Odiapua.com

ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ- ୨୦୨୪ ନେଇ ସର୍ବ ଦଳୀୟ ବୈଠକ, ତ୍ରୁଟିଶୂନ୍ୟ ଚୂଡ଼ାନ୍ତ ଭୋଟର ତାଲିକା ପ୍ରସ୍ତୁତି ଆରମ୍ଭ । ଚିଠା ଭୋଟର ତାଲିକା ପ୍ରକାଶିତ

ଭଦ୍ରକ, ୨୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆସନ୍ତା ୨୦୨୪ ଜାନୁୟାରୀ ୫ ତାରିଖରେ ପ୍ରକାଶିତ ହେବାକୁ ଥିବା ନୂତନ ଏବଂ ତ୍ରୁଟିଶୂନ୍ୟ ଚୂଡ଼ାନ୍ତ ଭୋଟର ତାଲିକା ପ୍ରସ୍ତୁତି ନେଇ କାର୍ଯ୍ୟସୂଚୀ ଓ ପ୍ରକ୍ରିୟା ସମ୍ବନ୍ଧରେ ସଚେତନତା ଉଦ୍ଦେଶ୍ୟରେ ବିଭିନ୍ନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର କର୍ମକର୍ତ୍ତା, ପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି ଏବଂ ସଂପୃକ୍ତ ପ୍ରଶାସନିକ ଅଧିକାରୀ କର୍ମଚାରୀ ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ଦୁଇ ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ ଏବଂ ଶାନ୍ତନୁ କୁମାର ମହାନ୍ତି, ଉପଜିଲ୍ଲାପାଳ ମନୋଜ ପାତ୍ର, ଡେପୁଟୀ କଲେକ୍ଟର, ନିର୍ବାଚନ ସାଗରିକା ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଏହି ବୈଠକରେ ଜିଲ୍ଲାପାଳଙ୍କ ଦ୍ୱାରା ଚିଠା ଭୋଟର ତାଲିକା ପ୍ରକାଶନ କରାଯିବା ସହିତ ନିର୍ଭୁଲ ଓ ଚୂଡ଼ାନ୍ତ ଭୋଟର ତାଲିକା ପ୍ରସ୍ତୁତି ପାଇଁ ଆପତ୍ତି ଅଭିଯୋଗ ଗ୍ରହଣ, ନୂତନ ଭୋଟର ପଞ୍ଜିକରଣ, ମୃତ ଓ ସ୍ଥାନାନ୍ତର ଭୋଟରଙ୍କ ନାମ ବାଦ୍‌ଦେବା, ସ୍ୱତନ୍ତ୍ର ଅଭିଯାନ ଦିବସ ଆଦି ବିଷୟରେ ଜିଲ୍ଲାପାଳ ସୂଚନା ପ୍ରଦାନ କରିଥିଲେ । ଅକ୍ଟୋବର ୨୭ ଶୁକ୍ରବାର ଚିଠା ପ୍ରକାଶନ ଦିନଠାରୁ ଡିସେମ୍ବର ୯ ତାରିଖ ରବିବାର ପର୍ଯ୍ୟନ୍ତ ପ୍ରକାଶିତ ଚିଠା ଭୋଟର ତାଲିକାରେ ଥିବା ତ୍ରୁଟି ସୁଧାରିବା ପାଇଁ ଆପତ୍ତି ଅଭିଯୋଗ ଗ୍ରହଣ କରାଯାଇ ଶୁଣାଣି ଜରିଆରେ ଡିସେମ୍ବର ୨୬ ରେ ସମାଧାନ କରାଯିବ ।

ନୂତନ ଭୋଟରଙ୍କ ନାମ ତାଲିକା ଭୁକ୍ତ ପାଇଁ ଆଗାମୀ ଜାନୁୟାରୀ ୧ କୁ ଯୋଗ୍ୟତା ସୂଚକ ତାରିଖ ଭାବେ ଗ୍ରହଣ କରାଗଲେ ବି ୧୭-୧୮ ବର୍ଷ ବର୍ଗର ଭୋଟର ମାନଙ୍କ ଆଗୁଆ ଆବେଦନ ପାଇଁ ବର୍ଷରେ ୪ଟି ଯୋଗ୍ୟତା ସୂଚକ ତାରିଖ ସୁଯୋଗ ରହିଛି । ଜାନୁୟାରୀ-୧, ଅପ୍ରେଲ-୧, ଜୁଲାଇ-୧ ଏବଂ ଅକ୍ଟୋବର ୧ କୁ ୧୮ ବର୍ଷ ଛୁଉଁଥିବା ଭୋଟରମାନେ ଆବେଦନ କରିପାରିବେ । ଭୋଟର ହେଲପ୍ ଲାଇନ୍ ଆପ୍ ଜରିଆରେ ଘରେ ବସି ଆବେଦନ କରିପାରିବେ । ଭୋଟର ତାଲିକାରେ ନାମ ପଞ୍ଜିକରଣ ପାଇଁ ଫର୍ମ ନଂ୬, ବାଦ୍ ପାଇଁ ଫର୍ମ ନଂ-୭, ତ୍ରୁଟି ସଂଶୋଧନ, ସ୍ଥାନାନ୍ତରଣ, ନୂତନ ପରିଚୟପତ୍ର ପାଇଁ ଫର୍ମ-୮ ରେ ଆବେଦନ କରାଯାଇପାରିବ । ସ୍ୱତନ୍ତ୍ର ଅଭିଯାନ ଦିବସ ଭାବେ ନଭେମ୍ବର ୫, ୧୧, ୧୯ ଓ ୨୫ (୨ଟି ଶନିବାର ଓ ୨ଟି ରବିବାର) ରେ ବି.ଏଲ୍‌.ଓ ମାନେ ସଂପୃକ୍ତ ବୁଥ୍‌ମାନଙ୍କରେ ଉପସ୍ଥିତ ରହି ନୂତନ ଭୋଟର ମାନଙ୍କ ନାମ ପଞ୍ଜିକରଣ ଓ ଆବଶ୍ୟକତା ମତେ ସମସ୍ତ ସହାୟତା ଯେଗାଇଦେବେ । ରାଜନୈତିକ ଦଳ ଗୁଡ଼ିକ ଭୋଟର ପଞ୍ଜିକରଣ ଅଧିକାରୀଙ୍କ ଠାରୁ ଚିଠା ଭୋଟର ତାଲିକାର ଏକକିତା ନକଲ ପାଇ ପାରିବେ । ପ୍ରକାଶିତ ଡ଼୍ରାଫ୍‌ଟରେ ପ୍ରଦତ୍ତ ସୂଚନା ଅନୁଯାୟୀ ଅକ୍ଟୋବର ୨୭ ସୁଦ୍ଧା ଭଦ୍ରକ ଜିଲ୍ଲାର ସମୁଦାୟ ଭୋଟର ସଂଖ୍ୟା ୧,୨୫,୫, ୨୯୬ । ସେଥି ମଧ୍ୟରେ ୬,୪୭,୯୨୧ ପୁରୁଷ, ୬,୦୭,୨୨୩ ମହିଳା ଓ ୧୫୨ ତୃତୀୟ ଲିଙ୍ଗି ଭୋଟର ଅଟନ୍ତି । ନିର୍ବାଚନ ମଣ୍ଡଳୀ ଭଣ୍ଡାରିପୋଖରୀର ସମୁଦାୟ ଭୋଟର ସଂଖ୍ୟା ୨,୩୬,୨୦୦, ଭଦ୍ରକର ୨,୬୬,୩୯୧, ବାସୁଦେବପୁରର ୨,୬୩,୬୬୮, ଧାମନଗର (ଏସ୍‌.ସି), ର ୨,୪୪,୪୭୮, ଚାନ୍ଦବାଲିର ୨,୪୪,୫୫୯ । ସେହିପରି ଜିଲ୍ଲାରେ ପୂର୍ବରୁ ସମୁଦାୟ ୧୨୯୨ ମତଦାନ କେନ୍ଦ୍ର ଥିବାବେଳେ ଏବେସୁଦ୍ଧା ନୂତନ କେନ୍ଦ୍ର ସହ ସମୁଦାୟ ୧୩୦୯ ମତଦାନ କେନ୍ଦ୍ର ଥିବା ସୂଚନା ପ୍ରଦାନ କରାଯାଇଛି । ନିର୍ବାଚନ ମଣ୍ଡଳୀ ଅନୁଯାୟୀ ଭଣ୍ଡାରିପୋଖରୀ ପାଇଁ ୨୫୭ ଟି ବୁଥ ଜାଗାରେ ୨୫୯ ଟି, ଭଦ୍ରକର ୨୫୫ ଜାଗାରେ ୨୬୨, ବାସୁଦେବପୁର ର ୨୬୬ ଜାଗାରେ ୨୬୭, ଧାମନଗର (ଏସ୍‌.ସି.) ର ୨୫୨ ଜାଗାରେ ୨୬୪, ଚାନ୍ଦବାଲିର ୨୬୨ ଜାଗାରେ ୨୬୪ଟି ବୁଥ୍ ହୋଇଥିବା ଜଣାପଡ଼ିଛି ।