Odiapua.com

ସ୍ୱାଧୀନତାର ୭୪ ବର୍ଷ ପରେ ମଧ୍ୟ ଗମନାଗମନ କୁ ନେଇ ପ୍ରଶ୍ନବାଚୀ, ଗର୍ଭବତୀଙ୍କୁ ଭରଷା ସାଙ୍ଗିଭାର,କିଏ ଦେବ ଉତ୍ତର କୁ ନେଇ ଗ୍ରାମ୍ୟ ଉନ୍ନୟନ ଏବଂ ଜଳସମ୍ପଦ ବିଭାଗ ମୁହାଁମୁହିଁ

ଭଦ୍ରକ, ୧୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୀର୍ଘ ୭୪ବର୍ଷ ପରେ ମଧ୍ୟ ଧାମରା ପଂଚାୟତରେ ଥିବା ଝାଡକଟା ଗ୍ରାମକୁ ଯାତାୟତର ସୁବିଧା ଆଜି ପର୍ଯ୍ୟନ୍ତ ସମ୍ଭବ ହୋଇ ପାରି ନାହିଁ । ଏଥିପ୍ରତି ଜନସାଧାରଣ ସଚେତନ ହୋଇଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି ଏହି ଗ୍ରାମ ।ଗୋଟିଏ ପଟରେ ଧାମରା (ଆଦାନୀ) ବନ୍ଦର କର୍ତ୍ତୃପକ୍ଷ ଧାମରା ୮ପଂଚାୟତର ସର୍ବାଙ୍ଗୀନ ଉନ୍ନତି ପାଇଁ ସଂକଳ୍ପବଦ୍ଧ ବୋଲି କହୁଥିବା ବେଳେ ଅନ୍ୟ ପକ୍ଷରେ ରାଜ୍ୟ ସରକାର ସମସ୍ତ ଗ୍ରାମକୁ ଯାତାୟତର ସୁବିଧା ସାଙ୍ଗକୁ ପାନୀୟଜଳର ସୁବିଧା କରି ସାରିଛନ୍ତି ବୋଲି ବିଧାନ ସଭାରେ ଶ୍ୱେତପତ୍ର ପ୍ରକାଶ କରି ଚାଲିଛନ୍ତି ।ଆଜି ବି ଅବହେଳିତ ଧାମରା ପଂଚାୟତର ୧ନଂ,୨ନଂ ,୩ନଂ ଏବଂ ୪ନଂ ଓାର୍ଡକୁ ନେଇ ଗଠିତ ହୋଇଥିବା ଝାଡକଟା ଗ୍ରାମ । ଏହି ଗ୍ରାମକୁ ଖରାଦିନରେ ଯାତୟତର ସୁବିଧା ନଥିବା ବେଳେ ଅନ୍ୟ ଦିନ ମାନଙ୍କରେ ସାଧାରଣ ଜନତାଙ୍କ ଦୁଃଖ ଏବଂ ଦୁର୍ଦ୍ଦଶା ବଢି ବଢି ଯାଇଥାଏ । ଏହି ଗ୍ରାମକୁ ଯାତାୟତ କଥା କହିଲେ ନଦୀ କୂଳରେ ଥିବା ଜଳସମ୍ପଦ ବିଭାଗର ୩କି.ମି ବିଶିଷ୍ଟ ମାଟି ଏବଂ ମୋରମରେ ରାସ୍ତା ଟିକକ । ଏହି ରାସ୍ତା ନିର୍ମାଣକୁ ନେଇ ବାସୁଦେବପୁର ଜଳସମ୍ପଦ ବିଭାଗୀୟ ଅଧିକାରୀ ସବୁବେଳେ ତତ୍ପର ଥିବା ପରିଲକ୍ଷିତ ହେଉଥିବା କଥା ବିଭାଗୀୟ ଅଧିକାରୀ କହୁଥିବା ବେଳେ ଏହା କେବଳ କାଗଜ ବାଘ ବୋଲି ସର୍ବସାଧାରଣରେ ଚର୍ଚ୍ଚା ।ଏହି ନଦୀବନ୍ଧ ରେ ପ୍ରତିବର୍ଷ କୋଟି କୋଟି ଟଙ୍କାର ପଥର ପ୍ୟାକିଂ କାର୍ଯ୍ୟ ଚାଲିଥିବା ବେଳେ ଏହି ୩କି.ମି.ଦୈଘ୍ୟ ରାସ୍ତାକୁ ବିଭାଗୀୟ ଅଧିକାରୀ କେବଳ ସାବତ ମାର ଛୁଆ ବୋଲି କହି ଦୃଷ୍ଟି ଦେଇଥାନ୍ତି । ଲୁଣା ବନ୍ଧରେ ମାଟି ଏବଂ ମୋରମ ସହ ନଦୀ ପଠାରେ ପଥରପ୍ୟାକିଂ ଦିଆ ଯାଇ ନିର୍ମାଣ ହେଇଥିବା ରାସ୍ତାକୁ ସବୁଦିନିଆ ରାସ୍ତାରେ ପରିଣତ କରିବା ପାଇଁ ଏହି ନଦୀବନ୍ଧର ଉତରରେ ଥିବା ଉତର ଝାଡକାଟି ଏବଂ ଦକ୍ଷିଣରେ ଥିବା ଦକ୍ଷିଣ ଝାଡକାଟି ଗ୍ରାମବାସୀ ଦାବୀ କରୁଥିବା ବେଳେ ଦୀର୍ଘ ୭୪ବର୍ଷ ମଧ୍ୟରେ ଏହା ଆଜି ପର୍ଯ୍ୟନ୍ତ ସମ୍ଭବ ହୋଇ ପାରି ନାହିଁ ।

ଏହାର ଏକମାତ୍ର କାରଣ ବିଭାଗର ମାଲିକାନା ସତ୍ୱ । ସବୁଦିନିଆ ରାସ୍ତା ପାଇଁ ବାସୁଦେବପୁର ଜଳସମ୍ପଦ ବିଭାଗ ନିଜର ମାଲିକାନା ସତ୍ୱ ବଦଳାଇ ଚାନ୍ଦବାଲି ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଦେବାକୁ ପଡିବ, ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ନିଜର ମାଲିକାନା ସତ୍ୱରେ ଏହି ରାସ୍ତାକୁ ସବୁଦିନିଆ ରାସ୍ତାରେ ନିର୍ମାଣ କରି ପାରିବ ବୋଲି ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ଅଧିକାରୀ ମତ ରଖିଛନ୍ତି ।କିନ୍ତୁ ଧାମରା ଅଂଚଳରେ ଗ୍ରାମ୍ୟ ଉନ୍ନୟନ ବିଭାଗ ମାଲିକାନା ସତ୍ୱରେ ଥିବା ରାସ୍ତା ଗୁଡିକର ଦୁର୍ଦଶା ଆଜି ଭଳି ଦିନରେ ଅବର୍ଣନୀୟ ଫଳରେ ଆଜି ଭଳି ଦିନରେ ଅଂଚଳବାସୀ ଆଉ ଗ୍ରାମ୍ୟ ଉନ୍ନୟନ ବିଭାଗ ଉପରେ ନିର୍ଭର କରିବାକୁ ସହଜ ମନେ କରୁ ନାହାନ୍ତି ।ଝାଡକଟା ଗ୍ରାମ ପ୍ରତି କୌଣସି ବିଭାଗର ଅଧିକାରୀ ତତ୍ପରତା ପ୍ରକାଶ କରୁ ନାହାନ୍ତି ଫଳରେ ସ୍ୱାଧୀନତାର ୭୪ବର୍ଷ ପୂରି ଯାଇଥିଲେ ମଧ୍ୟ ଧାମରା ଭଳି ଅଧୁଷିତ ଅଂଚଳ ତଥା ଧାମରା ବନ୍ଦର ଭଳି ମେଗା ପ୍ରକଳ୍ପର ଦ୍ୱାର ଦେଶରେ ଥାଇ ମଧ୍ୟ ଦ୍ୱୀପ ତଳ ଅନ୍ଧାରରେ ଦିନ କାଟୁଛନ୍ତି । ୮ଶହ ପରିବାର ର ୩ହଜାର ଜନସଂଖ୍ୟା ବିଶିଷ୍ଟ ଏହି ଉତର ଏବଂ ଦକ୍ଷିଣ ଝାଡକଟା ଗ୍ରାମ ।ଏହି ଗ୍ରାମକୁ ଆଜି ଭଳି ଦିନରେ ଯାତାୟତ ପାଇଁ ରାସ୍ତା ଟିକକ ନଥିବା ବେଳେ ପିଇବା ପାଣି ଟିକକ ପାଇଁ ପଯ୍ୟାପ୍ତ ପରିମାଣରେ ନଳକୂପ ବସା ଯାଇ ନଥିବା କଥା ମଧ୍ୟ ସାଧାରଣରେ ଆଲୋଚ୍ୟର ବିଷୟ ପାଲଟିଛି । ରାଜ୍ୟ ସରକାର ପାଇପ ସାହାଯ୍ୟରେ୨୪ଘଂଟିଆ ପିଇବା ପାଣି ଯୋଗାଇବା ଏହି ଇଲାକା ପାଇଁ ଅପହଂଚ ହୋଇ ପଡିଛି । ଏହି ଗ୍ରାମକୁ କିଭଳି ପାଇପ ସାହାଯ୍ୟେôର ପାଣି ଯୋଗାଇ ଦିଆଯିବ ତାହାର ବ୍ଲୁୁ ପ୍ରିଂଟ ଆଜି ପର୍ଯ୍ୟନ୍ତ ନିର୍ମାଣ କରାଯାଇ ନାହିଁ ବୋଲି ପାନୀୟ ଜଳ ଯୋଗାଣ ବିଭାଗ ଅଧିକାରୀ କହୁଥିବା ବେଳେ ଖରାଦିନରେ ଏହି ଗ୍ରାମରେ ଜଳକଷ୍ଟ ନିଜ ଆଖିକୁ ନଦେଖିଲେ ବିଶ୍ୱାସ ହେବ ନାହିଁ ବୋଲି ସାଧାରଣରେ ଚର୍ଚ୍ଚା । ଆଜି ଭଳି ଦିନରେ ଏହି ୪ଟି ଓାର୍ଡର କୌଣସି ରୋଗୀ ଆମ୍ବୁଲାନ୍ସର ସେବା ସେମାନଙ୍କ ପାଇଁ ସାତ ସପନ । ବର୍ତ୍ତମାନ ମଧ୍ୟ ଏହି ଗ୍ରାମର ଗର୍ଭବତୀ ଏବଂ ଅନ୍ୟ ରୋଗୀଙ୍କ ଭରଷା କେବଳ ସାଙ୍ଗୀ ଭାର । କେବେ ରାଜ୍ୟ ସରକାର ଏହି ଗ୍ରାମ ପ୍ରତି ଦୃଷ୍ଟି ଦେବେ ସେ ନେଇ ଅଂଚଳବାସୀ ସନ୍ଦିହାନୀ ।