ଭଦ୍ରକ, ୧୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ହୃଦଘାତ ଜନିତ କାରଣରୁ ବିଶିଷ୍ଟ ସମାଜସେବିକା ଜ୍ୟୋତିର୍ମୟୀ ପାଢୀଙ୍କର ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ପରଲୋକ ଘଟିଛି। ତାଙ୍କର ମୃତ୍ୟୁଶଯ୍ୟା ନିକଟରେ କନିଷ୍ଠ କନ୍ୟା ମିନତୀ ଏବଂ ଜାମାତା ଡା. ବିକାଶ ନାରାୟଣ ନନ୍ଦ, କନିଷ୍ଠ ପୁତ୍ର ସରୋଜ ଉପସ୍ଥିତ ଥିଲେ। ଜ୍ୟୋତିର୍ମୟୀ ଜ୍ୟୋତି ମାଉସୀ ଭାବେ ସମସ୍ତଙ୍କ ପରିଚିତ ଥିଲେ। ସେ ମୃତ୍ୟୁ ପର୍ଯ୍ୟନ୍ତ ପୂର୍ବତନ କାଉନ୍ସିଲର ତଥା ସତ୍ୟସାଇ ସେବା ସଂସ୍ଥାନର ଆଜୀବନ ସଦସ୍ୟା ରୂପେ ବିଭିନ୍ନ ଅଂଚଳରେ ସେବାକାର୍ଯ୍ୟ କରି ମାନବ ସେବା ମାଧବ ସେବାର ଏକ ଦକ୍ଷ ସିପାହୀ ଥିଲେ। କୁଷ୍ଠ ଓ ଆଦିବାସୀ କଲୋନୀର ସେବାପାଇଁ ତାଙ୍କର ଜୀବନ ଉତ୍ସର୍ଗ ଥିଲା। ତାଙ୍କ ମର ଶରୀରକୁ ପୁରୀ ସ୍ୱର୍ଗଦ୍ୱାରରେ ଦାହ ସଂସ୍କାର କରାଯାଇଛି। ଜ୍ୟେଷ୍ଠ ପୁତ୍ର ମନୋଜ ଭାରତୀୟ ବାୟୁସେନାରୁ ବିରତି ନେଇ ଏବେ ହାଇଦ୍ରାବାଦ ସ୍ଥିତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କରେ ଅବସ୍ଥାପିତ। ସେ ମୁଖାଗ୍ନି କାର୍ଯ୍ୟ ସଂପାଦନ କରିଥିଲେ। ସ୍ୱର୍ଗତଃ ଜ୍ୟୋତିର୍ମୟୀଙ୍କର ସ୍ୱାମୀ କେଶବ ଚନ୍ଦ୍ର ପାଢୀ ଭଦ୍ରକ ବାଗୁରାଇ ସ୍କୁଲର ଜଣେ ଶ୍ରେଷ୍ଠ ଶିକ୍ଷକ ରୂପେ କାର୍ଯ୍ୟ କରି ଜିଲା ସର୍କଲ ଇନ୍ସିପେକ୍ଟର ପଦବୀରୁ ଅବ୍ୟାହତି ନେଇଥିଲେ। ସେ ମଧ୍ୟ ପୌଢତ୍ୱର ଦ୍ୱାରଦେଶରେ ଥାଇ ପତ୍ନୀଙ୍କର ଅଧୁରା ସ୍ୱପ୍ନକୁ ପୂରଣ କରିବାର ବ୍ରତୀ ଅଛନ୍ତି। ଜ୍ୟୋତିର୍ମୟୀଙ୍କର ଜ୍ୟେଷ୍ଠ କନ୍ୟା ମିନାକ୍ଷୀ ବାଲେଶ୍ୱରର ସୁନାମଧନ୍ୟ ଆଇନ୍ଜୀବୀ ସ୍ୱର୍ଗତଃ ମଳୟ ପଣ୍ଡା ପତ୍ନୀ ଅଟନ୍ତି। ଦୁଇମାସ ତଳେ ମଳୟଙ୍କର ହୃଦଘାତ ଜନିତ ମୃତ୍ୟୁରେ ସେ ବ୍ୟଥିତ ଓ ଭାରକ୍ରାନ୍ତ ଥିଲେ। ଜ୍ୟୋତିର୍ମୟୀଙ୍କର ସାତ ଜଣ ନାତି-ନାତୁଣୀ ଅଛନ୍ତି।