Odiapua.com

ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାରକୁ ପେନସନ ପ୍ରଦାନ ପ୍ରସଙ୍ଗ, କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଜାତୀୟ ମାନବାଧିକାର ଆୟୋଗଙ୍କ କଡା ତାଗିଦ୍‌

ଭଦ୍ରକ, ୧୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାରକୁ ପେନସନ ପ୍ରଦାନରେ କାଳକ୍ଷେପଣ ନୀତି ଅବଲମ୍ବନ କରୁଥିବା ନେଇ ଜାତୀୟ ମାନବାଧିକାର ଆୟୋଗ କେନ୍ଦ୍ର ଗୃହ ମନ୍ତ୍ରଣାଳୟ (ସ୍ୱାଧୀନତା ସଂଗ୍ରାମୀ) ଙ୍କୁ ନୋଟିସ୍ ଜାରି କରିଛନ୍ତି । ଏହି ପେନସନ ପ୍ରଦାନ କ୍ଷେତ୍ରରେ କଣ ପଦକ୍ଷେପ । (ଆକ୍ସନ ଟେକେନ୍ ରିପୋର୍ଟ) ନିଆଯାଇଛି । ସେ ସଂପର୍କରେ ଆସନ୍ତା ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ବ୍ୟତିକ୍ରମ ଘଟିଲେ, ବ୍ୟକ୍ତିଗତ ହାଜର ହୋଇ ଜବାବ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ, ରାଜ୍ୟ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ର ସ୍ରଷ୍ଟା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପୁତ୍ର ଜିଲାର ପ୍ରତିଷ୍ଠିତ ସ୍ୱାଧୀନତା ସଂଗ୍ରାମୀ ଗୌରଚନ୍ଦ୍ର ମହାପାତ୍ରଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ମୀରାଦେବୀଙ୍କୁ ଦୀର୍ଘ ଅଢେଇବର୍ଷ କାଳ ଫ୍ୟାମିଲ ପେନସନ ମିଳିନଥିବା ନେଇ ଜାତୀୟ ମାନବାଧିକାର ଆୟୋଗ ଉଦ୍‌ବେଗ ପ୍ରକାଶ କରିଥିଲେ । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍‌ପିଟାଲରେ ସଂଗ୍ରାମୀଙ୍କ ପତ୍ନୀ ମୀରାଦେବୀ ମୃତ୍ୟୁ ସହ ସଂଗ୍ରାମ କରୁଥିବାବେଳେ ଜଣାଶୁଣା ମାନବାଧିକାର କର୍ମୀ ଆଇନ୍‌ଜୀବୀ ରାଧାକାନ୍ତ ତ୍ରିପାଠୀ ଏ ସଂପର୍କରେ ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଶ୍ରୀ ତ୍ରିପାଠୀ ମୀରାଦେବୀଙ୍କୁ ତୁରନ୍ତ ପେନସନ ଓ ସମସ୍ତ ଚିକିତ୍ସା ଯୋଗାଇ ଖର୍ଚ୍ଚ ବହନ କରିବାକୁ ନିବେଦନ କରିଥିଲେ । ଗତ ତା ୧୫.୦୬.୨୧ ରିଖରେ ପେନସନ ସହାୟତା ମିଳିବା ପୂର୍ବରୁ ମୀରାଦେବୀଙ୍କ ଦେହାନ୍ତ ହୋଇଥିଲା ।

ତଥାପି ତାଙ୍କ ପ୍ରାପ୍ୟ ଅଦ୍ୟାବଧି (ସଂଗ୍ରାମୀ ପେନସନ) ମିଳିନାହିଁ । ଯାହାକୁ ନେଇ ଶ୍ରୀ ତ୍ରିପାଠୀ ପୁନର୍ବାର ଜାତୀୟ ମାନବାଧିକାର ଆୟୋଗଙ୍କ ଠାରେ ଏକ ପ୍ରୋସିଡିଙ୍ଗ ମାମଲା ନଂ ୧୨୭୫/୧୮/୧୮/୨୧ ଦାଖଲ କରିଥିଲେ । ଏହି ପ୍ରୋସିଡିଂ ମାମଲାରେ ଜାତୀୟ ମାନବାଧିକାର ଆୟୋଗ ଏକ ନୋଟିସ୍ ମାଧ୍ୟମରେ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟର ସ୍ୱାଧୀନତା ସଂଗ୍ରାମୀ ବିଭାଗକୁ ଏହି ନୋଟିସ୍ ଜାରି କରିଛନ୍ତି । ଏଥିରେ ସଂଗ୍ରାମୀ ସ୍ୱର୍ଗତଃ ଗୌରଚନ୍ଦ୍ର ମହାପାତ୍ରଙ୍କ ପତ୍ନୀ ମୀରା ଦେବୀଙ୍କୁ ପେନସନ ନ ମିଳିବା ଜନିତ କାରଣ ଓ ଏଥିନିମନ୍ତେ ନିଆଯାଇଥିବା ପଦକ୍ଷେପ ସମ୍ବନ୍ଧରେ ଆଗାମୀ ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବନ୍ଦେ ଉତ୍କଳ ଜନନୀର ରଚୟିତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ କନିଷ୍ଠ ପୁତ୍ରବଧୂ ମୀରାଦେବୀ ଦୀର୍ଘଦିନ ଅସୁସ୍ଥତା ଯୋଗୁଁ ଶଯ୍ୟାଶାୟୀ ରହି ମୃତ୍ୟୁବରଣ କରିବା ପରେ ତାଙ୍କ ପ୍ରାପ୍ୟ ପେନସନରୁ ବଂଚିତ କରିବା ଓ ଏତାଦୃଶ ଅବହେଳାର ଶୀକାର ହେବା ଯୋଗୁଁ କେନ୍ଦ୍ର ସରକାରଙ୍କ ଗୃହ ବିଭାଗର ଅପାରଗତା ପାଇଁ ପ୍ରଖ୍ୟାତ ସମାଜସେବୀ ଓ ମାନବାଧିକାର ଓକିଲ ରାଧାକାନ୍ତ ତ୍ରିପାଠୀ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରି ଏକ ପିଟିସନ୍ ଦାଏର କରିଥିଲେ । ସୂଚନାଯୋଗ୍ୟ ଯେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସୁପୁତ୍ର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଗୌରଚନ୍ଦ୍ର ମହାପାତ୍ରଙ୍କୁ କେନ୍ଦ୍ରୀୟ ସ୍ୱାଧୀନତା ସଂଗ୍ରାମୀ ଭତ୍ତା ମିଳୁଥିବା ବେଳେ ଗତ ୨୦୧୮ ମସିହାରେ ତାଙ୍କର ଦେହାନ୍ତ ହୋଇଥିଲା । ନିୟମ ଅନୁଯାୟୀ ତାଙ୍କ ଅନ୍ତେ ତାଙ୍କ ସ୍ତ୍ରୀ ମୀରା ଦେବୀଙ୍କୁ ଏହି ପେନସନ ମିଳିବା କଥା ହେଲେ ଦୀର୍ଘଦିନ ଧରି ରୋଗଶଯ୍ୟାରେ ପଡିରହି ମଧ୍ୟ ତାଙ୍କୁ ଫ୍ୟାମିଲ ପେନସନ ମିଳିନଥିଲା । ପରନ୍ତୁ ଏଥିନେଇ ଅଧିକ ଖୋଳତାଡ ଆଳରେ ପ୍ରକ୍ରିୟାକୁ ବିଳମ୍ବିତ କରାଯାଇଥିଲା । ରୋଗଶଯ୍ୟାରେ ପଡି ପଡି ଶେଷରେ ଗତ ୧୫.୦୬.୨୧ ରିଖରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା । ଏହାସତ୍ୱେ ମଧ୍ୟ ଆଜିସୁଦ୍ଧା ଏହି ସଂଗ୍ରାମୀ ପରିବାରଙ୍କୁ ଫ୍ୟାମିଲ ପେନସନରୁ ବଂଚିତ କରାଯିବାର ଯଥାର୍ଥତା ନେଇ ପ୍ରଶ୍ନ ଉଠାଇ ଏଥିନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ତ୍ରିପାଠୀ ଦାବି କରିଛନ୍ତି ।