Odiapua.com

ସ୍ୱାଧୀନତା ଦିବସ ପାଳନ ପାଇଁ ସ୍ଥାନ ପରିବର୍ତ୍ତନ ହେବା ଏବଂ ଗଣ ପ୍ୟାରେଡ୍ ବନ୍ଦ ହେବା ପ୍ରସଙ୍ଗରେ ରାଜ୍ୟବାସୀଙ୍କୁ ସ୍ପଷ୍ଟୀକରଣ ଦିଅନ୍ତୁ ମୁଖ୍ୟମନ୍ତ୍ରୀ:ବିଜେପି

ଭୁବନେଶ୍ୱର, ୧୦/୦୮ (ଓଡ଼ିଆ ପୁଅ) : ରାଜ୍ୟସରକାର ସ୍ୱାଧୀନତା ଦିବସ ପାଳନ ପାଇଁ ସ୍ଥାନ ପରିବର୍ତ୍ତନ କରିବା ଏବଂ ବିନା କାରଣରେ ଗଣପ୍ୟାରେଡ ବନ୍ଦ କରିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ ବୋଲି କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ୧୯୪୭ ମସିହା ଭାରତ ସ୍ୱାଧୀନ ହେବା ପରଠୁ ଦେଶ ସମେତ ସମସ୍ତ ରାଜ୍ୟରେ ସ୍ୱାଧୀନତା ଦିବସ ପାଳନ କରାଯାଏ। ଭାରତର ସମସ୍ତ ନାଗରିକ ଏହି ଉତ୍ସବ ପାଳନ କରିବା ପାଇଁ ଅପେକ୍ଷା କରି ରହିଥାନ୍ତି। ସେହିପରି ରାଜ୍ୟର ରାଜଧାନୀ ଭୁବନେଶ୍ୱର ଠାରେ ପ୍ରତିବର୍ଷ ସ୍ୱାଧୀନତା ଦିବସ ପାଳନ କରାଯିବା ସହ ପୋଲିସ ବିଭାଗ, ସିଭିଲ୍ ଡିଫେନ୍ସ ଏବଂ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ଦ୍ୱାରା ଗଣ ପ୍ୟାରେଡ୍ ପ୍ରଦର୍ଶନ କରାଯାଇଥାଏ। ଏହି ଅବସରରେ ସ୍ୱାଧୀନତା ସଂର୍ପକିତ ବିଭିନ୍ନ ପ୍ରକାରର ଯୋଜନା ଏବଂ ଅନେକ ବିକାଶମୂଳକ ଯୋଜନାକୁ ପ୍ରଦର୍ଶିତ କରାଯାଏ। ପୂର୍ବରୁ ବିଭିନ୍ନ ରାଜ୍ୟର ରାଜ୍ୟପାଳମାନେ ପତକା ଉତୋଳନ ସଲାମି ଗ୍ରହଣ କରୁଥିଲେ। ୧୯୭୩ ମସିହାରେ ନୂଆ ନିଷ୍ପତିରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ପତକା ଉତୋଳନ ସଲାମି ଗ୍ରହଣ କରୁଛନ୍ତି। କିନ୍ତୁ ଚଳିତ ବର୍ଷ କୌଣସି କାରଣ ନଥାଇ ଗଣ ପ୍ୟାରେଡ୍ କୁ ରାଜ୍ୟସରକାର ବନ୍ଦ କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା।

ରାଜ୍ୟ ସରକାର ବିଗତ ୭୨ ବର୍ଷ ଧରି ଚାଲୁଥିବା ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସକୁ ସ୍ଥାନାସ୍ଥରିତ କରିବା ସହ ଗଣ ପ୍ୟାରେଡ୍ ବନ୍ଦ କରିବା ଦ୍ୱାରା ସ୍ୱାଧୀନତା ଦିବସର ପଂରପଂରା ଭଙ୍ଗ ହୋଇଛି। କେଉଁ କାରଣ ପାଇଁ ଏହାକୁ ବନ୍ଦ କରାଯାଇଛି ତାହାର ଉତର ଦିଅନ୍ତୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧିକ ସମୟ ଛିଡା ହୋଇପାରିବେନି ବୋଲି ରାଜ୍ୟ ସରକାର ଏଭଳି ନିଷ୍ପତି ନେଇଛନ୍ତି କି ? ଏହା ଯଦି ସତ୍ୟ ତେବେ ଏହାର ଜବାବ ରାଜ୍ୟବାସୀଙ୍କ ଆଗରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ଏବଂ ଜଗତସିଂହପୁର ବିଜେପି ସାଂସଦ ପ୍ରାର୍ଥୀ ବିଭୁ ତରାଇ ପ୍ରମୁଖ ଉପସ୍ଥିତ ଥିଲେ।