Odiapua.com

ସ୍ୱାଧୀନତାର ୭୪ ବର୍ଷ ପରେ ବି କ୍ଷୀରସାହି ଗାଁ ଲୋକେ ଗମନାଗମନ ପଥରୁ ବଂଚିତ

ଭଦ୍ରକ, ୧୩ା୬ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ)- ଆମ୍ଭ ଦେଶ ସ୍ୱାଧୀନତାକୁ ୭୫ ବର୍ଷ ଛୁଇଁବାକୁ ଯାଉଛି। ହେଲେ ଏବେବି ସାଧାରଣ ଲୋକେ ତାଙ୍କର ନ୍ୟାର୍ଯ୍ୟ ମୌଳିକ ସୁବିଧା ଗମନାଗମନ ପଥରୁ ବଂଚିତ ହୋଇଛନ୍ତି। ଏହା ପୁଣି ଓଡ଼ିଶାର ଉପକୂଳବର୍ତ୍ତୀ ଜିଲା ଭଦ୍ରକରେ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରାମାଞ୍ଚଳର ବିକାଶ ଦିଗରେ କୋଟି କୋଟି ଟଙ୍କା ବ୍ୟୟ ହେବା ସହ ବିଶେଷକରି ଯାତାୟତର ସୁବିଧା ପାଇଁ ମନରେଗା ଭଳି ଯୋଜନାରେ ପକ୍କା ସଡକମାନ ନିର୍ମାଣ ହେଉଛି। ମାତ୍ର ଭଦ୍ରକ ବ୍ଲକ୍ର ପୌରାଞ୍ଚଳକୁ ଲାଗିଥିବା ଏମିତି ଏକ ପଞ୍ଚାୟତର ଗ୍ରାମ ରହିଛି ଯେଉଁ ଲୋକମାନେ ଏବେବି କର୍ଦ୍ଦମାକ୍ତ ପଙ୍କୁଆ ରାସ୍ତାରେ ଯାତାୟତ କରୁଛନ୍ତି। ଏହିଭଳି ଗାଁ ହେଲା ଚଣ୍ଡିଗାଁ ପଂଚାୟତର କ୍ଷୀରସାହି। ଏହି ଗ୍ରାମର ଲୋକସଂଖ୍ୟା ପ୍ରାୟ ୧ ହଜାରରୁ ଉର୍ଦ୍ଧ୍ୱ। ମାତ୍ର ଏମାନଙ୍କର ଯାତାୟତ ଦିଗରେ ଯେଉଁ ଏକମାତ୍ର ରାସ୍ତା ରହିଛି, ତାହା ବର୍ଷାଦିନରେ ପାଣି କାଦୁଅରେ ପୂର୍ଣ୍ଣ ହୋଇଯାଏ। ବର୍ତ୍ତମାନର ଲଘୁଚାପ ଜନିତ ଅସରାଏ ଓ ଦି’ ଅସରାଏ ବର୍ଷାରେ ଯେଭଳି ଭାବେ କର୍ଦ୍ଦମାକ୍ତ ହୋଇପଡେ, ସେଥିରେ ଜରୁରୀକାଳୀନ ଆପଦ ବିପଦରେ ଆମ୍ବୁଲାନ୍ସ କି ଦମକଳଟିଏ ଛାଡ, ଚାଲିକରି ମଧ୍ୟ ଆସିବା ଦୂରୁହ ବ୍ୟାପାର ହୋଇପଡେ। ଏହି ରାସ୍ତା ଦେଇ ଛୁଆଠାରୁ ବୁଡା ପର୍ଯ୍ୟନ୍ତ ସମସ୍ତେ ସ୍କୁଲ, କଲେଜ ଓ ଡାକ୍ତରଖାନା ଯିବାଆସିବା କରନ୍ତି। ମାତ୍ର ଦୀର୍ଘ ୧୫ ବର୍ଷ ଧରି ଏ ଅଂଚଳବାସୀ ଜିଲା ପ୍ରଶାସନ ଠାରୁ ଜନ ପ୍ରତିନିଧିଙ୍କ ପର୍ଯ୍ୟନ୍ତ ଆପତ୍ତି ଅଭିଯୋଗ କରିଆସୁଥିଲେ ମଧ୍ୟ ସମସ୍ତେ ନିଦାବିଷ୍ଣୁ ସାଜିଛନ୍ତି। ଏଣୁ ଆଜିର ସଭ୍ୟ ସମାଜରେ ଏହି ଲୋକମାନେ ଯେଭଳି ପାଣି କାଦୁଅରେ ଯିବାଆସିବା କରୁଛନ୍ତି, ସେଥିପ୍ରତି ପ୍ରଶାସନ ଯଥାଶୀଘ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।