ଭଦ୍ରକ, ୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଅଞ୍ଚଳର ଅନ୍ୟତମ ସ୍ୱାଧିନତା ସଂଗ୍ରାମୀ ଶତାୟୁ ପଦ୍ମନାଭ ପାତ୍ରଙ୍କର ଗତକାଲି ରାତ୍ର ପ୍ରାୟ ୧୦.୩୫ମି. ସମୟରେ ତେସିଙ୍ଗା ପଞ୍ଚାୟତ ଅନ୍ତର୍ଗତ (କୁଲଣା) ଭୁଆଳପୋଖରୀ ଗ୍ରାମ ବାସଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୧୦୧ ବର୍ଷ ହୋଇଥିଲା । କିଛି ଦିନ ଧରି ସେ ଥଣ୍ଡାଜନିତ ରୋଗରେ ପୀଡିତ ହୋଇ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ । ବାସଭବନରେ ଚିକିତ୍ସା ଚାଲିଥିବା ବେଳେ ଗତକାଲି ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ, ପୁଅ, ବୋହୁ, ଝିଅ, ଜ୍ୱାଇଁ, ନାତି ନାତୁଣୀଙ୍କ ସମତେ ଶୁଭେଚ୍ଛୁମାନେ ଉପସ୍ଥିତ ଥିଲେ । ମୃତ୍ୟୁଖବର ପାଇଁ ପଞ୍ଚାୟତ ସମିତି ଅଧ୍ୟକ୍ଷା ମଞ୍ଜୁଶ୍ରୀ ବେହେରା, ସରପଞ୍ଚ ସଙ୍ଗୀତା ଖଣ୍ଡେଇ, ସମାଜସେବୀ ଗୋଲକ ଚନ୍ଦ୍ର ବେହେରା, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ରଘୁନାଥ ଦାସ, ସମାଜସେବୀ ରାଜେନ୍ଦ୍ର ଖଣ୍ଡେଇ ପ୍ରମୁଖ ଅନ୍ତିମ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ତାଙ୍କ ମରଶରୀରକୁ ଗ୍ରାମ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା । ବଡପୁଅ ଅନନ୍ତ ମୁଖାଗ୍ନି ଦେଇଥିଲେ । ସ୍ୱର୍ଗତ ପାତ୍ର ୧୯୪୨ ମସିହା ଭାରତଛାଡ ଆନ୍ଦୋଳନରେ ଯୋଗଦେଇ ଭଣ୍ଡାରିପୋଖରୀ ଥାନାପୋଡିରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ସଂଗ୍ରାମୀ ଭତ୍ତା ପ୍ରଦାନ କରାଯାଇ ଆସୁଥିଲା ।