ଭଦ୍ରକ, ୧୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ପବିତ୍ର ନଗରୀ ଅଯୋଧ୍ୟା ଅଭିମୁଖେ ବାହାରିଥିବା ସ୍ୱର୍ଣ୍ଣ ଧନୁଷ୍ ଯାତ୍ରା ରାଉରକେଲାର ହନୁମାନ ବାଟିକାରୁ ବାହାରି ଓଡ଼ିଶାର ସମସ୍ତ ୩୦ ଗୋଟି ଜିଲ୍ଲା ପରିକ୍ରମା ଅବସରରେ ଆଜି ଭଦ୍ରକରେ ପହଂଚିଥିଲା। ଏହି ସ୍ୱର୍ଣ୍ଣ ଧନୁଷ ଭଦ୍ରକର ରାଣୀତାଲରେ ଅପରାହ୍ନରେ ପହଂଚିବା ପରେ ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ଏକ ଭବ୍ୟ ବାଇକ୍ ଶୋଭାଯାତ୍ରା ମାଧ୍ୟମରେ ଭଦ୍ରକର ଡାହାଣୀଗଡିଆ ପର୍ଯ୍ୟନ୍ତ ପାଛୋଟି ଅଣାଯାଇଥିଲା। ଏହାପରେ ଏକାଧିକ କୀର୍ତନ ମଣ୍ଡଳୀ, ପାରମ୍ପରିକ ବାଦ୍ୟ ବାଦନ, ସାଧୁ ସନ୍ଥ, ଶତାଧିକ ମାତୃଶକ୍ତି, ଯୁବ ଛାତ୍ର ଏବଂ ବୁଦ୍ଧିଜୀବିଙ୍କ ଦ୍ୱାରା ଏକ ପଦଯାତ୍ରାରେ ଅଣାଯାଇ ଗାନ୍ଧିପଡ଼ିଆ ଯଜ୍ଞ ମଣ୍ଡପ ହୋଇ ପୁଣି କଚେରି ବଜାର ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚିଥିଲା। ସହରର ବିଭିନ୍ନ ଛକ ମାନଙ୍କରେ ମେଢ଼ କମିଟି ଓ ସାମାଜିକ ଆଧ୍ୟାତ୍ମିକ ସଙ୍ଗଠନ ପକ୍ଷରୁ ଏହି ପବିତ୍ର ସ୍ୱର୍ଣ୍ଣ ଧନୁଷ ଶୋଭାଯାତ୍ରାକୁ ଭବ୍ୟ ସ୍ୱାଗତ କରାଯାଇ ଭକ୍ତି ସୁମନ ଅର୍ପଣ କରାଯାଇଥିଲା। ଏହି ଶୋଭାଯାତ୍ରାରେ ସ୍ଥାନୀୟ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ବିଜେପି ଜିଲା ସଭାପତି ଭଗବାନ ପଣ୍ଡା, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ପଣ୍ଡିତ ବୀରେନ୍ଦ୍ର ପଣ୍ଡା, ବାସୁଦେବପୁର ବିଜେପି ନେତା ବାଣୀକଲ୍ୟାଣ ମହାନ୍ତି, ବନ୍ତ ବିଜେପି ନେତା ସୁଧାଂଶୁ ନାୟକ, ସମିତିର ସଭାପତି ବରିଷ୍ଠ ଆଇନଜୀବୀ ନିତ୍ୟାନନ୍ଦ ନାୟକ ,କାର୍ଯ୍ୟକାରୀ ସଭାପତି ବ୍ୟୋମକେଶ ସେନାପତି, ସାଧାରଣ ସମ୍ପାଦକ ଶରତ ପଢିଆରୀ, ଉପ ସଭାପତି ତ୍ରିଲୋଚନ ନାୟକ, ସଂଯୋଜକ ଗୋବିନ୍ଦ ଚନ୍ଦ୍ର ରାଉତ, ସମ୍ପାଦକ ସ୍ୱାଧୀନ ସୁନ୍ଦର ଦାସ, ଆଇନଜୀବୀ ତୁଷାର କାନ୍ତ ଦାସ ପ୍ରମୁଖ ଉପସ୍ଥିଥିବାବେଳେ ବହୁ ଶ୍ରଦ୍ଧାଳୁ ରାମସେନା ସାମିଲ ଥିଲେ।