍ଦ କରିବା,ସିଏମ୍‌ପିଡିଆଇକୁ କୋଲ୍ ଇଣ୍ଡିଆରୁ ଅଲଗା ନ କରିବା,କୋଇଲା ଖଣିରେ କାର୍ଯ୍ୟରତ ଠିକା ଶ୍ରମିକମାନଙ୍କୁ ହାଇ ପାୱ୍ୱାର କମିଟିର ସୁପାରିଶ ଆଧାରରେ ବେତନ ପ୍ରଦାନ କରିବା, ଜାତୀୟ କୋଇଲା ଖଣି ଶ୍ରମିକ ବେତନ ଚୁକ୍ତିନାମା (ଏନ୍‌ସିଡବ୍ଲୁଏ) ଧାରା ସଂଖ୍ୟା ୯:୩:୦,୯:୪:୦,୯:୫:୦ ଅନୁଯାୟୀ ଆଶ୍ରିତମାନଙ୍କୁ ନିଯୁକ୍ତି ପ୍ରଦାନ କରିବା ଆଦି ୫ ଦଫା ଦାବୀ ନେଇ ଏହି ଧର୍ମଘଟ କରାଯାଇଥିଲା । ଏହି ଆନ୍ଦୋଳନରେ ଖଣି କର୍ମଚାରୀ ମାନେ ସାମିଲ ହୋଇଥିଲେ । ତେବେ କୋଲ ଇଣ୍ଡିଆକୁ ଆବଂଟିତ କୈାଣସି ବ୍ଲକର ଘରୋଇକରଣ ହେବ ନାହିଁ ବୋଲି କୋଇଲା ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟିକରଣ ଦିଆଯିବା ସହ ଏଭଳି ଧର୍ମଘଟରୁ ଦୂରେଇ ରହିବାକୁ ଖଣି କର୍ମଚାରୀମାନଙ୍କୁ ପରାମର୍ଶ ଦିଆଯାଇଥଲା । ଅପରପକ୍ଷେ ଏହି ୩ ଦିନିଆ ଧର୍ମଘଟ ଯୋଗୁଁ କୋଲ ଇଣ୍ଡିଆର କୋଟି କୋଟି ଟଙ୍କା କ୍ଷତି ହୋଇଥିବା ବେଳେ କୋଇଲା ମନ୍ତ୍ରାଳୟ ନିଜ ପୂର୍ବ ନିଷ୍ପତିରେ ଅଟଳ ରହିଥିବାର ସୂଚନା ମିଳିଛି । ଅର୍ଥାତ ଦେଶ ହିତ ନିମନ୍ତେ କୋଇଲା ଆମଦାନୀକୁ ହ୍ରାସ କରିବା ପାଇଁ ସରକାର କମର୍ସସିଆଲ ମାଇନିଂ ସପକ୍ଷରେ ବୋଲି ପ୍ରକାଶ କରିଥିବା ବେଳେ ଏଭଳି ଧର୍ମଘଟ କରି ସରକାରଙ୍କ ମତକୁ ପରିବର୍ତନ କରାଯାଇ ପାରିବ ନାହିଁ ବୋଲି ସ୍ପଷ୍ଟ ସନ୍ଦେଶ ଦିଆଯାଇଛି । ତେବେ ଦେଖିବାର କଥା ଶ୍ରମିକ ସଙ୍ଗଠନ ନିଜର ୩ ଦିନିଆ ଧର୍ମଘଟ କରିବାପରେ ସରକାରଙ୍କ ଉପରେ ଚାପ ପକାଇବାକୁ ଆଉ କଣ ଉପାୟ ଅବଲମ୍ବନ କରୁଛନ୍ତି ।