Odiapua.com

ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ-୨୦୨୪ ସଚେତନତା, ବାଦ୍ୟ, ନୃତ୍ୟ, ସଙ୍ଗୀତ, ରଙ୍ଗୋଲିରେ ଝଲସିଲା ପଥଉତ୍ସବ

ଭଦ୍ରକ, ୨୮ା୧୦ (ଓଡିଆ ପୁଅ / ସ୍ନିଗ୍ଧା ରାୟ)- ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ୨୦୨୪ ସଚେତନତା ଉଦ୍ଦେଶ୍ୟରେ ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲା ସଦର ମହକୁମାରେ ରଙ୍ଗାରଙ୍ଗ ଆକର୍ଷଣୀୟ ପଥଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପୂର୍ବ ପ୍ରସ୍ତୁତି ଅନୁଯାୟୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରୁ ଏକ ବିଶାଳ ପଦଯାତ୍ରା ବାହାରି ଶହୀଦ ସ୍ମୃତି ଭବନ ପର୍ଯ୍ୟନ୍ତ ପରିକ୍ରମା କରିଥିଲେ । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ, ଉପଜିଲ୍ଲାପାଳ ମନୋଜ ପାତ୍ର, ଡେପୁଟୀ କଲେକ୍ଟର ସାଗରିକା ସାହୁ ପ୍ରମୁଖଙ୍କ ସହ ବିଭାଗୀୟ ଅଧିକାରୀମାନେ ମଧ୍ୟ ଏହି ପଦଯାତ୍ରା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ପଦଯାତ୍ରାରେ ବିଭିନ୍ନ ବିଦ୍ୟାଳୟ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ, ସ୍କାଉଟ୍‌, ଗାଇଡ଼, ଏନ୍‌.ସି.ସି. ପିଲା, ବରିଷ୍ଠ ନାଗରିକ ଗଣମାଧ୍ୟମ ପ୍ରତିନିଧି, ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମହାସମାବେଶ ହୋଇଥିଲା । ବିଶେଷ କରି ପଥ ଉତ୍ସବ ପାଇଁ ଆୟୋଜିତ ଏହି ପଦଯାତ୍ରାରେ ଚାନ୍ଦବାଲି ର ଢ଼ୋଲକ ବାଦ୍ୟ, ତିହିଡ଼ିର ଘଣ୍ଟବାଦ୍ୟ, ବାସୁଦେବପୁରର ଲଉଡ଼ି ନୃତ୍ୟ ଦଳ ନିଜ ନିଜର ସାଂସ୍କୃତିକ କଳା ପରିବେଷଣ କରି ପଦଯାତ୍ରା କାର୍ଯ୍ୟକ୍ରମକୁ ଖୁବ୍ ଆକର୍ଷଣୀୟ କରିଥିଲେ । ଶରୀଦ ସ୍ମୃତି ଭବନ ନିକଟରେ ସେଲ୍‌ଫି ପଏଣ୍ଟ, ଦସ୍ତଖତ ଅଭିଯାନ ସହ ଭଦ୍ରକ ଚାରୁ ଓ କାରୁ କଳା ମହାବିଦ୍ୟାଳୟର ବିଦ୍ୟାର୍ଥୀ ମାନଙ୍କ ଦ୍ୱାରା ନୂଆ ଭୋଟର ନାମ ପଞ୍ଜିରକରଣ ପାଇଁ ସଚେତନତା ଉଦ୍ଦେଶ୍ୟରେ ଖୁଦ୍ ସୁନ୍ଦର ରଙ୍ଗୋଲି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ପଥ ଉତ୍ସବର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଶହିଦ ସ୍ମୃତି ଭବନରେ ଏକ ସଚେତନତା ଧର୍ମୀ ସାଧାରଣ ସଭା, ଆନ୍ତଜାର୍ତୀୟ, ଜାତୀୟ ରାଜ୍ୟ ସ୍ତରରେ ଖେଳରେ ସୁନାମ ଆଣିଥିବା ଜିଲ୍ଲାର ବିଶିଷ୍ଟ ଯୁବଖେଳାଳୀଙ୍କୁ ସମ୍ବର୍ଦ୍ଧନା, ବିଦ୍ୟାଳୟର ପିଲାମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଓ କ୍ୱିଜ୍ ଅନୁଷ୍ଠିତ ହୋଇଥିଲା ।

ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଦୀପକ କୁମାର ପାଢ଼ୀ ସାଧାରଣ ସଭାରେ ଅତିଥି ଭାବେ ଯୋଗଦେଇ ଯୁବଗୋଷ୍ଠୀ ଓ ପିଲାମାନଙ୍କ ସଚେତନତା ଉଦ୍ଦେଶ୍ୟରେ ଅକ୍ଟୋବର ୨୭ ରୁ ଆରମ୍ଭ ହୋଇଥିବା ଏବଂ ଡିସେମ୍ବର ୯ରେ ଶେଷ ହେବାକୁ ଥିବା ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପ୍ରକ୍ରିୟା ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ । ନୂତନ ଭୋଟର ପାଇଁ ଆବେଦନ, ସ୍ୱତନ୍ତ୍ର ଅଭିଯାନ ଦିବସ, ଆପ୍ ଜରିଆରେ ଅନ୍‌ଲାଇନ୍‌ରେ ନାମ ପଞ୍ଜିକରଣ, ଭୋଟର ତାଲିକାରେ ନାମ ଯୋଗ କରିବା, ନାମ ବାଦ ଦେବା, ସଂଶୋଧନ କରିବା ପାଇଁ ଉଦ୍ଦିଷ୍ଟ ଫର୍ମ ସବୁ ସମ୍ବନ୍ଧରେ ମଧ୍ୟ ସବିଶେଷ ସୂଚନା ପ୍ରଦାନ କରାଯାଇଥିଲା । ଡେପୁଟୀ କଲେକ୍ଟର ସାଗରିକା ସାହୁ ମଞ୍ଚ ପରିଚାଳନା କରିଥିଲେ । ଭଦ୍ରକ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ମନୋଜ କୁମାର ସାହୁ କ୍ୱିଜ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଆନ୍ତର୍ଜାତୀୟ ସ୍ତରରେ ଫେନସିଂରେ ସୁ୍‌ନାମ ଅର୍ଜନ କରିଥିବା ଦିବ୍ୟାଙ୍ଗ ଖେଳାଳୀ ମଧୁସ୍ମିତା ସାହୁ, ଟେନିକଏଟ୍ ଖେଳାଳୀ ନିର୍ମଳ ଚନ୍ଦ୍ର ସେନ୍‌, ୧୦,୦୦୦ ମିଟର ଦୌଡ଼ରେ ରାଜ୍ୟ ସ୍ତରରେ ତୃତୀୟ ପୁଷ୍ପିତା ପାଣିଗ୍ରାହୀ ଏବଂ ଜାତୀୟ ସ୍ତରରେ ବିଭିନ୍ନ ଖେଳରେ ଜିଲ୍ଲାର ଭାଗ ନେଇଥିବା ସମସ୍ତଙ୍କୁ ମିଶାଇ ୧୨ ଜଣ ଖେଳାଳୀଙ୍କୁ ଏହି ଉତ୍ସବରେ ଉତ୍ତରୀୟ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ଶାହା, ଜିଲ୍ଲା କ୍ରୀଡ଼ା ଅଧିକାରୀ ପଦ୍ମନ ରାୟ, ଜିଲ୍ଲା ସଂସ୍କୃତି ଅଧିକାରୀ ତନୁଜା ସିର୍କା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ପ୍ରମୁଖ ଏହି ପଥ ଉତ୍ସବ କାର୍ଯ୍ୟକ୍ରମରେ ସାମିଲ ହୋଇ ଆନୁସଙ୍ଗିକ ସହଯୋଗ କରିଥିଲେ ।