Odiapua.com

ସ୍ୱାଧୀନତାର ୭୫ ବର୍ଷ ପରେବି ବିକାଶର ନଗ୍ନ ଚିତ୍ର : କେନ୍ଦ୍ରାପଡାର ନଗଡା ପଥରଗଡା ମୁଣ୍ଡା ସାହି ! ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାରୁ ବଂଚିତ

କେନ୍ଦ୍ରାପଡ଼ା, ୧୯ା୧୨(ଓଡିଆ ପୁଅ/ଚିତରଞ୍ଜନ ଦାସ): ସ୍ୱାଧୀନତାର ୭୫ ବର୍ଷ ପରେବି ବିକାଶର ନଗ୍ନଚିତ୍ର ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ସଦର ମହକୁମାରୁ ମାତ୍ର ୪କିଲୋମିଟର ଦୂର ପଥରଗଡା ମୁଣ୍ଡାସାହିରେ। ଯେଉଁଠି ଶିକ୍ଷା ଓ ସ୍ୱାସ୍ଥ୍ୟସେବା ସେମାନଙ୍କ ପାଇଁ ଅପହଁଚ ହୋଇପଡିଛି। ଏହାକୁ ରାଜ୍ୟର ୨ୟ ନଗଡା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ରାଜ୍ୟ ସରକାର ସାରା ରାଜ୍ୟରେ ବିକାଶର ଡିଣ୍ଡିମ ପିଟୁଥିବା ବେଳେ କେନ୍ଦ୍ରାପଡା ଜିଲ୍ଲା ସଦର ମହକୁମା ଠାରୁ ଅନତିଦୂରରେ ଥିବା ଏହି ଅନୁସୂଚିତ ଜନଜାତି ବସ୍ତିରେ ତାହାର ସ୍ପଷ୍ଟ ନଗ୍ନ ଚିତ୍ର ଦେଖିବାକୁ ମିଳିଛି। ଶିକ୍ଷା କଥା ଛାଡ ସେଠାରେ ନା ଅଛି ସ୍ୱାସ୍ଥ୍ୟସେବା, ନା ପାନୀୟ ଜଳର ସୁବିଧା। ଧାନ ଚାଷଜମି ହିଡ ହେଉଛି ସେମାନଙ୍କ ପାଇଁ ସବୁଦିନିଆ ରାସ୍ତା। ଅନ୍ୟଥା ଜଣେ ବ୍ୟକ୍ତିଗତ ଲୋକର ପୋଖରୀ ହୁଡା ଦେଇ ସେମାନେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କିଣିବା ପାଇଁ ବର୍ଷା ଦିନେ ପ୍ରାୟ ଅଧ କିଲୋମିଟର ରାସ୍ତା ଯିବାକୁ ପଡିଥାଏ। ରାସ୍ତା ନ ଥିବାରୁ ବିପଦ ଓ ଜରୁରୀ କାଳୀନ ଗାଡି ଯିବାତ ଦୂରର କଥା ସେହି ବସ୍ତିକୁ ଯାଇ ପାରେନା ଦୁଇ ଚକିଆ ଯାନଟିଏ। ଏହି ଘଟଣା ମାଲକାନାଗିରି, କଳାହାଣ୍ଡି କିମ୍ବା କୋରାପୁଟ ଭଳି ଦୁର୍ଗମ ଅଂଚଳ ନୁହେଁ। କେନ୍ଦ୍ରାପଡା ଜିଲ୍ଲା ସଦରମହକୁମାରୁ ମାତ୍ର ୪ କିଲୋମିଟର ଦୂରରେ ଅବସ୍ଥିତ କେନ୍ଦ୍ରାପଡା ବ୍ଲକ ଅର୍ନ୍ତଗତ ଶ୍ୟାମସୁନ୍ଦରପୁର ଗ୍ରାମପଂଚାୟତର ୫ନମ୍ବର (କ) ଜାତୀୟ ରାଜପଥ କଡରେ ଥିବା ପଥରଗଡା ମୁଣ୍ଡା ସାହି ବସ୍ତି। ଏଠି ବସବାସ କରୁଥିବା ପ୍ରାୟ ୨୦ଟି ଅନୁସୂଚିତ ଜନଜାତି ପରିବାରଙ୍କ ନିମନ୍ତେ ଅପହଁଚ ହୋଇପଡିଛି ଶିକ୍ଷା, ପାନୀୟ ଜଳ ଓ ସ୍ୱାସ୍ଥ୍ୟ ସେବା। ବସ୍ତି ଠାରୁ ପାଖ ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ରର ଦୂରତା ପ୍ରାୟ ୧ କିଲୋମିଟର। ବିଦ୍ୟାଳୟକୁ ସବୁଦିନିଆ ରାସ୍ତା ନ ଥିବାରୁ ବର୍ଷା ୪ ମାସ ଯାକ ବସ୍ତିର ପିଲାମାନଙ୍କ ପାଠ ପଢାରେ ଡୋରି ବନ୍ଧା ଯାଇଥାଏ। ପ୍ରତି ବର୍ଷ ରାଜ୍ୟ ଓ କେନ୍ଦ୍ର ସରକାର ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ ଯୋଗାଣ ଓ ରାସ୍ତାଘାଟର ନିର୍ମାଣ ନିମନ୍ତେ କୋଟି କୋଟି ଟଙ୍କା ବ୍ୟୟ କରୁଥିବାବେଳେ ଏହି ଅର୍ଥ ଜିଲ୍ଲାରେ କିଭଳି ଉନ୍ନତି କରୁଛି ତାହା ଏଥିରୁ ଅନୁମେୟ ହେଉଛି। ବସ୍ତିରେ ନଳକୂପର ସୁବିଧା ନଥିବାରୁ ସେମାନଙ୍କୁ ପିଇବା ପାଣି ଆଣିବା ପାଇଁ ଯିବାକୁ ପଡେ ପ୍ରାୟ ୧କିଲୋମିଟର ଦୂରକୁ। ସଞ୍ଜ ପୂର୍ବରୁ ପାଣି ଯୋଗାଡ ନ କଲେ ରାତିରେ ରୋଷେଇ ସେମାନଙ୍କର ବନ୍ଦ ହୋଇଥାଏ। ପାଇଖାନା ସେମାନଙ୍କ ପାଇଁ ସ୍ୱପ୍ନ। ବର୍ଷା ଦିନେ ରୋଗ ବେମାରରେ ପଡିଲେ ସେମାନଙ୍କୁ ଭଗବାନ ଯାହା ଭରଷା। ଯଦି ବର୍ଷା ଦିନେ ହଠାତ କାହାର ଦେହ ଖରାପ ହୁଏ ତେବେ ବସ୍ତିର ଲୋକେ ରୋଗୀକୁ ଭାରରେ ବୋହି ଧାନ ହିଡ ବିଲଦେଇ ପ୍ରାୟ ୧ କିଲୋମିଟର ଆସିବା ପରେ ଅନ୍ୟ ବ୍ୟବସ୍ଥା ଯୋଗେ ଡାକ୍ତରଖାନାକୁ ନେଇ ଥାଆନ୍ତି। ଗତ ୫ ବର୍ଷ ତଳେ ବର୍ଷା ଦିନେ ବସ୍ତିର ଗୀତା ସିଂ କୁ ସାପ କାମୁଡି ଦେବାରୁ ତା’ର ମୃତ୍ୟୁ ହୋଇ ଯାଇଥିବାର ଅଭିଯୋଗ କରନ୍ତି ବସ୍ତିବାସିନ୍ଦା। ସେହି ବସ୍ତିର ଲୋକ ସଂଖ୍ୟା ୧୫୦ରୁ ଉର୍ଦ୍ଧ ହୋଇ ଥିବା ବେଳେ ଶିଶୁଙ୍କ ସଂଖ୍ୟା ପ୍ରାୟ ୪୦ ରୁ ଅଧିକ। ସେମାନେ ସ୍ଥାନୀୟ ମରଡପୁର ଅଙ୍ଗନୱାଡି କେନ୍ଦ୍ରରେ ନାମ ଲେଖାଇ ଥିଲେ ମଧ୍ୟ ଖରାଦିନ ବ୍ୟତିତ ବର୍ଷା ୪ମାସ ପାଠ ପଢିବାକୁ ଯାଇ ପାରନ୍ତି ନାହିଁ। ଭୋଟ ପରିଚୟପତ୍ର, ଆଧାରକାର୍ଡ ପାଇ ଭୋଟ ଦେବାର ଅଧିକାର ପାଇଥିଲେ ମଧ୍ୟ ବସ୍ତିବାସିନ୍ଦା ସର୍ବନିମ୍ନ ମୋøଳିକ ସୁବିଧାରୁ ବଂଚିତ ହୋଇଛନ୍ତି। ୧୯୬୦ ମସିହାରୁ ୫ନମ୍ବର(କ) ଜାତୀୟ ରାଜପଥ ନିର୍ମାଣ ସମୟରେ କେଉଁଝର ଜିଲ୍ଳାର ରାଜନଗର ଅଂଚଳରୁ ଆସିଥିବା ସେହି ଅନୁସୂଚିତ ଜନଯାତି(ମୁଣ୍ଡା) ସଂପ୍ରଦାୟର ବସ୍ତିବାସିନ୍ଦାମାନେ ସେବେଠାରୁ ଏଠାରେ ସ୍ଥାଇ ଭାବେ ରହିଆସୁଛନ୍ତି। ପଚାଂୟତ ଭୋଟ ଠାରୁ ଆରମ୍ଭ କରି ବିଧାନସଭା ଓ ଲୋକସଭା ଭୋଟ ଦେବାର ଅଧିକାର ପାଇଥିଲେ ମଧ୍ୟ ଜଣେ ସାଧାରଣ ନାଗରିକ ଭାବରେ ବଂଚିବାର ମୌଳିକ ଅଧିକାର ଦେଶ ସ୍ୱାଧୀନ ହେବାର ୭୨ ବର୍ଷ ପରେ ମଧ୍ୟ ସେମାନଙ୍କ ପାଇଁ ଅପହଞ୍ଚ ହୋଇ ପଡିଛି। ରାତିରେ ରୋଗ ବେମାରରେ ପଡ଼ିଲେ ସେମାନେ ଭଗବାନଙ୍କ ଭରସାରେ ସକାଳକୁ ଅପେକ୍ଷା କରିଥାନ୍ତି। ସେହି ବସ୍ତିର ସମୁଦାୟ ଲୋକ ସଂଖ୍ୟା ୧୫୦ରୁ ଉର୍ଦ୍ଧ୍ୱ ହୋଇଥିବା ବେଳେ ଛୋଟ ପିଲାଙ୍କ ସଂଖ୍ୟା ପ୍ରାୟ ୪୦। ସେମାନଙ୍କ ମଧ୍ୟରୁ ଭୋଟର ସଂଖ୍ୟା ପ୍ରାୟ ୭୦। ନିର୍ବାଚନ ସମୟରେ ଦଳୀୟ କର୍ମୀଙ୍କ ଠାରୁ ଆରମ୍ଭ କରି କୁଜି ନେତାମାନେ ସେହି ବସ୍ତିକୁ ଯାଇ ବଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଭୋଟ ହାତେଇ ନେଇ ଜିତିଯିବା ପରେ ସେହି ବସ୍ତିକୁ ଆଉ ସେମାନଙ୍କ ପାଦ ପଡେ ନାହିଁ। ସେହି ବସ୍ତିିକୁ ସବୁଦିନିଆ ରାସ୍ତା, ପାନୀୟ ଜଳଯୋଗାଣ ପାଇଁ ବସ୍ତିବାସିନ୍ଦା ସ୍ଥାନୀୟ ଲୋକପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙଙ୍କ ପର୍ଯ୍ୟନ୍ତ ବାରମ୍ବାର ଗୁହାରି କରିଥିଲେ ମଧ୍ୟ ଏଯାଏ ବସ୍ତିକୁ ନା ସବୁଦିନିଆ ରାସ୍ତା ଟିଏ ଅଛି ନା ପାନୀୟ ଜଳଯୋଗାଣ ବ୍ୟବସ୍ଥା ହୋଇଛି। ବସ୍ତିର ଲୋକେ ଦିନ ମଜୁରିଆ ହୋଇ ଥିବାରୁ ସକାଳ ହେଲେ ମଜୁରି ଲାଗିବାକୁ ଯାଇ ସଂଧ୍ୟା ହେଲେ ଘରକୁ ଫେରିଥାନ୍ତି। ଦାବି, ଅଭିଯୋଗ, ଧାରଣା ପାଇଁ ସେମାନଙ୍କ ନିକଟରେ ସମୟ ନ ଥାଏ। ଏସମ୍ପର୍କରେ ସ୍ଥାନୀୟ ସରପଂଚଙ୍କୁ ପଚାରିବାରେ ସେ କୁହନ୍ତି ଯେ ବସ୍ତିକୁ ବିଦ୍ୟୁତ୍ ଯୋଗଣ କରାଯାଇଥିଲେ ମଧ୍ୟ ସବୁଦିନିଆ ରାସ୍ତା ପାଇଁ ସମସ୍ୟା ଲାଗି ରହିଛି। ଜିଲ୍ଲାପାଳ ଏହି ମୁଣ୍ଡାସାହି ବସ୍ତିକୁ ଗସ୍ତ କରି ସେଠାରେ ରହୁଥିବା ବସ୍ତି ବାସିନ୍ଦାଙ୍କ ଅଭାବ ଅସୁବିଧା ସମ୍ପର୍କରେ ବୁଝି ସେସବୁର ସମାଧାନ କରିବାକୁ ବସ୍ତି ବାସିନ୍ଦାଙ୍କ ପକ୍ଷରୁ ଜିତୁ ମୁଣ୍ଡା, ଚାନ୍ଦ ମୁଣ୍ଡା, ଝୁନା ମୁଣ୍ଡା, ସନା ମୁଣ୍ଡା, ତୁଳସୀ ମୁଣ୍ଡା, ରମେଶ ମୁଣ୍ଡା, କହ୍ନେଇ ମୁଣ୍ଡା, ଜିତେନ୍ଦ୍ର ମୁଣ୍ଡା, କୁଞ୍ଜ ସିଂ, ବାବୁଲା ମୁଣ୍ଡା, ରବି ମୁଣ୍ଡା, ରାଜେଶ ମୁଣ୍ଡା, ବିକାଶ ମୁଣ୍ଡା, ଛଟରା ମୁଣ୍ଡା, ସବିତା ମୁଣ୍ଡା, ନବ ସିଂ, ମୁନା ମୁଣ୍ଡା, ଶଙ୍କରା ମୁଣ୍ଡା ପ୍ରମୁଖ ଦାବି କରିଛନ୍ତି।