ଭଦ୍ରକ, ୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ୱାଧୀନତାର ୭୪ ବର୍ଷ ବିତିଯାଇଥିଲେ ମଧ୍ୟ ଗାଁକୁ ଖଣ୍ଡିଏ ଭଲ ରାସ୍ତା ନଥିବାରୁ ରୋଗୀକୁ ଖଟିଆରେ ବୁହା ହେଉଛି । ଏହା କଣ ବିକାଶର ଚିତ୍ର ବୋଲି ବିଭିନ୍ନ ମହଲରୁ ପ୍ରଶ୍ନ ଉଠିଛି । ଭଦ୍ରକ ସଦର ମହକୁମା ଠାରୁ ଅଳ୍ପ କେଇ କିଲୋମିଟର ଦୂରରେ ରହିଛି ପରସିଙ୍ଗା ପଂଚାୟତ । ଉକ୍ତ ପଂଚାୟତ ୬ ନଂ ୱାର୍ଡ ପରିଡା ସାହିକୁ ଏଯାବତ୍ ଖଣ୍ଡେ ଭଲ ରାସ୍ତା ନାହିଁ । ପକ୍କା ରାସ୍ତା ନଥିବାରୁ ସାମାନ୍ୟ ବର୍ଷାରେ ଶତାଧିକ ଅଧିବାସୀଙ୍କ ଉକ୍ତ ଗ୍ରାମକୁ ଯାଇଥିବା କଚ୍ଚା ରାସ୍ତା କର୍ଦ୍ଦମାସ୍ତ ହୋଇପଡୁଛି । ଆମ୍ବୁଲାନ୍ସ କିମ୍ବା ଅଗ୍ନିଶମବାହିନୀ ପରି ଜରୁରୀ କାଳୀନ ସେବାରୁ ଉକ୍ତ ୱାର୍ଡବାସୀ ବଂଚିତ ହେଉଥିବା ଅଭିଯୋଗ ହୋଇଛି । ଉକ୍ତ ପରିଡାସାହିକୁ ଆମ୍ବୁଲାନ୍ସ ଆସିନପାରିବାରୁ ଓ ଚଳିତ ଜୱାଦ୍ ଜନିତ ବର୍ଷା ପାଇଁ ରାସ୍ତା କର୍ଦ୍ଦମାକ୍ତ ହୋଇଯାଇଥିବାରୁ, ଚିତ୍ରା ସାହୁ ନାମ୍ନୀ ଜଣେ ପକ୍ଷାଘାତ (ପାରାଲିସିସ୍) ରୋଗରେ ଆକ୍ରାନ୍ତ ବୃଦ୍ଧାଙ୍କୁ ଚିକିତ୍ସା ପରେ ତାଙ୍କ ସଂପର୍କୀୟ କାନ୍ଧରେ ବୋହି ଘରକୁ ଆଣିବାର ଦୃଶ୍ୟ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ଉକ୍ତ ରାସ୍ତାର ମରାମତି ତଥା ମଗନାଗମନ ଉପଯୋଗୀ ପାଇଁ ସଂପୃକ୍ତ ୱାର୍ଡବାସୀ ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଧାୟକଙ୍କ ଠାରେ ବାରମ୍ବାର ୱାର୍ଡବାସୀ ନିବେଦନ କରିଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି । ଗ୍ରାମାଞ୍ଚଳର ଉନ୍ନତି ପାଇଁ ସରକାର ପାଣି ପରି ଅର୍ଥ ଖର୍ଚ୍ଚ କରି ଚାଲିଥିବାବେଳେ, ରାସ୍ତା ପରି ଏକ ସର୍ବନିମ୍ନ ମୌଳିକ ସେବାରୁ ବଂଚିତ ହେବା ନିଶ୍ଚିତ ଦୁଃଖଦାୟକ ଓ ଏହା ସ୍ଥାନୀୟ ନେତାମାନଙ୍କ ପାଇଁ ଆତ୍ମସମୀକ୍ଷାର ସମୟ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ଅପରପକ୍ଷେ ସ୍ଥାନୀୟ ସରପଞ୍ଚ ଅମୂଲ୍ୟ ଧଳ କହିଛନ୍ତି, ଯେ କେତେକ ବୈଷୟିକ କାରଣରୁ ଏହି ରାସ୍ତା ହୋଇପାରିନାହିଁ । ୧୫ ଦିନ ମଧ୍ୟରେ ଏହି ରାସ୍ତା କାର୍ଯ୍ୟ ସଂପୂର୍ଣ୍ଣ ହୋଇଯିବ ବୋଲି ଶ୍ରୀ ଧଳ କହିଛନ୍ତି ।