Odiapua.com

ସ୍ୱର୍ଗତାଃ ସୁଷମା ସ୍ୱରାଜଜୀଙ୍କ ବିୟୋଗ ଦେଶର ରାଜନୀତି ପାଇଁ ଏକ ଅପୂରଣୀକ୍ଷତି

– ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତ୍ରୀ ସ୍ୱର୍ଗତାଃ ସୁଷମା ସ୍ୱରାଜଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକସଭା
– ଭାରତୀୟ ରାଜନୀତିରେ ସ୍ୱର୍ଗତାଃ ସୁଷମାଜୀଙ୍କ ଅବଦାନ ଅତୁଳନୀୟ

ଭୁବନେଶ୍ୱର, ୧୨/୦୮ (ଓଡ଼ିଆ ପୁଅ) : ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତ୍ରୀ ସ୍ୱର୍ଗତାଃ ସୁଷମା ସ୍ୱରାଜଙ୍କ ବିୟୋଗରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ଶ୍ରନ୍ଧାଞ୍ଜଳି ସଭା ଆୟୋଜିତ ହୋଇଛି। ରାଜ୍ୟ ସଭାପତି ତଥା ସାଂସଦ ବସନ୍ତ ପଣ୍ଡା ଏବଂ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ସମେତ ରାଜ୍ୟ ବିଜେପିର ବରିଷ୍ଠ ନେତୃବୃନ୍ଦ ପୁଷ୍ପ ଗୁଚ୍ଛ ଦେଇ ସ୍ୱର୍ଗତାଃ ସୁଷମାଜୀଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ ତାଙ୍କର ସ୍ମୃତି ଚାରଣ କରିଥିଲେ।

ଜଣେ ନାରୀ ନେତ୍ରୀ, ଜଣେ ସାଂସଦ ଏବଂ ଜଣେ କେନ୍ଦ୍ରମନ୍ତ୍ରୀ ଭାବେ ସୁଷମା ସ୍ୱରାଜଜୀଙ୍କ କାର୍ଯ୍ୟଦକ୍ଷତା ଏବଂ ଦୂରଦୃଷ୍ଟି ସମଗ୍ର ଭାରତବାସୀଙ୍କୁ ଆକର୍ଷିତ କରୁଥିଲା। ଭାରତୀୟ ରାଜନୀତିରେ ସ୍ୱର୍ଗତାଃ ସୁଷମାଜୀଙ୍କ ଅବଦାନ ଅତୁଳନୀୟ ଥିଲା। ଉଭୟ କୁଟନୀତି ଓ ରାଜନୀତୀରେ ସେ ପୂରା ପାରଙ୍ଗମ ଥିଲେ। ସୁଷମା ସ୍ୱରାଜଜୀ ନାରୀ ଜାତିର ଏକ ମୁର୍ତ୍ତୀମନ୍ତ ପ୍ରତୀକ ଭାବେ ନିଜକୁ ପ୍ରତିପାଦନ କରୁଥିଲେ। ସମଗ୍ର ନାରୀ ଜାତି ପାଇଁ ସେ ଏକ ଉଦାହରଣ ହୋଇ ରହିବେ ବୋଲି ରାଜ୍ୟ ସଭାପତି ତଥା ସାଂସଦ ଶ୍ରୀ ବସନ୍ତ ପଣ୍ଡା କହିଛନ୍ତି।

ସ୍ୱର୍ଗତାଃ ସୁଷମାଜୀଙ୍କ ବିୟୋଗ ସାରା ଦେଶବାସୀଙ୍କୁ ସ୍ତବ୍ଧ କରିଛି। ତାଙ୍କ ପରଲୋକରେ ଭାରତୀୟ ରାଜନୀତି ଜଣେ ଆଦର୍ଶବାଦୀ ରାଜନେତ୍ରୀଙ୍କୁ ହରାଇଛି। ସାଧାରଣ ଜନତାଙ୍କ ନେତ୍ରୀ ଭାବେ ସେ ସାଧାରଣ ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ ସମାଧାନର ରାସ୍ତା ବାହାର କରିବାରେ ପାରଙ୍ଗମ ଥିଲେ। ସେ ଜଣେ ଅଜାତ ଶତ୍ରୁ ଭାବେ ବିବେଚିତ ହେଉଥିଲେ। ସଂସଦ ଭବନରେ ତାଙ୍କ କାର୍ଯ୍ୟକୁ ବିରୋଧୀମାନେ ମଧ୍ୟ ପ୍ରଶଂସା କରନ୍ତି। ତାଙ୍କ ବିୟୋଗ ଦେଶର ରାଜନୀତି ପାଇଁ ଏକ ଅପୂରଣୀ କ୍ଷତି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ କହିଛନ୍ତି।

ଏହି ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ଗିରିଧର ଗମାଙ୍ଗ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ଓ ସୁରମା ପାଢୀ, ବିଜେପିର ବରିଷ୍ଠ ନେତା ଡା. ଦାମୋଦର ରାଉତ, ଖାରବେଳ ସ୍ୱାଇଁ, ପ୍ରକାଶ ମିଶ୍ର, ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ସାଧାରଣ ସଂପାଦକ (ସଙ୍ଗଠନ ) ମାନସ ମହାନ୍ତି, ବିଧାୟକ ସନାତନ ବିଜୁଳୀ, ମୁଖପାତ୍ର ଦିଲୀପ ମହାନ୍ତି, କୃଷକ ମୋର୍ଚ୍ଚା ସଭାପତି ଶିବାଜୀ ମହାନ୍ତି, କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ସଭାପତି ମହେଶ୍ୱର ସାହୁଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ସାମିଲ ଥିଲେ।